କେନ୍ଦ୍ରାପଡ଼ା, ୨୭/୦୬/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ପୂର୍ବରୁ ଅତ୍ୟାବଶ୍ୟକୀୟ ଜିନିଷର ଦରଦାମ ଯାହାଥିଲା ଏବେ ତାହା ବହୁମାତ୍ରାରେ ବୃଦ୍ଧି ପାଇଛି । ଏହାର କାରଣ ହେଉଛି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିପାଉଥିବାରୁ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଛି । ପରିବହନ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ଜିନିଷପତ୍ରର ମୂଲ୍ୟ ବୃଦ୍ଧି ପାଇଛି । ଏହି ମୂଲ୍ୟ ବୃଦ୍ଧି ମଧ୍ୟବିତ ପରିବାର ବର୍ଗଙ୍କୁ ଭୋକଉପାସରେ ରଖିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛି ରାଷ୍ଠ୍ରୀୟ ମଧ୍ୟବିତ ପରିବାର ମହାସଂଘ । ମହାସଂଘର ରାଜ୍ୟ ସଭାପତି ପ୍ରଦୀପ କୁମାର ମିଶ୍ର ଓ କେନ୍ଦ୍ରାପଡା ଜିଲ୍ଲା ସଭାପତି ନିରଞ୍ଜନ ପରିଡା ଅଭିଯୋଗ କରିଛନ୍ତି ଯେ ଦରଦାମ ନିୟନ୍ତ୍ରଣ ସରକାରଙ୍କ ହାତରେ ରହିଛି । ହେଲେ ସରକାର ଘରୋଇ କମ୍ପାନୀଙ୍କୁ ଫାଇଦା ଦେବା ପାଇଁ ଦରଦାମ ଉପରେ ଲଗାମ ରଖୁନାହାନ୍ତି । ସରକାରଙ୍କର ଏହି ମାନସିକତା ସମଗ୍ର ଦେଶ ପାଇଁ କ୍ଷତିକାରକ । କାରଣ ଏହି ପ୍ରଥା ବେଶୀଦିନ ଧରି ଚାଲିଲେ ଧନୀବ୍ୟକ୍ତି ଅଧିକରୁ ଅଧିକ ପୁଞ୍ଜିପତି ହେବେ । ଅପରପକ୍ଷରେ ମଧ୍ୟବିତ ଅଧିକରୁ ଅଧିକ ଗରିବ ହେବେ । ତେଣୁ ଏଭଳି ମହାମାରୀ ସମୟରେ ଲୋକଙ୍କ ପାଖରେ ଅର୍ଥ ରୋଜଗାରର ପନ୍ଥା ନଥିବା ବେଳେ ଦରଦାମ ବୃଦ୍ଧି ସମ୍ପୂର୍ଣ୍ଣ ଭାବେ ବେଆଇନ ଓ ରାଷ୍ଟ୍ର ବିରୋଧୀ ବୋଲି ମହାସଂଘର ସଭାପତି ଶ୍ରୀ ମିଶ୍ର ଓ ଜିଲ୍ଲା ସଭାପତି ଶ୍ରୀ ପରିଡା ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର