ପୁରୀ, ୧୨/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ହେଉଛି ଆଷାଢ ମାସ ଶୁକ୍ଳ ଦ୍ବିତୀୟା ତିଥି । ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରଥରେ ବସି ଘୋଷଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି।
ଆଉ କିଛି ଘଂଟା ପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ରଥ, ପଥ ସବୁ ପ୍ରସ୍ତୁତ । ରବିବାର ତିନିରଥରେ ଆଜ୍ଞାମାଳ ବିଜେ ହୋଇଛନ୍ତି । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ତାଳଧ୍ବଜ, ନନ୍ଦିଘୋଷ ଏବଂ ଦେବଦଳନ ରଥ ସୁସଜ୍ଜିତ ହୋଇ ପ୍ରସ୍ତୁତ ହୋଇ ରହିଛନ୍ତି ।
ଶନିବାର ତିନି ରଥରେ କନା ପକାଯିବା ସହ ପିତ୍ତଳସାଜ ଲଗାଯାଇଛି। ସୋମବାର ସକାଳ ୮ଟା ୩୦ରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇ ଦିନ ୧୧ଟା ୩୦ ସୁଦ୍ଧା ଶେଷହେବ। ଏହା ପରେ ରଥରେ ବିଜେ କରିବେ ମଦନମୋହନ। ଶ୍ରୀଜୀଉଙ୍କୁ ଚିତାଲାଗି ଏବଂ ବେଶ କରାଯିବ। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଦିନ ୧୨ଟା ୪୫ରୁ ୨ଟା ମଧ୍ୟରେ ରଥ ଉପରେ ଛେରାପହଁରା କରିବେ। ଅପରାହ୍ଣ ୩ଟାରୁ ରଥଟଣା ଆରମ୍ଭ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସମୟାନୁବର୍ତ୍ତୀ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର।ତେବେ ସମସ୍ତ ରିତି ନୀତି ଆଗୁଆ ଶେଷ କରିବା ପାଇଁ ସମସ୍ତ ଉଦ୍ୟମ ଜାରି ରହିବ । କୋଭିଡ଼ କଟକଣା ମଧ୍ୟରେ ବିନା ଭକ୍ତରେ ରଥ ଟଣାଯିବ । କେବଳ ସେବାୟତମାନେ ରଥ ଟାଣିବେ ।
ଶୃଙ୍ଖଳିତ ରଥଯାତ୍ରା ପାଇଁ ସମଗ୍ର ପୁରୀ ସହରରେ ୬୫ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସବୁ ସାହିଗଳି ପ୍ରବେଶ ପଥରେ କାଠ ବ୍ୟାରିକେଡ୍ କରାଯାଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ କୌଣସି ଅନଧିକୃତ ବ୍ୟକ୍ତିଙ୍କୁ ବଡ଼ଦାଣ୍ଡକୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ। ରବିବାର ରାତିରୁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗୁ ହୋଇଛି । ରବିବାର ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ୟ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ବଡ଼ଦାଣ୍ଡର ସମସ୍ତ ଦୋକାନବଜାର ବନ୍ଦ ରହିବ। ଏପରିକି ଔଷଧ ଦୋକାନ ମଧ୍ୟ ନଖୋଲିବାକୁ ପ୍ରଶାସନ ରୋକ୍ ଲଗାଇଛି। ଓଡ଼ିଶା ସମାଚାର