ନୟାଗଡ ୨୬/୦୬/୨୦୨୧(ଓଡ଼ିଶା ସମାଚାର)- ନୟାଗଡ଼ର ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣେ ଅବକାରୀ ସବ-ଇନ୍ସପେକ୍ଟର ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଏନେଇ ନୟାଗଡ ଟାଉନ ଥାନାରେ ସଂପୃକ୍ତ ସବ-ଇନ୍ସପେକ୍ଟରଙ୍କ ବିରୁଦ୍ଧରେ ଏତଲା ଦିଆଯିବା ସହ ନୟାଗଡ ସାମ୍ବାଦିକ ସଂଘ ତାଙ୍କ ଗିରଫ ଦାବି କରିଛି ।
ପ୍ରାପ୍ତ ସୂଚନା ଅନୁସାରେ ଅବକାରୀ ବିଭାଗ ଦ୍ଵାରା ଜବତ ମଦର ଫଟୋ ଉତ୍ତୋଳନ କରୁଥିବା ବେଳେ ଅବକାରୀ ସବ ଇନ୍ସପେକ୍ଟର ଧନଞ୍ଜୟ ପାତ୍ର ନୟାଗଡ଼ର ନ୍ୟୁଜ୍ ୭ ପ୍ରତିନିଧି ଓ ଧରିତ୍ରୀ ଖବରକାଗଜ ସାମ୍ବାଦିକଙ୍କୁ ଧକ୍କା ମାରିବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ ।ଏ ସଂପର୍କରେ ନୟାଗଡ ଟାଉନ ଥାନାରେ ଅଭିଯୋଗ ହୋଇଛି । କାର୍ୟ୍ୟରତ ସାମ୍ବାଦିକଙ୍କ ଉପରେ ଏଭଳି ଆକ୍ରମଣକୁ ନୟାଗଡ ସହରର ସାମ୍ବାଦିକ ସଂଘ ଦୃଢ ନିନ୍ଦା କରିଛି । ଜିଲ୍ଲାର ସମସ୍ତ ସାମ୍ବାଦିକ ଏକାଠି ହୋଇ ସଂପୃକ୍ତ ସବ ଇନ୍ସପେକ୍ଟରଙ୍କୁ ଗିରଫ ଦାବିରେ ଅବକାରୀ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ତେବେ ଏଭଳି ଘଟଣାକୁ ନିନ୍ଦା କରିବା ସହ ସମ୍ପୃକ୍ତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି। ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ ଅଧିକ୍ଷକ ସାମ୍ବାଦିକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ସେପଟେ ଟାଉନ ଥାନା ପୋଲିସ ଅଭିଯୁକ୍ତ ଅବକାରୀ ସବଇନ୍ସପେକ୍ଟର ଧନଞ୍ଜୟ ପାତ୍ରଙ୍କୁ ଥାନାକୁ ଡାକି ପଚରା ଉଚରା କରିଛି। କର୍ତ୍ତବ୍ୟ ରତ ସାମ୍ବାଦିକଙ୍କ ଉପରେ ବାରମ୍ବାର ଆକ୍ରମଣ ଘଟଣାକୁ ଉତ୍କଳ ସାମ୍ବାଦିକ ସଂଘ ଦୃଢ ନିନ୍ଦା କରିଛି। ଓଡ଼ିଶା ସମାଚାର