କେନ୍ଦ୍ରାପଡ଼ା, ୨୯/୦୬/୨୦୨୧(ଓଡ଼ିଶା ସମାଚାର)- ପରିବହନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପାରାଦୀପ ଟ୍ରକ ମାଲିକ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ,ଅର୍ଥମନ୍ତ୍ରୀ ଓ ସଡକ ପରିବହନ ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସଡକ ପରିବହନ ବ୍ୟବସ୍ଥା ସାଧାରଣ ଜନତାଙ୍କ ପାଇଁ ଅତ୍ୟାବଶ୍ୟକ ସେବା ଯୋଗାଣ ସହ ଦେଶର ଅର୍ଥନୈତିକ ବ୍ୟବସ୍ଥାର ଏକ ଜୀବନରେଖା ସଦୃଶ । ପରିବହନ କ୍ଷେତ୍ରରେ ଦେଶର ୨୦କୋଟି ଲୋକଙ୍କୁ ପ୍ରତ୍ୟେକ୍ଷବା ପରୋକ୍ଷ ଭାବରେ ଏହା ନିଯୁକ୍ତି ଯୋଗାଇ ଦେଇଥାଏ । ବର୍ତମାନ କୋଭିଡ ସଂକ୍ରମଣ ସମୟରେ ପରିବହନ କ୍ଷେତ୍ରରେ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଅବକାରୀ କର ଓ ଭ୍ୟାଟ ହ୍ରାସ କରିଥିବା ବେଳେ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଦର କ୍ଷେତ୍ରରେ କର ହ୍ରାସ କରିବା ଉଚିତ ବୋଲି ସଂଘ କହିଛି । ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରର ସମାନତା ରଖାଯିବା ଏବଂ ତୈ୍ରମାସିକ ପେଟ୍ରୋଲ ଏବଂ ଡିଜେଲ ଦରର ସମୀକ୍ଷା କରାଯିବା, ବର୍ତମାନ ପରିସ୍ଥିତିରେ ଗାଡିର କିସ୍ତି ୬ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା, ଇ- ୱେବିଲ ପ୍ରତି ଶହେ କିଲୋମିଟର ପ୍ରତି ଏକଦିନର ବୈଧତା ରଖାଯିବା ଉଚିତ ବୋଲି ସଂଘ ଦାବି କରିଛି । ସଂଘର ଉପସଭାପତି ଶାରଦା ପ୍ରସନ୍ନ ରାଉତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର