ସମ୍ବଲପୁର, ୧୧/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ୧୧ ତାରିଖ ରବିବାର ହୀରାକୁଦ ଡ଼୍ୟାମ୍ ରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ମହାନଦୀରେ ନିଷ୍କାସନ କରାଯିବ। ଆଜି ରବିବାର ରିତିନୀତି ଅନୁସାରେ ପାରମ୍ପରିକ ପୂଚାର୍ଚ୍ଚନା କରାଯାଇ ୧୧ଟା ପରେ ଯେକୌଣସି ସମୟରେ ସ୍ପିଲୱେର ବାମ ପାର୍ଶ୍ବରୁ ଗେଟ୍ ଖୋଲାଯିବ। ପ୍ରଥମେ ୭ ନମ୍ବର ଗେଟ ଫିଟାଯିବ । ପରେ ଆବଶ୍ୟକ ମତେ ଗେଟ୍ ଖୋଲାହିବ ବୋଲି ସୁଚନା ମିଳିଛି । ଏହା ମୁଣ୍ଡୁଳି ଠାରେ ପହଂଚିବା ପାଇଁ ୪୮ ଘଂଟା ସମୟ ଲାଗିବ । ପ୍ରଥମେ ଗେଟ ଖୋଲାଗଲେ ଜଳର ସ୍ରୋତ ଅଧିକ ରହିବ । ତେଣୁ ମହାନଦୀ ମଧ୍ୟକୁ ମାଛ ଧରିବା, ଗାଧେଇବା ଆଦି କାର୍ଯ୍ୟ ପାଇଁ କର୍ତୃପକ୍ଷ ବାରଣ କରିଛନ୍ତି । ମହାନଦୀ କୂଳିଆ ୧୨ ଟି ଜିଲାର ଜିଲାପାଳ ଓ ଏସପି ମାନଙ୍କୁ ସତର୍କ ସୂଚନା ଦିଆଯାଇଛି । ଉପର ମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଉଥିବାରୁ ହୀରାକୁଦ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ହୀରାକୁଦ ହେଡ୍ ୱାର୍କସ ଓ ଅତିରିକ୍ତ ସ୍ପିଲ୍ ୱେ’ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିରାକାର ବିଶି ସୂଚନା ଦେଇଛନ୍ତି। ଶନିବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୮.୬୯ ରହିଥିଲା। ଜଳଭଣ୍ଡାରକୁ ୭୪,୫୨୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୩,୪୮୩ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଏଥିରୁ ପାୱାର ଚାନେଲ ଦେଇ ୧୯,୦୨୦ କ୍ୟୁସେକ ଓ କେନାଲଗୁଡ଼ିକରେ ୪,୧୯୧ କ୍ୟୁସେକ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନଗୁଡ଼ିକ ୨୭୨ କ୍ୟୁସେକ ପାଣି ନେଉଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ଓଡ଼ିଶା ସମାଚାର