ମାହାଙ୍ଗା ୦୬/୦୭/୨୦୨୧(ଓଡ଼ିଶା ସମାଚାର)- ମାହାଙ୍ଗା ଥାନା ନିକଟରେ ଥିବା ମାହାଙ୍ଗା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଅପରାହ୍ନରେ କୋଭିଡ ଟିକାଦାନ ଚାଲିଥିବା ବେଳେ ପାଖ ଗ୍ରାମର ଦୁଇଜଣ ମଦ୍ୟପ ଆକଣ୍ଠ ମଦ୍ୟପାନ କରି ଅତ୍ୟନ୍ତ ନିଶାଗ୍ରସ୍ଥ ଅବସ୍ଥାରେ ଆସି କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜୋରଜବରଦସ୍ତ କେତେକଙ୍କୁ ଟିକାଦେବାକୁ ବାଧ୍ୟ କରିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲାକି ଏହି ମଦ୍ୟପଙ୍କ ଏହି କାଣ୍ଡ ସମୟରେ ମାହାଙ୍ଗା ପୋଲିସ ନୀରବଦ୍ରଷ୍ଠା ସାଜିଥିବାରୁ ସାଧାରଣରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି ।
ଖବରରୁ ଜଣାଯାଏ କି ମାହାଙ୍ଗା ଗୋଷ୍ଠୀସ୍ବାସ୍ଥ୍ୟରେ ଆଜି କୋଭିଡ ଟିକାକରଣ ଚାଲିଥିବା ବେଳେ ଅପରାହ୍ନରେ ୪୫ ବର୍ଷ ରୁ ଉର୍ଦ୍ଧ୍ବ ଲୋକ ମାନଙ୍କୁ ପ୍ରଥମ ମାତ୍ର। ଓ ଦ୍ୱିତୀୟ ମାତ୍ର। ଟିକ। ଦିଆଯାଉଥିଲା । ଏହି ସମୟରେ ସ୍ଥାନୀୟ ଗ୍ରାମର ୨ ଜଣ ମଦ୍ୟପ ଟିକାଦାନ ସ୍ଥଳରେ ଆସି କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ମା ‘ ଓ ଭଉଣୀଙ୍କୁ ଲଗାଇ ଗାଳିଗୁଲଜ କରିଥିଲେ ।
ଏହି ମଦ୍ୟପ ଦ୍ବୟ ନିଶାଗ୍ରସ୍ଥ ଅବସ୍ଥାରେ ସେମାନଙ୍କ ସହ ଆଣିଥିବା କିଛି ଲୋକଙ୍କୁ ଜୋର ଜବରଦସ୍ତ ଟିକା ପ୍ରଦାନ ଲାଗି କର୍ମଚାରୀଙ୍କୁ ବାଧ୍ୟ କରିଥିଲେ । କର୍ମଚାରୀମାନେ ଏଥିରେ ରାଜି ନହେବାରୁ ସେମାନେ ମାରଧର କରିବାକୁ ଧମକ ଦେବାରୁ ବାଧ୍ୟହୋଇ କର୍ମଚାରୀମାନେ କେତେକ ଲୋକଙ୍କୁ ନିୟମ ବାହାରେ ଯାଇ ଟିକାଦାନ କରିଥିଲେ ।
ଏହି ସମୟରେ ସେଠାରେ ବିଶୃଙ୍ଖଳା ଦେଖାଯାଇଥିଲା। ଲାଇନରେ ଦୀର୍ଘ ସମୟ ଧରି ଖରା ଗରମରେ ଛିଡ଼ା ହୋଇଥିବା ବୃଦ୍ଧ ବୃଦ୍ଧାଙ୍କ ସମେତ ଅନ୍ୟମାନେ ଭାରି ଅଶ୍ଵସ୍ଥିବୋଧ କରିବା ସହ କେତେକ ହତାଶ ହୋଇ ଫେରିଥିଲେ ।
ସବୁଠୁ ଆଶୋଭନୀୟ ଦୃଶ୍ୟ ଥିଲା ଯେ ସେଠାରେ ମଦ୍ୟପଙ୍କ ଉତ୍ପାତ ଚାଲିଥିବାବେଳେ ମାହାଙ୍ଗା ଥାନା ପୋଲିସ କର୍ମଚାରୀ ଏହାକୁ ଉପଭୋଗ କରିଥିଲେ । ୫୦୦ ମିଟର ଦୂରରେ ଥିବା ଥାନାକୁ ଜଣାଇ ଫୋର୍ସ ମଗାଇବାକୁ କେତେକ ଲୋକ ସଂପୃକ୍ତ ପୋଲିସ କର୍ମଚରୀଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେ କର୍ଣ୍ଣପାତ କରିନଥିଲେ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଭାବ ଦେଖାଦେଇଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ମହଲରେ ହତାଶଭାବ ଖେଳି ଯାଇଛି ।
ଏଠାରେ ସୂଚନା ଯୋଗ୍ୟକି ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଜଣେ ବିଶୃଙ୍ଖଳିତ କର୍ମଚାରୀଙ୍କୁ ନିକଟରେ ବଦଳି କରାଯାଇଛି । ସେ କଟକରେ ରହି ମାହାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ତାଙ୍କର ଜଣେ ମହିଳା ସାଥିଙ୍କୁ ଧରି ଏଭଳି ବିଶୃଙ୍ଖଳିତ କାଣ୍ଡ ବାରମ୍ବାର ଘଟାଉ ଥିବାର ଅନୁସନ୍ଧାନରୁ ଜଣାପଡ଼ିଛି ।
ମହାମାରୀ ସମୟରେ ଏଭଳି ହରକତ ଭିଆଇଥିବା ମଦ୍ୟପ ଦ୍ବୟ ଏବଂ ତାଙ୍କ କାରନାମାକୁ ଦେଖୁଥିବା ମାହାଙ୍ଗା ପୋଲିସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର