କେନ୍ଦ୍ରାପଡ଼ା, ୨୩/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ହଜାର ହଜାର ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ କୋଭିଡ ସହାୟତା ମିଳିନଥିବା ବେଳେ ପଞ୍ଜିକରଣ ପାଇଁ ଆବେଦନ କରିଥିବା ନିର୍ମାଣ ଶ୍ରମିକମାନଙ୍କୁ ବର୍ଷ ବର୍ଷ ଧରି ପଞ୍ଜିକରଣ କାର୍ଡ ମିଳୁନଥିବା କେନ୍ଦ୍ରୀୟ ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନର କାର୍ଯ୍ୟକର୍ତାମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଜିଲ୍ଲା ପ୍ରାଶାସନ ନିକଟରେ ବହୁବାର ଅଲୋଚନା ଏବଂ ଆନ୍ଦୋଳନ ସତ୍ୱେବି ସମସ୍ୟାର କୈାଣସି ପ୍ରତିକାର ହୋଇପାରି ନାହିଁ । ବିଗତ ୨୦୧୯ ଡିସେମ୍ବର ମାସରୁ କୋଭିଡ ରିଲିଫ ସହାୟତା ନିମିତ ଆସିଥିବା ଅର୍ଥ ପାଇବାରୁ ପ୍ରାୟ କୋଡିଏ ହଜାରରୁ ଉଦ୍ଧ୍ୱର୍ ଶ୍ରମିକ ଏ ପର୍ଯ୍ୟନ୍ତ ବଂଚିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ସହିତ ବହୁବାର ଅଲୋଚନା ଏବଂ ଅନ୍ଦୋଳନ ହୋଇଥିଲେ ମଧ୍ୟ ଉକ୍ତ ଅର୍ଥ ବିଭିନ୍ନ ବ୍ଲକ ଏବଂ ପୌରସଂସ୍ଥା କାର୍ଯ୍ୟାଳୟରେ ପଡିରହିଛି । ପୁନଃରାୟ ତିନିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ସମସ୍ତ ପଞ୍ଜିକୃତ ଶ୍ରମିକମାନଙ୍କ ନିମିତ ସହାୟତା ଅର୍ଥ ମଞ୍ଜୁର ହୋଇଛି । ଏହାର ସୁଚାରୁ ପରିଚାଳନା ଓ ବଂଟନ ନିମିତ ଜିଲ୍ଲା ପ୍ରଶାସନ ପକ୍ଷରୁ କି ପ୍ରକାର ପ୍ରସ୍ତୁତି କରାଯାଉଛି ନା ପୂର୍ବଥର ବଂଚିତ ହୋଇଥିବା ଶ୍ରମିକମାନେ ପୁନର୍ବାର ବଂଚିତ ହେବେକି ? ବର୍ଷବର୍ଷ ଧରି ହଜାର ହଜାର ନିର୍ମାଣ ଶ୍ରମିକଙ୍କ ଅବେଦନ ପତ୍ର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଡି ରହିଛି । ସଂପୃକ୍ତ ଡି.ଏଲ୍.ସି ୨୦୨୦ ଜୁଲାଇ ମାସରେ ଶ୍ରମ କାର୍ଯ୍ୟାଳୟରେ ଯୋଗଦେଇଥିଲେ ମଧ୍ୟ ନିଜ ଦାୟିତ୍ୱରେ ମହିଳା ଏବଂ ପୁରୁଷମାନଙ୍କ ଅବେଦନ ପତ୍ରକୁୁ ଅଲଗାକରି ରଖିବାଟା ହିଁ ସାର ହୋଇଛି । ଶିଳ୍ପ କାରଖାନା ନଥିବା ଏବଂ କୋଭିଡ ପାଇଁ ବିଦେଶରୁ ଫେରିଆସି ଭୋକ ଉପାସରେ ଥିବା ଶ୍ରମିକମାନଙ୍କୁ ପଞ୍ଜିକୃତ ନକରି କାଳକ୍ଷେପଣ ନୀତି ଗ୍ରହଣ କରାଯାଉଥିବା ଅଭିଯୋଗ ହୋଇଛି । ତୁରନ୍ତ ପଡି ରହିଥିବା ଅବେଦନପତ୍ର ଗୁଡିକୁ ପଞ୍ଜିକୃତ କରାଯିବା ସହ କୋଭିଡ ସହାୟତାରୁ ବଂଚିତ ନିର୍ମାଣ ଶ୍ରମିକମାନଙ୍କୁ ସହାୟତା ପ୍ରଦାନ କରାଯିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ନଚେତ ଏକ ସପ୍ତାହ ପରେ କୋଭିଡ ନିୟମ ପାଳନ ପୂର୍ବକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏ.ଆଇ.ଟି.ୟୁ.ସି.ର ବାବାଜୀ ଧଳ, ସି.ଆଇ.ଟି.ୟୁ.ର ଜଗତଜୀବନ ଦାଶ, ମୁକ୍ତାର ଖାଁ, ରମଣୀରଞ୍ଜନ ରାଉତରାୟ, ବସନ୍ତ କୁମାର ସେଠୀ, କୃଷ୍ଣଚନ୍ଦ୍ର ରାଉତ, ଅଜିତ କୁମାର ପରିଡା, ସୁହାନା ବେଗମ, ରମେଶ ମଲ୍ଲିକ ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର