Tuesday , October 3 2023
Breaking News
Home / ବିଶେଷ / ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିର୍ଦ୍ଧେଶ ଅବମାନନା : କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ କୈଫିୟତ ତଲବ

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିର୍ଦ୍ଧେଶ ଅବମାନନା : କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ କୈଫିୟତ ତଲବ

କେନ୍ଦ୍ରାପଡ଼ା, ୦୫/୦୭/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ ଶିଶୁ ଅଧିକାର ଆୟୋଗଙ୍କ ନିର୍ଦେଶ ଜିଲ୍ଲା ପ୍ରଶାସନ ଅବମାନନା କରିବାରୁ ଆୟୋଗ ପ୍ରଶାସନକୁ କୈଫିୟତ ତଲବ କରିଛନ୍ତି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟଳିପଙ୍କସ୍ଥିତ ଲୁଥେରାନ ମହିଳା ସମିତି ଦ୍ୱାରା ପରିଚାଳିତ ଶିଶୁଯତ୍ନ ଅନୁଷ୍ଠାନର ଜନୈକ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମରୁ ଜନ୍ମିତ ଶିଶୁପୁତ୍ରର ନାର୍ଜ୍ୟ ଅଧିକାର ମାମଲାରେ ଓଏସସିପିସିଆର କେଶ ନଂ ୧୦୨/୨୦୨୧ରେ ଘଟଣାର ତଦନ୍ତ କରି ଆୟୋଗଙ୍କୁ ତା ୧୨.୦୪.୨୦୨୧ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାପାଇଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଗତ ମାର୍ଚ୍ଚମାସ ୩୦ ତାରିଖରେ ନିର୍ଦ୍ଧେଶ ଦେଇଥିଲେ । ଆୟୋଗ ଗତ ଅପ୍ରେଲ ମାସ ୫ତାରିଖରେ ନିଜେ ଲୁଥେରାନ ମହିଳା ସମିତିକୁ ଯାଇ ସଂପୃକ୍ତ ଘଟଣାର ତଦନ୍ତ କରିଥିଲେ । ତଦନ୍ତରୁ ଲୁଥେରାନ ମହିଳା ସମିତିର ସଭାପତି, ଶିଶୁ ଯତ୍ନ ଅନୁଷ୍ଠାନର ଅଧିକ୍ଷକ, ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ କରିଥିବା ସଭାପତିଙ୍କ ଭାଇ ଜଗନ୍ନାଥ ତ୍ରିପାଠୀ ଏବଂ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରିଥିବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ପି.ଓ.ଆଇ.ସି.ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନଥିବାରୁ ଆୟୋଗ ଜିଲ୍ଲାପାଳଙ୍କୁ କୈଫିୟତ ତଲବ କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଗତ ୨୭.୦୪.୨୦୨୧ରେ ଏକ ରିମାଇଣ୍ଡର ପଠାଇଥିଲେ ମଧ୍ୟ ତାହାର କୌଣସି ଉତର ଆୟୋଗ ପାଇନଥିବା ଦର୍ଶାଇଛନ୍ତି । ଅପରନ୍ତୁ ଗତ ୦୯.୦୪.୨୦୨୧ରେ ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଓ ଭାରପ୍ରାପ୍ତ ଜିଲ୍ଲ୍ା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନେଇ ଏକ ତଦନ୍ତ କମିଟି ଜିଲ୍ଲ୍ାପାଳ ଗଠନ କରି ପାଟଳିପଙ୍କ ଶିଶୁ ଯତ୍ନ ଅନୁଷ୍ଠାନର ସମାନ ଘଟଣା ସମ୍ପର୍କରେ ତଦନ୍ତ କରିବାକୁ ନିର୍ଦ୍ଧେଶ ଦେବା ଏବଂ ଶିଶୁଯତ୍ନ ଅନୁଷ୍ଠାନ ଓ ସା’ର ସମସ୍ତ ଅନ୍ତେବାସୀଙ୍କୁ ଆୟୋଗଙ୍କ ନିର୍ଦ୍ଧେଶକୁ ଉଲ୍ଲଘଂନ କରି ଓ ଶିଶୁଯତ୍ନ ଅନୁଷ୍ଠାନ, ସା’ର