ମାହାଙ୍ଗା, ୦୬/୦୭/୨୦୨୧ (ଓଡିଶା ସମାଚାର / ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ବ୍ଳକ ଅନ୍ତର୍ଗତ ଭେଡ଼ା ରାମକୃଷ୍ଣ ପୁର ସ୍ଥିତ ଜଟାଧାରୀ ଆଶ୍ରମରେ ଆଶ୍ରମର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ଠାକୁର ଆତ୍ମାରାମ ଦାସଙ୍କ ୨୨ତମ ବ୍ରହ୍ମ ଲୀନ ମହୋତ୍ସବ ଏକ ଶାନ୍ତ ମନୋଜ୍ଞ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମହନ୍ତ ଗୁରୁ ରାମ ପ୍ରସାଦ ଦାସଙ୍କ ତତ୍ଵଵାଧନରେ ବେଦ ପାଠ , ଗୀତା ପାଠ ,ହୋମ ଯଜ୍ଞ ,ଭଜନ କୀର୍ତ୍ତନ ରେ ଆଶ୍ରମ ପରିସର ପ୍ରକମ୍ପିତ ହୋଇଉଠିଥିଲା ।ଏହି ଅବସରରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବରେ ସନ୍ଥ ଅସିମାନନ୍ଦ ସରସ୍ଵତୀ ,ଗୀତିକାର ବିଶେଶ୍ୱର ମହାନ୍ତି ,ଶିକ୍ଷାବିତ୍ ଅଶୋକ କୁମାର ମହାନ୍ତି ଓ ସତ୍ୟ ସାଇ ସେବା ସଂଗଠନ ବାଲିଚନ୍ଦ୍ର ପୁର ର ସଦସ୍ୟ ପ୍ରଶାନ୍ତ କୁମାର ସାମଲ ପ୍ରମୁଖ ଯୋଗ ଦେଇ ଆତ୍ମାରାମ ଦେବଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଆଶ୍ରମର ଅନ୍ତେବାସୀ ଗଣ ଓ ଆତ୍ମାରାମ ବେଦ ପାଠଶାଳା ର ବିଦ୍ୟାର୍ଥୀ ମାନେ ସମବେତ କଣ୍ଠରେ ବେଦ ପାଠ କରିଥିଲେ । ସଂଯୋଜକ ଅଶୋକ କୁମାର ସାମଲ ବ୍ରହ୍ମ ଲୀନ ଦିବସର ମହତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ ।ଶ୍ରୀ ପର୍ଶୁରାମ ଓଝା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଆସିମାନନ୍ଦ ସରସ୍ଵତୀ ବିରୂପା ନଦୀ କୁଳର ଏହି ଶ୍ରୀରାମ କ୍ଷେତ୍ର ମାଳିକା ବର୍ଣ୍ଣିତ କ୍ଷେତ୍ର ବୋଲି କହିବା ସହ ବାବା ଠାକୁର ଆତ୍ମାରାମ ଦାସଙ୍କ ମହିମା ବିଷୟରେ ଆଲୋକପାତ କରିଥିଲେ ।
ଶେଷରେ ଜଟାଧାରୀ ଆଶ୍ରମ ସହଯୋଗରେ ସାଇ ଶାନ୍ତି ଚକ୍ଷୁ ଚିକିତ୍ସାଳୟ ର ଡାକ୍ତର ବିଷ୍ଣୁ ପ୍ରସାଦ ସରଙ୍କ ସହାୟତାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା ।ଏଥିରେ ୧୪ ଜଣ ଚକ୍ଷୁ ରୋଗୀଙ୍କୁ ନିଃଶୁକ୍ଳ ଅସ୍ତ୍ରୋପଚାର କରି ତାଙ୍କୁ ଘରକୁ ପଠାଇଥିଲେ ।ଆଶ୍ରମ ପରିଚାଳନା କମିଟି ଏହି ନିଆରା କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ଆଖ ପାଖ ତଥାସାଧାରଣ ରେ ପ୍ରଶଂସା କରାଯାଇଛି । ଓଡ଼ିଶା ସମାଚାର
