କେନ୍ଦ୍ରାପଡ଼ା, ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ପ୍ରତ୍ୟେକ ଓଡିଆର ଜୀବନ ମୋ ପାଇଁ ମୂଲ୍ୟବାନ । ଓଡିଶାର ପ୍ରତିଟି ଜୀବନ ବଂଚାଇବା ମୋ ସରକାରର ପ୍ରାଥମିକ କର୍ତବ୍ୟ । କୋଭିଡ ଆକ୍ରାନ୍ତ ହୋଇ ଅମ୍ଳଜାନ ଅଭାବରୁ କୌଣସି ଓଡିଶାବାସୀ ମୃତୁ୍ୟବରଣ ନକରନ୍ତୁ ସେଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତରଳ ଅମ୍ଳଜାନ ପ୍ଲାନ୍ଟ ପ୍ରତିଷ୍ଠା କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ତରଳ ଡାକ୍ତରଖାନା ଅମ୍ଳଜାନ ସଂରକ୍ଷଣ ଓ ବଂଟନ ବ୍ୟବସ୍ଥା, ଚାପ ଅବଶୋଷଣ ପ୍ରଣାଳୀରେ ଡାକ୍ତରଖାନା ଅମ୍ଳଜାନ ଉତ୍ପାଦନ ଓ ବଂଟନ ବ୍ୟବସ୍ଥାର ପ୍ଲାନ୍ଟକୁ ଭିଡିଓ କନଫରେନସିଂ ଜରିଆରେ ଶିଳାନ୍ୟାସ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ କେନ୍ଦ୍ରାପଡା ଜିଲ୍ଲାରେ ଏହି ଅମ୍ଳଜାନ ପ୍ଲାନ୍ଟ ପ୍ରତିଷ୍ଠା ହେଲେ ରୋଗୀମାନଙ୍କର ଅମ୍ଳଜାନ ସମସ୍ୟା ଦୂର କରାଯାଇପାରିବ । ଏଥିନିମନ୍ତେ ଆୟୋଜିତ ସଭାରେ ଯୋଗଦେଇ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା କହିଲେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସବୁବେଳେ ଓଡିଶାବାସୀଙ୍କ ସହ ରହିଆସିଛନ୍ତି । ଓଡିଶାବାସୀଙ୍କ ସମସ୍ତ ସମସ୍ୟା ଦୂର କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ବଦ୍ଧ । ପ୍ରତିଟି ଓଡିଆର ଭାବାବେଗକୁ ବୁଝି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ । ଓଡିଶାବାସୀଙ୍କ ହିତ ପାଇଁ ମୁଖ୍ୟମନ୍ତ୍ରୀ ଗୋଟିଏ ପରେ ଗୋଟିଏ ଯୋଜନା କରି ଚାଲିଛନ୍ତି । ନିକଟରେ ଅନାଥ ଶିଶୁମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଶିର୍ବାଦ ଯୋଜନାର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଅମ୍ଳଜାନ ସଂରକ୍ଷଣ ଓ ବିତରଣ ପ୍ଲାନ୍ଟ ପ୍ରତିଷ୍ଠା କରିବା ପାଇଁ ନେଇଥିବା ପଦକ୍ଷେପ ସ୍ୱାଗତ ଯୋଗ୍ୟ ଓ ଏଥିପାଇଁ ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ ବିଧାୟକ ଶ୍ରୀ ବେହେରା । ବନ୍ୟା,ବାତ୍ୟା ଓ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ସମସ୍ତ ପଦକ୍ଷେପ ଯୋଗୁଁ ଆମ ଜିଲ୍ଲାର ବହୁ ମୁଲ୍ୟବାନ ଜୀବନ ରକ୍ଷା କରାଯାଇପାରିଛି ବୋଲି ସେ କହିଥିଲେ । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଭାସି ବୈଠକରେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକ, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ପ୍ରମୁଖ ମଂଚାସୀନ ଥିବା ବେଳେ ପୂର୍ବତନ ବିଧାୟକ ଉତ୍କଳକେଶରୀ ପରିଡା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ, ପୂର୍ବତନ ପୌରାଧ୍ୟକ୍ଷା ରୋସ୍ନôା ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନୀତା ପଟ୍ଟନାୟକ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ପୂର୍ତ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ୱସୱାନର ଜିଲ୍ଲା ଅଧିକାରୀ ଜ୍ଞାନରଞ୍ଜନ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅମ୍ଳଜାନ ପ୍ଲାନ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