କମକର୍ତାଙ୍କୁ ପୂର୍ବରୁ ନ ଜଣାଇ ସ୍ଥାନାନ୍ତର କରାଯାଇଛି । ଛୋଟ ଛୋଟ ଶିଶୁମାନଙ୍କୁ ଧମକ ଦିଆଯାଇ ଜୋର ଜବରଦସ୍ତଭାବେ ସ୍ଥାନାନ୍ତର କରାଯିବା ଏବଂ ଅନୁଷ୍ଠାନର ଆୟାଙ୍କ ବିରୋଧ ସତ୍ୱେ ନାବାଳିକା ଅନ୍ତେବାସୀଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରୁ ସରକାରଙ୍କ କୋଭିଡ-୧୯ ନୀତି ନିୟମର ଉଲ୍ଲଘଂନ କରାଯାଇ ସ୍ଥାନାନ୍ତର କରଯାଇଥିବା ଆୟୋଗ କହିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଜିଲ୍ଲା ପ୍ରଶାସନ ଅନ୍ତେବାସୀ ଶିଶୁମାନଙ୍କର ଅଧିକାର, ସୁରକ୍ଷା ଓ ସ୍ୱାର୍ଥକୁ ଗୁରୁତ୍ୱ ନ ଦେଇ ସଂପୃକ୍ତ ଘଟଣାର ସାକ୍ଷ୍ୟ ପ୍ରାମାଣକୁ ନଷ୍ଟ କରିଦେବା ଉଦ୍ଧେଶ୍ୟରେ ଏବଂ ଘଟଣାର ସତ୍ୟତାକୁ ଚପାଇ ଦେବା ପାଇଁ ଏଭଳି କରିଥିବା ଆୟୋଗ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଥି ସହିତ ଅଭିଯୁକ୍ତଙ୍କୁ ଜିଲ୍ଲା ପ୍ରଶାସନ ସୁରକ୍ଷା ଦେଉଛନ୍ତି ବୋଲି ଆୟୋଗ ଉଲ୍ଲେଖ କରିଛନ୍ତି । ସାକ୍ଷୀମାନଙ୍କୁ ପ୍ରଭାବିତ ଓ ଅନ୍ତେବାସୀମାନଙ୍କୁ ଭୟଭୀତ କରିବା ପାଇଁ ପ୍ରଶାସନ ବିଧିବଦ୍ଧ କାରସାଦି କରିଛି । ସଂପୃକ୍ତ ମହିଳା କର୍ମଚାରୀଙ୍କ ସନ୍ତାନକୁ ନ୍ୟାୟ ଦେବା ଏହି ମାମଲାର ଉଦ୍ଧେଶ୍ୟ ଥିବା ବେଳେ ଚତୁରତାର ସହିତ ଜିଲ୍ଲା ପ୍ରଶାସନ ଏହି ମାମଲାର ପ୍ରକ୍ରିୟାକୁ ନଷ୍ଟ କରିବା ପାଇଁ ଯୋଜନା କରିଛି । ଯାହା କି ଆନଇକୁ ଆଖିଠାର ସେଙ୍ଗ ସମାନ । ଏଥିପାଇଁ ଆୟୋଗ ଜିଲ୍ଲା ପ୍ରଶାସନକୁ ୭ସୁତ୍ରୀ କୈଫିୟତ ମାଗିଛନ୍ତି । ସେଗୁଡିକ ହେଉଛି କାହିଁକି ଆୟୋଗଙ୍କ ବାରମ୍ବାର ତାଗିଦ୍ ସତ୍ୱେ ବି ତଦନ୍ତ ରିପୋର୍ଟ ଅଦ୍ୟାବଧି ପ୍ରଦାନ କରାଯାଇ ନାହିଁ, ମାମଲରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ, ଆୟୋଗଙ୍କ ନିର୍ଦ୍ଧେଶ କାହିଁକି ପାଳନ କରାଯାଇ ନାହିଁ, ଆୟୋଗଙ୍କ ତଦନ୍ତକୁ ଉଲ୍ଲଘଂନ କରି କେଉଁ ଆଇନ ବଳରେ ଜିଲ୍ଲା ପ୍ରଶାସନ ଏକ ଟିମ୍ ଗଠନ କରି ସମାନ ଘଟଣାର ତଦନ୍ତ କରିଛି, ଆୟୋଗଙ୍କ ତଦନ୍ତ ଚାଲିଥିବା ବେଳେ ପ୍ରଶାସନ କେଉଁ କ୍ଷମତା ବଳରେ ଆୟୋଗଙ୍କୁ ପୂର୍ବ ସୂଚନା ନ ଦେଇ ଏବଂ ଲୁଥେରାନ ମହିଳା ସମିତିର କର୍ମକର୍ତାଙ୍କୁ ନ ଜଣାଇ ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନଙ୍କୁ ସ୍ଥାନାନ୍ତର କରିଛି, କେଉଁ ନିର୍ଦ୍ଧେଶ ବଳରେ ଜିଲ୍ଲା ପ୍ରଶାସନ ଲୁଥେରାନ ମହିଳା ସମିତିର ଶିଶୁଯତ୍ନ ଅନୁଷ୍ଠାନ ଓ ସା’ର ଶିଶୁ ଓ ଅନ୍ତେବାସୀମାନଙ୍କୁ ସ୍ଥାନାନ୍ତର କରିଛି, ଲୁଥେରାନ ମହିଳା ସମିତିର ଶିଶୁଯତ୍ନ ଅନୁଷ୍ଠାନ ଓ ସା’ର ଅନ୍ତେବାସୀମାନଙ୍କୁ ସ୍ଥାନାନ୍ତର କରାଯିବା ବେଳେ କାହିଁକି ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ପାଳନ କରି ନଥିଲେ ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଜିଲ୍ଲା ପ୍ରଶାସନକୁ କୈଫିୟତ ତଲବ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *