ପୁରୀ, ୧୦/୦୭/୨୦୨୧(ଓଡ଼ିଶା ସମାଚାର)-ଗତବର୍ଷ ଭଳି ଚଳିତ ବର୍ଷ ବି ପୁରୀରେ ରଥ ଯାତ୍ରା ସମୟରେ ଲାଗିବ ୧୪୪ ଧାରା । ତିନିଦିନିଆ କର୍ଫ୍ୟୁ ଲାଗିବ ବୋଲି ସୂଚନା ମିଳିଛି । ଜୁଲାଇ ୧୧ ତାରିଖ ରାତି ୮ଟାରୁ ପୁରୀ ସହରରେ କର୍ଫ୍ୟୁ ଲଗାଯିବ । ସାରା ସହରରେ ୧୪୪ ଧାରା ଜାରି ହେବ । ଜନସାଧାରଣଙ୍କ ଚଳପ୍ରଚଳ ଉପରେ ରୋକ୍ ଲାଗିବ । ପ୍ରବେଶ ପଥ ସମ୍ପୂର୍ଣ୍ଣ ସିଲ୍ କରି ଦିଆଯିବ । ଜୁଲାଇ ୧୨ ତାରିଖ ସାରା ଦିନ ଏହି କଟକଣା ବଳବତର ରହିବା ପରେ ପରଦିନ ଅର୍ଥାତ୍ ଜୁଲାଇ ୧୩ ତାରିଖ ସକାଳ ୮ଟାରୁ ଏହି କଟକଣାକୁ ହଟାଇ ଦିଆଯିବ । ତଥାପି ରଥ ପହଂଚିବାକୁ ନେଇ କଟକଣା ବଢ଼ିପାରେ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି । ଅନ୍ୟପଟେ ତିନିଦିନିଆ କର୍ଫୁ୍ୟ ଜାରି ହେଉଥିବାରୁ ସପ୍ତାହାନ୍ତ ସଟଡାଉନରେ ସ୍ୱତନ୍ତ୍ର ରିଲିଫ୍ କମିସନର ସାମାନ୍ୟ କୋହଳ କରିଛନ୍ତି । ଜନ ସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀରେ ଶନିବାର ସଟ୍ ଡାଉନ୍ ଉଠାଇ ଦିଆଯାଇଛି । ଏ ନେଇ ଏସଆରସି ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି । ଜୁଲାଇ ୧୨ ତାରିଖ ସାରା ଦିନ ସମସ୍ତ କାର୍ଯ୍ୟାଳୟ, ବନ୍ଦ ରହିବ ଏପରିକି ଔଷଧ ଦୋକାନ ବନ୍ଦ ରହିବ । ସମସ୍ତ ଧର୍ମଶାଳା, ହୋଟେଲ, ଲଜ ଖାଲି କରାଯିବ । ଓଡ଼ିଶା ସମାଚାର