କେନ୍ଦ୍ରାପଡ଼ା, ୨୭/୦୬/୨୦୨୧(ଓଡ଼ିଶା ସମାଚାର)-ସଦର ଥାନା ଅନ୍ତର୍ଗତ ଗୋପଛକ ନିକଟରେ ରଞ୍ଜିତ ପତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୩ଜଣ ଗିରଫ ହୋଇଥିବା ସଦର ଥାନା ପକ୍ଷରୁ ସୂଚନା ମିଳିଛି । ଅଭିଯୋଗ ଅନୁଯାଇ ଭଗବାନପୁର (ସାନମଙ୍ଗଳା)ଗ୍ରାମର ବିଜୟ କୁମାର ପତ୍ରୀଙ୍କ ପୁଅ ରଞ୍ଜିତ ପତ୍ରୀଙ୍କୁ ଗୁରୁବାର ରାତିରେ ଗୋପଛକ ନିକଟରେ ଏକୁଟିଆ ପାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକଦେବା ସହ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସଦର ଥାନାରେ ତାଙ୍କ ପିତା ବିଜୟ ଅଭିଯୋଗ କରିଥିଲେ । ଫଳରେ ତାଙ୍କର ଦୁଇଟି ଗୋଡ, ଆଖି ଓ ମୁଣ୍ଡରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିଲା ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସଦର ଥାନା ପୋଲିସ ସେହି ଅଭିଯୋଗ ଉପରେ ଥାନା କେଶ ନମ୍ବର ୩୬୮/୨୦୨୧ରେ ଆଇପିସିର ଦଫା ୨୯୪, ୩୦୭ ଓ ୩୪ ସମେତ ୨୫ ଏବଂ ୨୭ ଆର୍ମସ ଆକ୍ଟ(ବେଆଇନ ମାରଣାସ୍ତ୍ର ରଖିବା)ଧାରାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । ରବିବାର ସେହି ଘଟଣାରେ ସଦର ଥାନା ପୋଲିସ ଦୁତିଆଳ ଗ୍ରାମର ଲିପୁ ଓରଫ ପ୍ରିତମ ସାହୁ(୨୮), ଗୋପ ଗ୍ରାମର ଟିକି ଉରଫ ଚନ୍ଦନ ପ୍ରଧାନ(୨୨) ଓ ବଡମଙ୍ଗଳା (ଚକଡା) ଗ୍ରାମର ଜଣେ ୧୭ବର୍ଷର ଜଣେ ନାବାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କେନ୍ଦ୍ରାପଡା ସଦର ଥାନା ଭାରପ୍ରାପ୍ତ ଇନସପେକ୍ଟର ପବିତ୍ର ମହାରଣା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର