ଆଠଗଡ ୨୬/୦୬/୨୦୨୧(ଓଡ଼ିଶା ସମାଚାର)-ଆଠଗଡରେ ଓଡିଶାର ପ୍ରଥମ ମୁକ୍ତାକାଶ ଆଦର୍ଶ କାରାଗାର ଉଦଘାଟିତ । ଖୁଣ୍ଟୁଣୀ ରାଣୀବଣିଆଠାରେ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମୁକ୍ତାକାଶ ଆଦର୍ଶ କାରାଗାରରେ ୫ ଶହ କଏଦୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିରେ ରହି ସଜା ଭୋଗୁଥିବା କଏଦୀମାନେ ନିଜର ଆଚାର ବ୍ୟବହାର ସହିତ ଚରିତ୍ର ଗଠନ କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଛି। ମହିଳା କଏଦୀମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ରହିଛି ।
ସ୍ଥାନୀୟ ବିଧାୟକ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏହାକୁ ଉଦଘାଟନ କରିଥିଲେ । କଟକ ସାଂସଦ ଭର୍ତ୍ତୃହରି ମହତାବ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ଜେଲ ବିଭାଗର ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଉପସ୍ଥିତ ଥିବା ବେଳେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଭର୍ଚୁଆଲ ମୋଡରେ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଆଦର୍ଶ କାରାଗାର କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ୧୩କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅର୍ଥରେ କର୍ମଚାରୀଙ୍କ ଆବାସିକ ପ୍ରକୋଷ୍ଠ ଓ ଅନ୍ୟାନ୍ୟ କାର୍ୟ୍ୟ ନିର୍ମିତ ହୋଇଛି। ଓଡ଼ିଶା ସମାଚାର