ପାଟକୁରା,୦୪/୦୭/୨୦୨୧(ଓଡ଼ିଶା ସମାଚାର)-ଚଳିତ ବର୍ଷ ରାଜ୍ୟକୁ ଠିକ୍ ସମୟରେ ମୌସୁମୀ ଅସିଥିବାରୁ ଚାଷୀକୂଳରେ ଆନନ୍ଦ ପ୍ରକାଶ ପାଇଥିଲା । ରାଜ୍ୟରେ ମୌସୁମୀ ପ୍ରବେଶ ପରେ ପରେ ଅଂଚଳରେ ଭଲ ଧରଣର ବର୍ଷା ହୋଇଯାଇଥିବାରୁ ଚାଷୀମାନେ ଚାଷ କାର୍ଯ୍ୟ ପାଇଁ ତତ୍ପରତା ପ୍ରକାଶ କରି ଧାନ ତଳି ପକାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଲେ । ମୌସୁମୀ ବର୍ଷାରେ ଅନେକ ଚାଷୀମାନେ ଜମିରେ ତଳି ଘେରା ପ୍ରସ୍ତୁତି କରିଛନ୍ତି । ମାତ୍ର ଏବେ ବର୍ଷାର ଲୁଚକାଳି ଖେଳ ଯୋଗୁଁ ଚାଷୀ ମହଲରେ ଚିନ୍ତା ପ୍ରକାଶ ପାଇଛି । ଚାଷୀମାନେ ଅଧିକ ଅମଳକ୍ଷମ ଧାନ ବିହନ ସଂଗ୍ରହ କରି ଅନେକ ଜମିରେ ଧାନ ଘେରା ପ୍ରସ୍ତୁତି କରିଥିଲେ । କେତେକ ଜମିରେ ତଳି ଘେରା ପ୍ରସ୍ତୁତି ହୋଇଥିଲେ ମଧ୍ୟ ବର୍ଷା ଅଭାବରୁ ଧାନ ତଳି ପଡିବାରେ ସମସ୍ୟା ଉପୁଜିଛି । ପାଣି ଅଭାବରୁ ତଳି ପକାଯାଇଥିବା କ୍ଷେତକୁ ପାଣି ଯୋଗାଇ ଦିଆଯାଇ ପାରୁ ନାହିଁ । ଏହି ଚିନ୍ତାରେ ପଡିଛି ଚାଷୀ । ଅକ୍ଷୟ ତୃତୀୟା ଠାରୁ ଖରିଫ ଚାଷର ଶୁଭାରମ୍ଭ ହୋଇଥାଏ । ବର୍ଷାର ଲୁଚକାଳି ଖେଳ ଏବେ ଚାଷୀମାନଙ୍କ ମଧ୍ୟରେ ନିରାଶ ଭାବ ସୃଷ୍ଟି କରିଛନ୍ତି । ଗତ ସପ୍ତାହରୁ ଅଂଚଳରେ ମେଘୁଆ ପାଗ ଲାଗି ରହିବା ସହିତ ଦିନେ ଦୁଇ ଦିନ ଅନ୍ତରରେ ହେଉଥିବା ବର୍ଷା ଚାଷୀ ମନରେ କିଛି ମାତ୍ରାରେ ଆଶା ସଂଚାର କରୁଥିବାବେଳେ,ତାହା ଯଥେଷ୍ଟ ନୂହେଁ । ଚଳିତ ବର୍ଷ ସ୍ୱାଭାବିକ ପରିମାଣରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ଗରଦପୁର ବ୍ଳକ ଅଂଚଳରେ ପ୍ରାୟ ୭ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯିବାର କୃଷି ବିଭାଗ ଲକ୍ଷ୍ୟ ରଖିଥିବାବେଳେ, ସେଥିମଧ୍ୟରୁ ପ୍ରାୟ ଦୁଇ ହଜାର ହେକ୍ଟର ଜମିରେ ଅଣ ଧାନ ଚାଷ କରାଯିବା ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖିଛି । ଏହି ଅଂଚଳରେ ଜଳସେଚନର ସୁବିଧା ନ ଥିବାବେଳେ,କେତେକ ସ୍ଥାନରେ ଉଠା ଜଳସେଚନ ପ୍ରକଳ୍ପ ରହିଛି । ଉଠା ଜଳସେଚନ ପ୍ରକଳ୍ପଗୁଡିକ ଅନେକ ସ୍ଥାନରେ ଅଚଳ ଅବସ୍ଥାରେ ପଡି ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଅଚଳ ପ୍ରକଳ୍ପଗୁଡିକୁ ସଚଳ କରିବା ପାଇଁ ତତ୍ପରତା ପ୍ରକାଶ କରୁ ନାହାଁନ୍ତି । ପର୍ଯ୍ୟାପ୍ତ ଜଳସେଚନର ସୁବଧା ନ ଥିବାରୁ ଚାଷୀମାନେ ଅନେକ ସ୍ଥାନରେ ପାରମ୍ପାରିକ ଧାନ ଚାଷ କରିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି । କୃଷି ବିଭାଗ ଓ କୃଷକମାନଙ୍କ ମଧ୍ୟରେ ଅନେକ ସମୟରେ ସମନ୍ୱୟର ଅଭାବ ପରିଲକ୍ଷିତ ହେଉଛି । ଚାଷୀମାନେ ଠିକ୍ ସମୟରେ ଆବଶ୍ୟକ କରୁଥିବା ବିହନ ଓ ରସାୟନିକ ସାର ପାଇ ପାରୁ ନାହାଁନ୍ତି । ଅପରପକ୍ଷରେ କୃଷି କ୍ଷେତ୍ର ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ନୂଆ ନୂଆ ଯୋଜନା ଓ କୃଷି ପ୍ରଣାଳୀ ସମ୍ପର୍କରେ କୃଷକମାନେ ଜାଣି ପାରୁ ନାହାଁନ୍ତି । କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କ ମଧ୍ୟରେ ଆଧୁନିକ ଚାଷ ପ୍ରଣାଳୀ ସମ୍ପର୍କରେ ସଚେତନତା କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ମାତ୍ର ବ୍ଲକ କୃଷି କାର୍ଯ୍ୟାଳୟରେ ଆବଶ୍ୟକ କୃଷି କର୍ମଚାରୀମାନଙ୍କର ଅଭାବ ରହିଥିବାରୁ ଏହା ବିଷେଶ ଭାବରେ ଫଳପ୍ରଦ ହୋଇ ପାରୁ ନାହିଁ । କୃଷିର ବିକାଶ ଲାଗି ସରକାର ପଦକ୍ଷେପ ନେବା ପାଇଁ ଚାଷୀ ମହଲରୁ ଦାବି କରାଯାଇଛି । ଓଡ଼ିଶା ସମାଚାର