ଗରଦପୁର, ୧୩/୦୭/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ର କୋରୁଆସ୍ଥିତ ସାଇ କଳିଙ୍ଗ ପବ୍ଲିକ୍ ସ୍କୁଲ ପରିସରରେ ଗୁରୁରତ୍ନ ସ୍ୱର୍ଗତ ହରେକୃଷ୍ଣ ଶତପଥି ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ପାଟକୁରା ପ୍ରଗତି ମଂଚ ଆନୁକୂଲ୍ୟରେ ଆୟୋଜିତ ଉତ୍ସବରେ ଜିଲାପରିଷଦ ସଦସ୍ୟ ସନ୍ତୋଷ ଜେନା ପୌରୋହିତ୍ୟ କରିଥିଲେ । ଆୟୋଜିତ ସ୍ମୃତି ଚାରଣ ସଭା ରେ କରିଲୋପାଟଣା ଜୟରାମ ହାଇସ୍କୁଲ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ମଦନ ମୋହନ ସାମଲ ଯୋଗଦେଇ ସ୍ୱର୍ଗତ ହରେକୃଷ୍ଣ ଶତପଥି ଙ୍କ ବହୁମୁଖି ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ଉଲେଖନୀୟ ଏହିକି ସ୍ୱର୍ଗତ ହରେକୃଷ୍ଣ ଶତପଥି କରିଲୋପାଟଣା ଜୟରାମ ହାଇସ୍କୁଲ ର ଦୀର୍ଘ ବର୍ଷ ଧରି ପ୍ରଧାନ ଶିକ୍ଷକ ଥିଲେ । ସେ ଜଣେ ଦକ୍ଷ , କର୍ମନିଷ୍ଠ , ସଚ୍ଚୋଟ, ସଂସ୍କାରବାଦି ଶିକ୍ଷକ ଭାବରେ ପାଟକୁରା ଅଂଚଳରେ ସୁନାମ ଅର୍ଜନ କରିଥିଲେ । ଏଥି ସହିତ ଜଣେ ଶିକ୍ଷକ ନେତା ଭାବେ ମଧ୍ୟ ସାରା ଶିକ୍ଷକ ମହଲରେ ସେ ବେଶ ଲୋକପ୍ରିୟ ଥିଲେ । ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଅସୁରେଶ୍ୱର ହାଇସ୍କୁଲ ର ସହକାରୀ ଶିକ୍ଷକ ରମଣୀ ରଂଜନ ପଟ୍ଟନାୟକ, କେଦାରନାଥ ସାମନ୍ତରାୟ, ଇଂ ବଂଶିଧର ସାମଲ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତାଭାବେ ଲୋକନାଥ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ ଯୋଗଦେଇ ସ୍ୱର୍ଗତ ଶତପଥି ଙ୍କ ସ୍କୃତି ଚାରଣ କରିଥିଲେ । ପ୍ରାରମ୍ଭରେ ଗୀତା ପାଠ କରାଯିବା ସହିତ ସ୍ୱର୍ଗତ ଶତପଥି ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରାଯାଇଥିଲା ଓ ଅମର ଆତ୍ମାର ସଦଗତି କାମନା କରି ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଓଡ଼ିଶା ସମାଚାର