Sunday , March 26 2023
Breaking News
Home / ବିଶେଷ / କେନ୍ଦ୍ରାପଡ଼ାର ଥ୍ରୀ ଡି ପାଠାଗାର ରାଜ୍ୟରେ ପ୍ରଥମ

କେନ୍ଦ୍ରାପଡ଼ାର ଥ୍ରୀ ଡି ପାଠାଗାର ରାଜ୍ୟରେ ପ୍ରଥମ

କେନ୍ଦ୍ରାପଡ଼ା, ୧୩/୦୭/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟର ପ୍ରଥମ ଥ୍ରୀ ଡି ପାଠାଗାର କେନ୍ଦ୍ରାପଡ଼ାରେ ନିର୍ମାଣାଧିନ ରହିଛି । ପାଠାଗାରର କାନ୍ଥରେ ଥ୍ରୀ ଡି ରଙ୍ଗ ଲେପନ ହେଉଛି । କାନ୍ଥରେ ବହି, ବହି ର‌୍ୟାକ, ଛାତ୍ରଛାତ୍ରୀମାନେ ପାଠ ପଢୁଥିବାର ଦୃଶ୍ୟକୁ ଖୁବ ସୁନ୍ଦର ଭାବେ ଅଙ୍କନ କରାଯାଇଛି । କାନ୍ଥକୁ ଦେଖିଲେ ଲାଗୁଛି ଯେମିତି ଛାତ୍ରଛାତ୍ରୀମାନେ ବସି ପାଠ ପଢୁଛନ୍ତି । ଏଥିସହିତ ର‌୍ୟାକରେ ପୁସ୍ତକମାନ ରଖାଯାଇଛି । ଏହି କନସେପ୍ଟ ତେଲେଙ୍ଗାନାରୁ ଆଣିଛନ୍ତି ପୌରପାଳିକାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ । ଶ୍ରୀ ବଳ କହିଛନ୍ତି ଯେ ଏହି ପାଠାଗାର ନିର୍ମାଣ ସରିବା ପରେ ଏହା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନାମରେ ନାମକରଣ କରାଯିବ । ଏହି ପାଠାଗାରରେ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ପାଠାଗାରରେ ୫୦ ହଜାରରୁ ଅଧିକ ପୁସ୍ତକ ମଧ୍ୟ ରହିବ । ସେହିପରି ପାଠାଗାରକୁ ଅତ୍ୟାଧୁନିକ ଜ୍ଞାନକୈାଶଳର ପ୍ରୟୋଗ କରାଯାଇ ପରିପୂର୍ଣ୍ଣ କରାଯିବ । ସେହି ପାଠାଗାରରେ କମ୍ପ୍ୟୁଟର ଏବଂ ୱାଇ ଫାଇର ବ୍ୟବସ୍ଥା ସଂଯୋଗ କରାଯିବ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ ରହିବ ଏହି ପାଠାଗାରରେ । ଫଳରେ ଛାତ୍ରଛାତ୍ରୀମାନେ ପାଠାଗାରରେ ବସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ନିଜକୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ କରିପାରିବେ । ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ଏହି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ନିମନ୍ତେ ଜିଲ୍ଲା ବାହାରକୁ ବା ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା । ହେଲେ ଏହି ଅତ୍ୟାଧୁନିକ ପାଠାଗାରର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ ଏହି ସୁଯୋଗ କେନ୍ଦ୍ରାପଡାରେ ପାଇ ପାରିବେ । ତେଣୁ ସେମାନଙ୍କୁ ଆଉ ଜିଲ୍ଲା ବାହାରକୁ କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ ବୋଲି ପୌରନିର୍ବାହୀ ଅଧିକାରୀ ଶ୍ରୀ ବଳ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.