ଭୁବନେଶ୍ୱର, ୦୭/୦୭/୨୦୨୧(ଓଡ଼ିଶା ସମାଚାର /ଶ୍ରୀ ଅଖଣ୍ଡ) : ଆଦିବାସୀ ଅଧିକାର ଆନ୍ଦୋଳନର ବିଶିଷ୍ଠ ନେତା ତଥା ୮୪ ବର୍ଷୀୟ ବୟସ୍କ ସାମାଜିକ କର୍ମୀ ଫାଦର ଷ୍ଟାନ ସ୍ଵାମୀଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଛି । ତାଙ୍କ ବିରୁଦ୍ଧରେ ମିଥ୍ୟା ଦେଶଦ୍ରୋହ ମାମଲା କରି ସରକାର ତାଙ୍କୁ ଗିରଫ କରିବା ସହ ଉପଯୁକ୍ତ ଚିକିତ୍ସା ସୁବିଧା ପ୍ରଦାନ ନ କରି ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ବୁଧବାର ଦିନ ଭୁବେନଶ୍ୱରରେ ମାନବିକ ଅଧିକାର ଓ ରାଜନୈତିକ କର୍ମୀ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ।
ପ୍ରତିବାଦରେ ସାମିଲ ହୋଇଥିବା ମାନବିକ ଅଧିକାର କର୍ମୀ ବିଶ୍ଵପ୍ରିୟ କାନୁନଗୋ କହିଛନ୍ତି, ଭାରତୀୟ ନ୍ୟାୟ ବ୍ୟବସ୍ଥା ‘ ହଜାରେ ଦୋଷୀ ପଛେ ଖସି ଯାଆନ୍ତୁ, କିନ୍ତୁ ଜଣେ ନିର୍ଦ୍ଦୋଷୀ ଦଣ୍ଡ ନପାଉ’ ନୀତି କୁ ସ୍ପଷ୍ଠ ଉଲଂଘନ କରି ବିଳମ୍ବିତ ବିଚାର ପ୍ରକ୍ରିୟା ଓ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁକୁ ଏକ ଆନୁଷ୍ଠାନିକ ହତ୍ୟା ବୋଲି କହିଲେ ଭୁଲ୍ ହେବ ନାହିଁ । ଭିନ୍ନମତ ପୋଷଣ କରୁଥିବା ଓ ସରକାରଙ୍କ ନୀତି ସହ ଏକମତ ହେଉନଥିବା ବୁଦ୍ଧିଜୀବୀ, ଶିକ୍ଷାବିତ, ସାମାଜିକ ଓ ରାଜନୈତିକ କର୍ମୀ ଓ ନେତାମାନଙ୍କୁ ଯେପରି ମିଥ୍ୟା ମକଦ୍ଦମାରେ ଫସାଇ ଦିଆଯାଉଛି ତାହା ଦେଶରେ ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛି ବୋଲି ସେ ଅଭିଯୋଗ କରିଛନ୍ତି ।
ସାମାଜିକ କର୍ମୀ ନରେନ୍ଦ୍ର ମହାନ୍ତି କହିଛନ୍ତି, ସରକାରଙ୍କ ସମସ୍ତ ଅଗଣତାନ୍ତ୍ରିକ ନୀତି ଓ ସମ୍ବିଧାନ ବିରୋଧୀ କାର୍ୟ୍ୟ ନିକଟରେ ଦେଶର ଅନ୍ୟ ସ୍ତମ୍ଭଗୁଡିକ ମଧ୍ୟ ଆତ୍ମ ସମର୍ପଣ କରିଛି । ଫାଦର ଷ୍ଟାନ ସ୍ଵାମୀଙ୍କ ମୃତ୍ୟୁ ପାଇଁ କେନ୍ଦ୍ର ସରକାର ଓ ତଦନ୍ତକାରୀ ସଂସ୍ଥା ଦାୟୀ । ୟୁ.ଏ. ପି.ଏ, ଦେଶଦ୍ରୋହ,ଆଫସ୍ପା, ମୃତ୍ୟୁଦଣ୍ଡ ଆଇନ ଭଳି ଶ୍ରମିକ, କୃଷକ ଓ ଗଣତାନ୍ତ୍ରିକ ଅଧିକାର ଗୁଡିକୁ କ୍ଷୁର୍ଣ୍ଣ କରୁଥିବା ସମସ୍ତ କଳା ଆଇନ ଗୁଡିକୁ ବାତିଲ କରିବା, ସମସ୍ତ ରାଜନୈତିକ ବନ୍ଦୀ ମାନଙ୍କୁ ଖଲାସ କରିବା,ଭୀମା କୋରେଗାଁଓ ମାମଲାରେ ଗିରଫ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ଅବିଳମ୍ବେ ଜାମିନ ପ୍ରଦାନ କରି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଚାର ଶେଷ କରିବାକୁ ସେ ଦାବି କରିଛନ୍ତି ।
ଏହି ପ୍ରତିବାଦରେ ଅଖିଳ ଭାରତ ଜନମଞ୍ଚ, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତି, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଆମ ଅଧିକାର, ଇନସାଫ,ଏନ.ଏ.ପି.ଏମ, ରାଜନୈତିକ ବନ୍ଦୀମୁକ୍ତି କମିଟି ଓ ଅନ୍ୟାନ୍ୟ ସଂଗଠନର ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା, ଶ୍ରୀକାନ୍ତ ମହାନ୍ତି, ଅମିୟ ପାଣ୍ଡବ, ଦେବରଞ୍ଜନ, ନରେନ୍ଦ୍ର ମହାନ୍ତି,କଲ୍ୟାଣ ଆନନ୍ଦ, ସ୍ଵାତୀ ମିଶ୍ର, ଶ୍ରୀମନ୍ତ ମହାନ୍ତି, ରୁମିତା କୁଣ୍ଡୁ, ବଟକୃଷ୍ଣ ସ୍ଵାଇଁ, ମାନସ ପ୍ରଧାନ, ବଂଶିଧର ପରିଡା , ନିରଞ୍ଜନ ମହାନ୍ତି, ପାର୍ଥ ସାରଥି , ଡଃ ଶ୍ରୀଚରଣ ବେହେରା ପ୍ରମୁଖ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର