Tuesday , October 3 2023
Breaking News
Home / ବିଶେଷ / ରାଜ୍ୟ ସରକାରଙ୍କର ଯୋଜନା ଓ ସଂଯୋଜନା ବିଭାଗରେ ବ୍ୟାପକ ଢାଞ୍ଚାଗତ ପରିବର୍ତ୍ତନ ଓ ସୁଦୃଢ଼ୀକରଣର ଏକ ନିଶ୍ଚିତ ଆବଶ୍ୟକତା

ରାଜ୍ୟ ସରକାରଙ୍କର ଯୋଜନା ଓ ସଂଯୋଜନା ବିଭାଗରେ ବ୍ୟାପକ ଢାଞ୍ଚାଗତ ପରିବର୍ତ୍ତନ ଓ ସୁଦୃଢ଼ୀକରଣର ଏକ ନିଶ୍ଚିତ ଆବଶ୍ୟକତା

 କ୍ରମାଗତ ଭାବେ ନୀତି ଆୟୋଗର କିଛି ରିପୋର୍ଟ ଆସୁଥିବା ବେଳେ ଆମ ରାଜ୍ୟର ପଛୁଆ ଅଞ୍ଚଳରେ ଚାଲୁଥିବା କିଛି ଯୋଜନା, କାର୍ଯ୍ୟାଳୟରେ କିଛି ଢାଞ୍ଚାଗତ ଓ ଅନ୍ୟାନ୍ୟ ପ୍ରଶାସନିକ ପରିବର୍ତ୍ତନ ଏବଂ ବ୍ୟବସ୍ଥାର ସୁଦୃଢ଼ୀକାରଣର ଆବଶ୍ୟକତା ଦେଖାଦେଇଛି !

କୋରାପୁଟ ଠାରେ ମୁଖ୍ୟ କାର୍ଯ୍ୟାଳୟ ଥିବା “ସ୍ୱତନ୍ତ୍ର ଅଞ୍ଚଳ ଉନ୍ନୟନ ପ୍ରକଳ୍ପ (କେବିକେ) ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟାଳୟ” ସ୍ଥାନରେ ସେହିଠାରେ ହିଁ ” ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ଦକ୍ଷିଣ ଓଡ଼ିଶା ସ୍ୱତନ୍ତ୍ର ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ” କାମ ଆରମ୍ଭ କରୁ – ଏହା ଅଧୀନରେ ଆଦିବାସୀ ଜନସଂଖ୍ୟା ବହୁଳ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ ଜିଲ୍ଳା ଓ ଗଞ୍ଜାମ ଜିଲ୍ଲାର  କିଛି ପଛୁଆ ଆଦିବାସୀ ବହୁଳ ବ୍ଲକ ରହୁ | ଅବିଭକ୍ତ କୋରାପୁଟ ୪ ଜିଲ୍ଲାରେ କେବିକେ ସମ୍ପର୍କିତ କାର୍ଯ୍ୟ ବା ପ୍ରକଳ୍ପ ଏହି କାର୍ଯ୍ୟାଳୟ ଅଧୀନକୁ ହସ୍ତାନ୍ତରିତ କରାଯାଉ !

କେବିକେ ପ୍ରକଳ୍ପ ଅଧୀନରେ ଥିବା ୮ ଟି ଜିଲ୍ଳା ମଧ୍ୟରୁ ୪ ଟି ଜିଲ୍ଳା “ପଶ୍ଚିମ ଓଡ଼ିଶା ବିକାଶ ପରିଷଦ” ଅଧୀନରେ ମଧ୍ୟ ରହିଛି |

