କେନ୍ଦ୍ରାପଡ଼ା,୦୭୦୭/୨୦୨୧(ଓଡ଼ିଶା ସମାଚାର)- ଦିନକୁଦିନ ପରିବେଶ ବିଗିଡିବାରେ ଲାଗିଛି ।କେନ୍ଦ୍ରାପଡା ଜିଲ୍ଲାର ଗତ କିଛି ବର୍ଷ ପୂର୍ବରୁ ଚାରିଆଡେ ବୃକ୍ଷଲତା ପୂର୍ଣ୍ଣ ସବୁଜିମା ଭରି ରହିଥିବା ବେଳେ ପ୍ରଶାସନର ନିରବତା ଯୋଗୁଁ ମାଫିଆମାନେ ବୃକ୍ଷଲତା କାଟି ଧ୍ୱଂସ କରିଦେବା ଦ୍ୱାରା ଏବେ କେନ୍ଦ୍ରାପଡା ଅଂଚଳଟି ଉତପ୍ତ ଅଂଚଳ ପାଲଟିଥିବା ନେଇ ଜନଶକ୍ତି ପାର୍ଟି ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି । ଏନେଇ ପାର୍ଟିର ରାଜ୍ୟ ସଭାପତି ଆଇନଜିବି ପ୍ରଦିପ କୁମାର ଦାଶ ଅଭିଯୋଗ କରିଛନ୍ତି ଯେ ୧୯୯୯ ମହାବାତ୍ୟା ପୂର୍ବରୁ ଜିଲ୍ଲାର ସମୁଦ୍ର ଉପକୂଳରେ ହେନ୍ତାଳ ବଣକୁ କାଠମାଫିଆମାନେ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସଲାସୁତୁରାରେ କାଟି ବିକିଦେଲେ । ମହାବାତ୍ୟା ପରେ ସରକାର ଓ ପ୍ରଶାସନ ଏ ଅଂଚଳରେ ଜଙ୍ଗଲ ସୃଷ୍ଟିର ଗୁରୁତ୍ୱ୍ୱକୁ ବୁଝିବାକୁ ବାଧ୍ୟ ହୋଇ ବୃକ୍ଷରୋପଣ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଥିଲେବି ଜଙ୍ଗଲ ବିଭାଗ ଜାଣତରେ ସିଂହଭାଗ ଅର୍ଥ ଆତ୍ମସାତ ହେଉଥିବା ପାର୍ଟି ପକ୍ଷରୁ ଅଭିଯୋଗ ହୋଇଛି । ବେସରକାରୀ ଭାବେ ବୃକ୍ଷରୋପଣ କରାଯାଉଥିଲେ ହେଁ ସରକାରୀ ଜମି ଓ ଅନୁଷ୍ଠାନ ପରିସରରେ ସେହିସବୁ ଗଛ ଯତ୍ନ ଅଭାବରୁ ମରିଯାଉଛି । କିନ୍ତୁ ଦୁଃଖର କଥା କାଠ ମାଫିଆମାନେ ଦୈନିକ ଶହ ଶହ ଗଛ କାଟି ବିକୁଛନ୍ତି । ରାସ୍ତା ନିର୍ମାଣ ଓ ସଂପ୍ରସାରଣ ସମୟରେ ମଧ୍ୟ ପ୍ରତିବର୍ଷ ହଜାର ହଜାର ବଡଗଛ କଟାଯାଉଛି । ରାସ୍ତା ପାଶ୍ୱର୍ରେ ତୁରନ୍ତ ବୃକ୍ଷରୋପଣ କରାଯିବାକୁ ସରକାରଙ୍କ ନିୟମ ଥିଲେବି ତାହା କଡାକଡି ଭାବେ ପାଳନ ହୁଏନାହିଁ । ଫଳରେ ଅମ୍ଳଜାନର ମାତ୍ରା ହ୍ରାସ ପାଇବା ସହ ଶ୍ୱାସଜନିତ ବିଭିନ୍ନ ରୋଗ ବୃଦ୍ଧି ପାଉଛି ଓ ତାପମାତ୍ରା ବଢିଚାଲିଛି । ରାଜ୍ୟ ସରକାର ଏଦିଗରେ ବାସ୍ତବ ପଦକ୍ଷେପ ନନେଲେ ପାର୍ଟି ପକ୍ଷରୁ ପରିବେଶ ବଂଚାଓ ଆନ୍ଦୋଳନ କରାଯିବ ବୋଲି ସଭାପତି ଶ୍ରୀ ଦାଶ କହିଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ପରିବେଶର ସୁରକ୍ଷା ନିମନ୍ତେ ଏକମାସ ଧରି ବୃକ୍ଷବିପ୍ଳବ କାର୍ଯ୍ୟକ୍ରମ ଜାରିରହି ଚାରାରୋପଣ କରାଯିବ ବୋଲି ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି । ପାର୍ଟି ପକ୍ଷରୁ ଗରାପୁର ଭିଆଇପି ରୋଡରୁ ଆରମ୍ଭ ହୋଇଥିବା ଚାରାରୋପଣ କାର୍ଯ୍ୟକ୍ରମ ଚାନ୍ଦୋଳ, ଚଉଦକୁଲାଟ, ଗୟାସପୁର ପ୍ରଭୃତି ଅଂଚଳରେ କରାଯାଇଥିବା ବେଳେ ଏଥିରେ ସୂର୍ଯ୍ୟମଣୀ ପଣ୍ଡା, ରମେଶ ଥାଟୋଇ, ଅଶୋକ ରାଉତ, ବିବେକ ନାୟକ,ଧରଣୀଧର ସାହୁ, ବନମାଳି ମଳିକ, ଅମର ବିଶ୍ୱାଳ, ନାରାୟଣ ମଳିକ,ଦୁଷ୍ମନ୍ତ ଦାସ, ସୁବାଷ ରାଉତ, ତ୍ରିଲୋଚନ ନାୟକ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର