ଗରଦପୁର,୨୮/୦୬/୨୦୨୧(ଓଡ଼ିଶା ସମାଚାର)- ବିଦ୍ୟାଳୟ ଚାରି ପାଶ୍ୱର୍ରେ ପ୍ରାଚୀର ନିର୍ମାଣ କରାଯିବା ପାଇଁ ପ୍ରାୟ ଏକ ବର୍ଷରୁ ଉଦ୍ଧ୍ୱର୍ ହେବ ଠିକାଦାର ଖାଲ ଖୋଳାଇ ଥିଲେ ମଧ୍ୟ ଆଜି ସୁଦ୍ଧା ବିଦ୍ୟାଳୟର ପ୍ରାଚୀର ନିର୍ମାଣ କରାଯାଉ ନ ଥିବାରୁ ଖୋଳା ଯାଇଥିବା ଖାଲରେ ମାଟି ପଡି କ୍ରମେ କ୍ରମେ ପୋତି ହେବାକୁ ଲାଗିଲାଣି । ଅଧିକାଂଶ ସମୟରେ ଖୋଳାଯାଇଥିବା ଏହି ଖାଲରେ ବୁଲା ଗାଈଗୋରୁ ଓ ଛେଳି ମେଣ୍ଢାଗୁଡିକ ପଡି ଆହତ ହେଉଥିବାର ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି । ପ୍ରକାଶ ଯେ,ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ମହମ୍ମୁଦା ଗ୍ରାମ ଠାରେ କାଳିଆଘାଇ ନଟବର ହାଇସ୍କୁଲ ୧୯୯୫ ମସିହାରେ ପ୍ରତିଷ୍ଠା କରାଯାଇଛି ।ଏହି ବିଦ୍ୟାଳୟରେ ୧୨୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି । ଏହି ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ରହିଛି । ମହମ୍ମୁଦା ଓ ଭାଟପଡାଗ୍ରାମ ଦ୍ୱୟର ସାନ ସାନ ପିଲାମାନେ ମଧ୍ୟ ଏହି ଅଙ୍ଗନୱାଡି କେନ୍ଦ୍ରକୁ ପାଠ ପଡିବା ପାଇଁ ଯାତାୟତ କରିଥାଆନ୍ତି । ଏବେ କରୋନା କଟକଣା ପାଇଁ ବିଦ୍ୟାଳୟଗୁଡିକ ଦୀର୍ଘ ଦିନ ହେଲା ବନ୍ଦ ରହିଛି । ରାସ୍ତା ପାଶ୍ୱର୍ରେ ରହିଥିବା ଏହି ବିଦ୍ୟାଳୟ ପରିସରରେ ପ୍ରାଚୀର ନିର୍ମାଣ କରାଯାଇ ନ ଥିବାରୁ ସ୍ଥାନୀୟ ଅଂଚଳର କେତେକ ଅସାମାଜିକ ଯୁବକମାନେ ରାତ୍ରୀ ସମୟରେ ବିଦ୍ୟାଳୟ ବରଣ୍ଡାରେ ଦୀର୍ଘ ସମୟ ବସି ରହି ବିଭିନ୍ନ ଚର୍ଚ୍ଚା ଆଲୋଚନା କରିବା ସହିତ ନିଶା ଦ୍ରବ୍ୟ ମଧ୍ୟ ବ୍ୟବହାର କରୁଥିବାର ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଏପରିକି ଗତ ତିନି ମାସ ପୂର୍ବରୁ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନୱାଡି କେନ୍ଦ୍ରର ତାଲା ଭାଙ୍ଗି ଦୁର୍ବୃତମାନେ ଚୋରି କରି ଥିଲେ । ପାଟକୁରା ଥାନାରେ ଏ ସମ୍ପର୍କରେ ମାମଲା ରୁଜୁ କରାଯାଇଛି । ଏପରିସ୍ଥିତିରେ ପ୍ରାୟ ଦେଢ ବର୍ଷ ହେବ ବିଦ୍ୟାଳୟ ପାଶ୍ୱର୍ରେ ପ୍ରାଚୀର ନିର୍ମାଣ କରାଯିବା ପାଇଁ ଠିକାଦାର ମାଟି ଖୋଳି କାର୍ଯ୍ୟ ଆରମ୍ଭ କରିବ ବୋଲି ରାସ୍ତା ପାଶ୍ୱର୍ ସ୍ଥାନରେ ଖାଲମାନ ସୃଷ୍ଟି କରିଛି । ଆଜି ପର୍ଯ୍ୟନ୍ତ ପ୍ରାଚୀର ନିର୍ମାଣ କାର୍ଯ୍ୟ କରାଯାଉ ନ ଥିବାରୁ ସୃଷ୍ଟି ହୋଇଥିବା ଖାଲଖମାରେ ଅନେକ ସମୟରେ ସ୍ଥାନୀୟ ଗ୍ରାମଗୁଡିକର ବୁଲା ଗାଇ ଗୋରୁ ଓ ଛେଳିମେଣ୍ଢା ପଡି ଆହତ ହେଉଥିବାର ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ଖୋଳାଯାଇଥିବା ଖାଲ ମଧ୍ୟ କ୍ରମେକ୍ରମେ ମାଟି ଧସି ପୋତି ହେବାରେ ଲାଗିଛି । ନିୟୋଜିତ ହୋଇଥିବା ଠିକାଦାର ମଧ୍ୟ ଦେଖା ଦେଉ ନ ଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ପଦ୍ମପୁର ପଂଚାୟତର ସରପଂଚ ସ୍ୱର୍ଣ୍ଣଲତା ରାଉତଙ୍କୁ ପଚାରିବାରେ ସେ କହନ୍ତି ଯେ,ଖୁବ୍ ଶୀଘ୍ର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ଏ ଦିଗରେ ଗରଦପୁର ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଶିକ୍ଷାବିତ୍ ଅନାଦି ଚରଣ ମହାନ୍ତି,ନିମାଇଁ ଚରଣ ବେହେରା,ସୁଧାକର ମହାନ୍ତି,ପ୍ରଫୁଲ୍ଲ କୁମାର ସାହୁ ଓ ଅଭୟ କୁମାର ମହାରାଜ ପ୍ରମୁଖ ଦାବି ଜଣାଇଛନ୍ତି । ଓଡ଼ିଶା ସମାଚାର