ତେଣୁ କେବିକେ ପ୍ରକଳ୍ପ ଅଧୀନରେ ଚାଲିଥିବା  ଅବିଭକ୍ତ କଳାହାଣ୍ଡି (କଳାହାଣ୍ଡି ଓ ନୂଆପଡ଼ା) ଏବଂ ଅବିଭକ୍ତ ବଲାଙ୍ଗିର (ବଲାଙ୍ଗିର ଓ ସୁବର୍ଣ୍ଣପୁର) ଜିଲ୍ଳାର ସମସ୍ତ ପ୍ରକଳ୍ପ “ପଶ୍ଚିମ ଓଡ଼ିଶା ବିକାଶ ପରିଷଦ” କୁ ହସ୍ତାନ୍ତର କରାଯାଉ ! “ପଶ୍ଚିମ ଓଡ଼ିଶା ବିକାଶ ପରିଷଦ” ଗତ କିଛି ମାସ ହେବ ଅଧିକ କ୍ରିୟାଶୀଳ ହୋଇଥିବା ଖୁସିର ବିଷୟ, ମାତ୍ର ଏହାର ଢାଞ୍ଚାରେ ଅନେକ ପରିବର୍ତ୍ତନ ଓ ଆହୁରି କିଛି ପ୍ରଶାସନିକ ଆବଶ୍ୟକତା ରହିଛି !

ଅର୍ଥାତ କେବିକେ ପ୍ରକଳ୍ପରେ ଯଦି ବର୍ତମାନ କିଛି ପ୍ରକଳ୍ପ ଚାଲିଥିବ ତାହା ୨ ଭାଗରେ ବିଭକ୍ତ ହୋଇ ୪ ଟି ଜିଲ୍ଳା “ପଶ୍ଚିମ ଓଡ଼ିଶା ବିକାଶ ପରିଷଦ” ଓ ଆଉ ୪ ଟି “ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ଦକ୍ଷିଣ ଓଡ଼ିଶା ସ୍ୱତନ୍ତ୍ର ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ” ଅଧୀନକୁ ଆସିଯିବ ଓ ଏହି ସମସ୍ତ ଜିଲ୍ଳା ଓ ପଛୁଆ ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରାଯାଇ ପାରିବ |

ସେହିଭଳି ଉତ୍ତର ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳ ମୟୂରଭଞ୍ଜ ଜିଲ୍ଳା, କେନ୍ଦୁଝର ଜିଲ୍ଳା, ବାଲେଶ୍ୱର ଜିଲ୍ଲାର କିଛି ପଛୁଆ ଆଦିବାସୀ ବହୁଳ ବ୍ଲକ, କେନ୍ଦୁଝର ଜିଲ୍ଲାର ସୀମା କୁ ଲାଗି ରହିଥିବା ବା ପାଖରେ ଥିବା ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର କିଛି ପଛୁଆ ତଥା ଆଦିବାସୀ ବହୁଳ ଅଞ୍ଚଳ ବା ବ୍ଲକ ଗୁଡିକୁ ସାମିଲ କରି ଏହି ଅଞ୍ଚଳ ସମୂହ ମଧ୍ୟରୁ କୌଣସି ଏକ ସ୍ଥାନରେ “ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ଉତ୍ତର ଓଡ଼ିଶା ସ୍ୱତନ୍ତ୍ର ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ” ରହି ପ୍ରକଳ୍ପ ଆରମ୍ଭ ହେଉ !

ମାତ୍ର ଏଥିପାଇଁ ସମ୍ପୂର୍ଣ ଦକ୍ଷ ଅଧିକାରୀ ନିଯୁକ୍ତି ସହ, ସମ୍ପୂର୍ଣ ସକ୍ରିୟ ପ୍ରଶାସନିକ ବ୍ୟବସ୍ଥା ପ୍ରସ୍ତୁତ କରିବା ସହ ମାନବ ସମ୍ବଳ ମାନଙ୍କୁ ରାଜଧାନୀରେ ନ ରଖାଯାଇ ସମ୍ପୃକ୍ତ ଅଞ୍ଚଳରେ ହିଁ ସ୍ଥାନିତ କରିବାକୁ ପଡ଼ିବ | ଏଥିରେ ନିଯୁକ୍ତ ବରିଷ୍ଠ ଅଧିକାରୀ ବା ପ୍ରଶାସକ ମାନଙ୍କୁ କୌଣସି ବି ଅତିରିକ୍ତ ଦାୟିତ୍ୱ ଦିଆଯିବ ଆଦୌ ଉଚିତ ନୁହେଁ |

