କେନ୍ଦ୍ରାପଡ଼ା, ୧୦/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଓଡିଶା ମାଧ୍ୟମିକ ଶିକ୍ଷକ ସଙ୍ଘ(ଓଷ୍ଟା)ର ପ୍ରଥମ ସଭାପତି ତଥା କରିଲୋପାଟଣା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରେକୃଷ୍ଣ ଶତପଥୀଙ୍କ ର ୮୬ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ଶତପଥୀଙ୍କ ବିୟୋଗରେ କେନ୍ଦ୍ରାପଡା ଜିଲ୍ଲା ଓଡିଶା ମାଧ୍ୟମିକ ଶିକ୍ଷକ ସଙ୍ଘ(ଓଷ୍ଟା)ପକ୍ଷରୁ ଦୁହୁରିଆସ୍ଥିତ କାର୍ଯ୍ୟାଳୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ବେହେରାଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମ୍ପାଦକ ତପନ କୁମାର ସିଂ ପ୍ରାରମ୍ଭରେ ସଭାର ଉଦେଶ୍ୟ ଜ୍ଞାପନ କରିବା ପରେ ସ୍ୱର୍ଗତ ଶତପଥୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରାକ୍ତନ ଶିକ୍ଷକ ନେତା ଅବନୀ କୁମାର ମହାନ୍ତି, ତୈ୍ରଲୋକ୍ୟ ସ୍ୱାଇଁ, ବାନାମ୍ବର ସାହୁ, କାର୍ତିକ ଚରଣ ନାୟକ, ନାରାୟଣ ପତି, ନିର୍ମଳ କୁମାର ନାୟକ, ରାଜ୍ୟ ଓଷ୍ଟା ଉପସଭାପତି ରାଧାକାନ୍ତ ଦାସ, ରାଜ୍ୟ ଓଷ୍ଟା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଣବ କୁମାର ଜେନା, ଜିଲ୍ଲା ଓଷ୍ଟାର କାର୍ଯ୍ୟକାରୀ ସଦସ୍ୟ ଅନ୍ନପୂର୍ଣ୍ଣା ସାହୁ, ଟିଟିକାନ୍ତ ନାୟକ, ସରୋଜକାନ୍ତ ଜେନା, ଅଲେଖ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ କୋଭିଡ-୧୯ କଟକଣା ପାଳନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶିକ୍ଷକ ନେତା ଓ ଶିକ୍ଷକ, ଶିକ୍ଷିକାମାନେ ଏବଂ ପ୍ରାକ୍ତନ ରାଜ୍ୟ ନେତା କାଳି ପ୍ରସାଦ ନାୟକ ନିଜ ନିଜ ବିଦ୍ୟାଳୟରେ ରହି ଭର୍ଚୁଆଲ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ସଭାରେ ଅଂଶଗ୍ରହଣ କରିଥିଲେ । ଶେଷରେ ପ୍ରଣବ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱର୍ଗତ ଶତପଥୀ ଜଣେ ଦକ୍ଷ, ନିର୍ଭୀକ, ଶିକ୍ଷକ ନେତା ଥିଲେ । ଇଂରାଜୀ ଓ ଓଡିଆ ସାହିତ୍ୟର ଜଣେ ପ୍ରବୀଣ ଶିକ୍ଷକ ଭାବରେ ଅବିଭକ୍ତ କଟକ ଜିଲ୍ଲାରେ ତାଙ୍କର ସୁନାମ ଥିଲା । ସାଲିସବିହୀନ ନେତା ଭାବରେ ଶିକ୍ଷକ,ଶିକ୍ଷିକା ଓ କର୍ମଚାରୀମାନଙ୍କ ସମସ୍ୟା ସମାଧାନ କରିବାକୁ ସେ ବଦ୍ଧ ପରିକର ଥିଲେ । ଓଡ଼ିଶା ସମାଚାର