କେନ୍ଦ୍ରାପଡ଼ା, ୨୫/୦୬/୨୦୨୧(ଓଡ଼ିଶା ସମାଚାର)- ସଦର ଥାନା ଅନ୍ତର୍ଗତ ଗୋପଛକ ନିକଟରେ ଜନୈକ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ସହ ବନ୍ଧୁକରୁ ଗୁଳିମାଡ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସଂପୃକ୍ତ ଆହତ ଯୁବକ ହେଉଛନ୍ତି ଭଗବାନପୁର (ସାନମଙ୍ଗଳା)ଗ୍ରାମର ରଞ୍ଜିତ ପତ୍ରୀ । ଯୁବକଙ୍କ ଦୁଇଟି ଗୋଡ, ଆଖି ଓ ମୁଣ୍ଡରେ ଗୁରୁତର କ୍ଷତ ସୃଷ୍ଟି ହୋଇଛି । ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଯୁବକ ଉପରଙ୍କୁ ଗୁଳି ମାଡ କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗତ ୨୩ ତାରିଖରେ ରଞ୍ଜିିତ ପରିବାର ସହିତ ଭୁବନେଶ୍ୱରରୁ କାର ଯୋଗେ କେନ୍ଦ୍ରାପଡା ସହରସ୍ଥ ଭଗବାନପୁର ଗ୍ରାମକୁ ଫେରୁଥିବା ସମୟରେ ସାନମଙ୍ଗଳା ନିକଟରେ କେତେକ ଯୁବକ ତାଙ୍କ କାରକୁ ସାଇଡ ମାରିଥିଲେ । ସେ ଏହାର ପ୍ରତିବାଦ କରିବାରେ ସେମାନେ ତାଙ୍କୁ ମାଡମାରିଥିଲେ । ଏନେଇ ରଞ୍ଜିତ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବାରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ ଥାନାକୁ ଡକାଇ କିଛି ସମୟ ଥାନାରେ ବସାଇ ଛାଡିଦେଇଥିଲେ । ଏହି ଘଟଣାକୁ ନେଇ ସେହି ଯୁବକମାନେ ଗୁରୁବାର ରାତିରେ ରଞ୍ଜିତକୁ ଗୋପଛକ ନିକଟରେ ଏକୁଟିଆ ପାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକଦେବା ସହ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ରଞ୍ଜିତ ଅଚେତ ହୋଇଯିବା ପରେ ସେମାନେ ରଞ୍ଜିତକୁ ନିକଟସ୍ଥ ଏକ ଶ୍ମଶାନରେ ପକାଇ ଦେଇ ଚାଲିଯାଇଥିଲେ ବୋଲି ରଞ୍ଜିତଙ୍କ ସାଙ୍ଗ ଗୋପ ଗ୍ରାମର ଜ୍ଞାନଦୀପ ପରିଡା କହିଛନ୍ତି । ଶୁକ୍ରବାର ସକାଳୁ ତାଙ୍କ ସାଙ୍ଗମାନେ ଖୋଜାଖୋଜି କରିବାରେ ଶ୍ମଶାନରୁ ରଞ୍ଜିତଙ୍କୁ ଉଦ୍ଧାରକରି ଏକ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ରଞ୍ଜିତ ଚିକିତ୍ସାଧିନ ଅଛନ୍ତି । ରଞ୍ଜିତଙ୍କ ଦୁଇଗୋଡ, ଆଖି ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ରଞ୍ଜିତଙ୍କ ବାପାଙ୍କ ଅଭିଯୋଗ କ୍ରମେ ସଦର ଥାନାରେ ୩୬୮/୨୦୨୧ରେ ଆଇପିସିର ଦଫା ୩୦୭ରେ ଏକ ମାମଲା ରୁଜୁ ହୋଇଛି । କେନ୍ଦ୍ରାପଡା ସଦର ଥାନା ଭାରପ୍ରାପ୍ତ ଇନସପେକ୍ଟର ପବିତ୍ର ମହାରଣା କହିଛନ୍ତି ଯେ ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଛି ଏହା ଗୁଳିମାଡ ନୁହେଁ । ଘଟଣାର ତଦନ୍ତ ଚାଲିଛି ଖୁବ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ମହାରଣା କହିଛନ୍ତି । ଓଡ଼ିଶା ସମାଚାର