ଏହା ସହିତ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ କୁ ସମ୍ପୂର୍ଣ ଭାବେ ନୀତି ଆୟୋଗ ଢାଞ୍ଚାରେ ପୁନର୍ଗଠନ କରି, ପୂର୍ଣ୍ଣକାଳୀନ ଭାବେ କିଛି ବର୍ଷ ପାଇଁ ବିଭିନ୍ନ ବିଶେଷଜ୍ଞ ମାନଙ୍କୁ ନିଯୁକ୍ତି ଦେବାର ଆବଶ୍ୟକତା ରହିଛି |ଏହି ବିଶେଷଜ୍ଞମାନେ ସ୍ୱତନ୍ତ୍ର ଅଧିକାରୀ ଭାବେ କେବଳ ଏହିଠାରେ ହିଁ କାର୍ଯ୍ୟ କରିବା ଉଚିତ | କେବଳ କିଛି ବୈଠକରେ ମାତ୍ର କିଛି ସମୟ ପାଇଁ ଉପସ୍ଥିତ ରହିବାପାଇଁ ବିଶେଷଜ୍ଞ ନିଯୁକ୍ତ ହେବା ଉଚିତ ନୁହେଁ |

ରାଜ୍ୟ ସରକାରଙ୍କର ଯୋଜନା ଓ ସଂଯୋଜନା ବିଭାଗରେ ବ୍ୟାପକ ଢାଞ୍ଚାଗତ ପରିବର୍ତ୍ତନ ଓ ସୁଦୃଢ଼ୀକରଣର ଏକ ନିଶ୍ଚିତ ଆବଶ୍ୟକତା ରହିଛି |

ରାଜ୍ୟର ସାମଗ୍ରିକ ବିକାଶକୁ ଆଗକୁ ନେବାରେ କେବଳ କାର୍ଯ୍ୟାଳୟ ପ୍ରତିଷ୍ଠା, ଅଧିକାରୀ ଓ କର୍ମଚାରୀ ନିଯୁକ୍ତି ଓ କିଛି ଯୋଜନା ଓ ଅର୍ଥ ଘୋଷଣା ଓ ବ୍ୟୟ କେବଳ ନୁହେଁ ତାହା ସହିତ ସମସ୍ତ ଅଂଶୀଦାର ମାନଙ୍କର ପୂର୍ଣ୍ଣ ଆନ୍ତରିକତା, ଦୃଢ଼ ଇଛାଶକ୍ତି ଓ ପ୍ରତିଶୃତିବଦ୍ଧତା, ଦୁରଦୃଷ୍ଟି ସମ୍ପନ୍ନ ଯୋଜନା ଓ ଏଗୁଡିକର ତୃଣମୂଳ ସ୍ତରରେ ସଠିକ କାର୍ଯ୍ୟାନ୍ୱୟନ, ଉପଯୁକ୍ତ ପ୍ରକ୍ରିୟାରେ ସମୀକ୍ଷା ଓ ଆବଶ୍ୟକୀୟ ସମୟୋପଯୋଗୀ ପରିବର୍ତ୍ତନ ଲୋଡ଼ା !

                                                 -0-

ତେଜେଶ୍ୱର ପରିଡ଼ା

ଅଧ୍ୟକ୍ଷ, ସେଣ୍ଟର ଫର ପଲିସି ଗଭର୍ନାନ୍ସ ଏଣ୍ଡ ଆଡ଼ଭୋକେସି  (ସି. ପି. ଜି. ଏ.)

Leave a Reply

Your email address will not be published. Required fields are marked *