କେନ୍ଦ୍ରାପଡ଼ା, ୨୯/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଘରୋଇ ବସମାଲିକ ସଙ୍ଘ ପକ୍ଷରୁ କୋଭିଡ-୧୯ ଲକଡାଉନ ସମୟରେ ଅତ୍ୟନ୍ତ ଦୁସ୍ଥିତି ପରିସ୍ଥିତି ଦେଇ ଗତି କରୁଥିବା ବସ କର୍ମଚାରୀମାନଙ୍କୁ ରାସନ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ବିଗତ ୩ମାସ ଧରି କୋଭିଡ ସଂକ୍ରମଣ ଯୋଗୁଁ ବସ ସେବା ବନ୍ଦ କରିଥିବାରୁ ବସ କର୍ମଚାରୀମାନେ କାମ ନପାଇ ସେମାନଙ୍କ ପରିବାର ଚଳାଇବାକୁ ଅତ୍ୟନ୍ତ କଷ୍ଟକର ପରିସ୍ଥିତି ମଧ୍ୟଦେଇ ଗତି କରୁଛନ୍ତି । ସେମାନଙ୍କ ପରିବାରକୁ ଦାନା ଯୋଗାଇବାରେ କର୍ମଚାରୀମାନଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି । ଅନ୍ୟ କେହି ମଧ୍ୟ ଏଭଳି ଅସୁବିଧା ସମୟରେ ସେମାନଙ୍କୁ ସହାୟତା ଯୋଗାଇଦେଇ ନାହାନ୍ତି । ରାଜ୍ୟ ଘରୋଇ ବସ ମାଲିକ ସଂଘ ଏଥିନିମନ୍ତେ ସେହି କର୍ମଚାରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି । କିନ୍ତୁ ଏପର୍ଯ୍ୟନ୍ତ ସେହି ଦାବି ପୁରଣ ହୋଇନାହିଁ । ଏଭଳି ପରିସ୍ଥିତିରେ ଜିଲ୍ଲାପାଳଙ୍କ ଜରିଆରେ ଘରୋଇ ବସ କର୍ମଚାରୀମାନଙ୍କୁ ଅନୁ୍ୟନ୍ୟ ୫ହଜାର ଟଙ୍କା ଲେଖାଁଏ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ସଙ୍ଘ ପକ୍ଷରୁ ସଭାପତି ରେବତୀରମଣ ଦାସ ଓ ସାଧାରଣ ସମ୍ପାଦକ ଅଶୋକ କୁମାର ଲେଙ୍କା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏଥିସହିତ ଏହି ଦାବିପତ୍ର କେନ୍ଦ୍ରାପଡା ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ମଧ୍ୟ ପ୍ରଦାନ କରାଯାଇଛି । ଓଡ଼ିଶା ସମାଚାର