Tuesday , December 6 2022
Home / କୃଷି / ଘୁଷୁରିଆ ଜୋର ସେତୁ ଠାରେ ସ୍ଲୁଇସ୍ ଗେଟ୍ ନିର୍ମାଣ ଦାବି

ଘୁଷୁରିଆ ଜୋର ସେତୁ ଠାରେ ସ୍ଲୁଇସ୍ ଗେଟ୍ ନିର୍ମାଣ ଦାବି

ପାଟକୁରା, ୦୪/୦୭/୨୦୨୧(ଓଡ଼ିଶା ସମାଚାର)- ଘୁଷୁରିଆ ଜୋରର ସେତୁ ଠାରେ ସ୍ଲୁଇସ୍ ଗେଟ୍ ନିର୍ମାଣ କରାଗଲେ ଉପର ଅଂଚଳରେ ଥିବା ପ୍ରାୟ ୭୦ ହେକ୍ଟର ଚାଷ ଜମିରେ ଜଳସେଚିତ ହୋଇପାରିବା ସହିତ ଜୋର ମଧ୍ୟରେ ରହୁଥିବା ପାଣିରେ ବିଭିନ୍ନ ଊତୁରେ ଧାନ ସହିତ ବିଭିନ୍ନ ଫସଲ ହୋଇ ପାରନ୍ତା ବୋଲି ଅଂଚଳର ବହୁ ବରିଷ୍ଟ ଚାଷୀମାନେ ମତ ପ୍ରକାଶ କରିଛନ୍ତି । ନୂଆପଡା-ଅନ୍ତେଇ ଆର.ଡି. ରାସ୍ତାର କିଣିଲୋ ଗ୍ରାମନିକଟରେ ଏକ ଅସୁରଖୋଳା ଜୋର ଉପରେ ଘୁଷୁରିଆ ସେତୁ ୮୦ ଦଶକରେ ନିର୍ମାଣ କରାଯାଇଛି । ଏହି ସେତୁ ଉପର ଦେଇ ଅଂଚଳର ଲୋକମାନେ ଯାତାୟତର ସୁବିଧା ପାଉଥିଲେ ମଧ୍ୟ,ଏହି ସେତୁରେ ସ୍ଲୁଇସ୍ ଗେଟ୍ ନିର୍ମାଣ କରାଯାଇ ନ ଥିବାରୁ ବର୍ଷା ଦିନମାନଙ୍କରେ ଜୋରର ଉପର ଅଂଚଳରୁ ଆସୁଥିବା ବର୍ଷା ପାଣି ତଳ ଅଂଚଳକୁ ସହଜରେ ନିଷ୍କାସିତ ହୋଯାଉଛି । ଫଳରେ ଧାନ ତଳି ପଡିବା ସମୟରେ ବର୍ଷାର ଅଭାବ କିମ୍ବା ମରୁଡି ସମୟରେ ହେଉ ଏହି ଯୋର ପାଣିକୁ ଚାଷୀମାନେ ବ୍ୟବହାର କରି ପାରୁନାହାଁନ୍ତି । ଘୁଷୁରିଆ ଜୋର ହେଉଛି,ବୃହତ୍ ଅସୁରଖୋଳା ଜୋରର ଏକ ଅଂଶ ବିଶେଷ । ଏହା ବେଡାରୀ ଠାରୁ ଆରମ୍ଭ ହୋଇ ଅସୁରଖୋଳାର ଶେଷ ଭାଗ ମହାକାଳପଡା ବ୍ଲକ ଅନ୍ତର୍ଗତ ଟିକରପଙ୍ଗା ପଂଚାୟତର କୁଳା ପର୍ଯ୍ୟନ୍ତ ଲମ୍ବିଛି । ବିଗତ ବର୍ଷରେ କଟକ ଡ୍ରେନେଜ୍ ବିଭାଗ ପକ୍ଷରୁ ବେଡାରୀ ଠାରୁ ଏହି ଜୋରର ଅଳ୍ପ କିଛି ଅଂଶ ତଳ ଆଡକୁ ଖୋଳା ଯାଇଛି ,ମାତ୍ର ପୂର୍ଣ୍ଣାଙ୍ଗ ଭାବରେ ଏହା ଖୋଳା ନ ଯାଇ ଅଧାପନ୍ତରିଆ ଭାବରେ ପଡି ରହିଛି । ତେଣୁ ଏହି ଜୋରର ଉପର ଅଂଚଳରେ ଥିବା ବେଡାରୀ, ଦଳୁଆଣି, ପାଇଲୋ, ଶ୍ରୀଚନ୍ଦନପୁର, ମନ୍ତେଇ, ଅନ୍ତେଇ ,କିଣିଲୋ ଓ ଗୋତ୍ରବିଲ୍ ଆଦି ଗ୍ରାମର ପ୍ରାୟ ୭୦ରୁ ଉଦ୍ଧ୍ୱର୍ ହେକ୍ଟର ଚାଷ ଜମି ରହିଛି । ବର୍ଷା ଦିନମାନଙ୍କରେ ଏହି ସବୁ ଚାଷ ଜମିରୁ ବର୍ଷା ପାଣି ଗଡିଯାଇ ଏହି ଘୁଷୁରିଆ ସେତୁ ମଧ୍ୟ ଦେଇ ତଳ ଅଂଚଳକୁ ଯାଉଛି । ଫଳରେ ଜୋର ମଧ୍ୟରେ ଆବଶ୍ୟକ ପାଣି ରହିପାରୁ ନାହିଁ । ତେଣୁ ମରୁଡି ସମୟରେ ଚାଷୀ ମାନଙ୍କ ମଧ୍ୟରେ ପାଣି ସମସ୍ୟା ଦେଖାଯାଉଛି । ଏଣୁ ଏହି ଜୋରର ଘୁଷୁରିଆ ସେତୁ ଠାରେ ଯଦି ସ୍ଲୁଇସ୍ ଗେଟ୍ ନିର୍ମାଣ କରାଯାଇ ପାରନ୍ତା ,ତେବେ ଏହି ଅଂଚଳର ଚାଷ ଜମିରେ ଆବଶ୍ୟକ ଜଳ ରହିବା ସହିତ ଚାଷ କାର୍ଯ୍ୟରେ ବ୍ୟବହୃତ ହୋଇ ପାରନ୍ତା । ତେଣୁ ଡ୍ରେନେଜ୍ ବିଭାଗ ପକ୍ଷରୁ ଏଠାରେଏକ ସ୍ଲଇସ୍ ଗେଟ୍ ନିର୍ମାଣ କରାଯିବା ପାଇଁ ଅଂଚଳବାସୀଙ୍କ ପକ୍ଷରୁ ଉଦୟନାଥ ଚୌଧୁରୀ ଦାବି ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.