ଭୁବନେଶ୍ୱର,୦୪/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ନିଜେ ଏକଦା କହୁଥିଲେ କରୋନାରେ ଲକଡ଼ାଉନ ଶେଷ ଅସ୍ତ୍ର ନହେଉ । ହେଲେ ଲକଡ଼ାଉନ ଅବଧି ସରକାର ବଢାଇ ଚାଲିଛନ୍ତି । ଲକଡ଼ାଉନ ଏବେ କରୋନା ଠାରୁ ଅଧିକ ଭୟଙ୍କର ହୋଇଛି । କାରଣ କରୋନା ରୋଗର ଭୟ ସୃଷ୍ଟି କରୁଥିବା ବେଳେ ଲକଡ଼ାଉନ ଲୋକଙ୍କୁ ଭୋକରେ ମାରିଲାଣି । ବସ୍ ମାଲିକ, ଚାଷୀ, କପଡ଼ା ବ୍ୟବସାୟୀ, ସହରରେ କାମ କରୁଥିବା ଦିନ ମଜୁରିଆ, ସେଲୁନ, ସ୍ପା, କଳାକାରମାନଙ୍କ ଅବସ୍ଥା ସଙ୍ଗୀନ ହୋଇଛି । ସରକାର କେବଳ ରୋଗ କଥା ଚିନ୍ତା କରୁଥିବା ବେଳେ ଲୋକଙ୍କୁ ରୋଜଗାର କିଏ ଦେବ ବୋଲି ନବନିର୍ମାଣ କୃଷକ ସଂଗଠନ କେନ୍ଦ୍ରୀୟ ସଂଯୋଜକ ଅକ୍ଷୟ କୁମାର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଲକଡ଼ାଉନ କ୍ଷତିଗ୍ରସ୍ତ ଲୋକଙ୍କୁ ୟୁଏସଏ ଟଙ୍କା ବାଂଟୁଛି, ଦକ୍ଷିଣ ଆଫି୍ରକା, ପାକିସ୍ତାନ ଭଳି ଦେଶ ଲକଡ଼ାଉନକୁ ବାତିଲ କରିଥିଲେ । ହେଲେ ଅର୍ଥନୀତି ଓ ଜନତାଙ୍କ ସ୍ଥିତିକୁ ବିଚାରକୁ ନ ନିଆଯାଇ ଆଖିବୁଜା ଲକଡ଼ାଉନ ବଢାଇ ଚାଲିଛନ୍ତି । ଜୀବନ ବଂଚାଇବା ନାମରେ ଜୀବନର ମୂଳ ଆଧାର ଜୀବିକାକୁ ସମାପ୍ତ କରିଦେବା ଆଦୌ ସମୀଚିନ ନୁହେଁ । ଜୀବିକା ଯାଉ-ଜୀବନ ଥାଉ ନୀତି ଲକ୍ଷ ଲକ୍ଷ ଲୋକଙ୍କ ଭାତହାଣ୍ଡି ଉଜାଡ଼ି ସାରିଲାଣି । ଯେଉଁ ୫ରୁ ୭ ଶତକଡ଼ା ଲୋକ ଆର୍ଥିକ ସୁରକ୍ଷା ବଳୟରେ ଅଛନ୍ତି, ସେମାନଙ୍କୁ ଛାଡ଼ି ସମସ୍ତଙ୍କୁ ଜୀବିକା ସୁରକ୍ଷା ଭତା ଦେବାକୁ ଅକ୍ଷୟ କୁମାର ଦାବି କରିଛନ୍ତି । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ସରକାରୀ କର୍ମଚାରୀମାନଙ୍କୁ ଆର୍ଥିକ ସଙ୍କଟ ବେଳେ ପୂର୍ଣ୍ଣ ଦରମା ଦିଆଯାଇଛି, ଅଥଚ ଲୋକଙ୍କ ଅକଥନୀୟ ଆର୍ଥିକ ଦୁର୍ଦ୍ଧଶା ଦେଖିପାରୁ ନାହାଁନ୍ତି । ସବୁ ସଟଡ଼ାଉନ ଓ ଲକଡ଼ାଉନ ହେଲା ବେଳେ ଖଣିଜ ସାମଗ୍ରୀ, ଲଘୁ ଖଣିଜ ଓ ବାଲି ବୁହା କାହିଁକି ଚାଲିଛି ଓ ଏହା କଣ କରୋନା ଅନ୍ତର୍ଭୁକ୍ତ କି ନୁହେଁ ବୋଲି ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ପ୍ରଶ୍ନ ଉଠାଇଛନ୍ତି । କରୋନା ସମୟରେ ରେକର୍ଡ଼ ଖଣିଜ ରାଜସ୍ୱ ଆଦାୟ ହୋଇଛି ବୋଲି କହୁଛ, ସେ ଅର୍ଥରେ ଚାଷୀ, ବ୍ୟବସାୟୀ, କଳାକାର ଓ ସମସ୍ତ ବର୍ଗଙ୍କୁ ଜୀବିକା ସୁରକ୍ଷା ଭତା ମାସକୁ ୫ ହଜାର ଟଙ୍କା ଦେବାକୁ ସଂଗଠନ ଦାବି କରିଛି । ନଚେତ୍ ଜୁଲାଇ ୮ ତାରିଖରେ ଭୁବନେଶ୍ୱର ଚାଷୀ ସଂଗଠନ ସହ ସମସ୍ତ ସଂଗଠନ ଏକଜୁଟ ହୋଇ ପ୍ରତିବାଦ କରିବେ ବୋଲି ଅକ୍ଷୟ କୁମାର କହିଛନ୍ତି । ଓଡ଼ିଶା ସମାଚାର