Saturday , March 25 2023
Breaking News
Home / ବିଶେଷ / ରଥଯାତ୍ରା ବନ୍ଦ ପ୍ରତିବାଦରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ  ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଅଖଣ୍ଡ ଦୀପ ଜାଳିବେ ସେବାୟତ

ରଥଯାତ୍ରା ବନ୍ଦ ପ୍ରତିବାଦରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ  ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଅଖଣ୍ଡ ଦୀପ ଜାଳିବେ ସେବାୟତ

କେନ୍ଦ୍ରାପଡ଼ା, ୨୧/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ତୁଳସୀ କ୍ଷେତ୍ରରେ ସରକାରଙ୍କ ରଥଯାତ୍ରା ବନ୍ଦ ନିଷ୍ପତି ପ୍ରତିବାଦରେ ସେବାୟତମାନେ ଶ୍ରୀଜୀଉଙ୍କ ମନ୍ଦିରରେ ଅଖଣ୍ଡ ଘୃତ ଦୀପ ଜାଳିବେ ବୋଲି ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି । ଓଡିଶା ସରକାର ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ କୋଭିଡ ନିୟମ ଅନୁପାଳନ ପୂର୍ବକ କରାଯିବାକୁ ଅନୁମତି ଦେଇଥିବା ବେଳେ ତୁଳସୀ କ୍ଷେତ୍ରର ପ୍ରଭୁ ଶ୍ରୀବଳଦେବଜୀଉଙ୍କ ବିଶ୍ୱର ସର୍ବୋଚ୍ଚ ରଥ ବ୍ରହ୍ମତାଳଧ୍ୱଜ ରଥ ଗଡିବାକୁ ବନ୍ଦ କରିଛନ୍ତି । ଏଭଳି ପରିସ୍ଥିତିରେ ଶ୍ରୀଜୀଉଙ୍କ ସେବାୟତ, ଶ୍ରଦ୍ଧାଳୁ, ଭକ୍ତ, ଜିଲା ଓ ଜିଲା ବାହାରର ବିଭିନ୍ନ ସାମାଜିକ ସଂଗଠନ, ବ୍ୟକ୍ତି ବିଶେଷ ଓ ରାଜନୈତିକ ସଂଗଠନ ଗୁଡିକ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଏହି କ୍ଷେତ୍ରର ପରମ୍ପରା, ନୀତିକାନ୍ତି ଓ ରଥଯାତ୍ରା ପର୍ବ ପୁରୀ ଶ୍ରୀକ୍ଷେତ୍ର ସହିତ ସାମଞ୍ଜସ୍ୟ ଥିବାରୁ ପୁରୀ ଭଳି ଏଠାରେ ବିନା ଭକ୍ତରେ ଠାକୁରଙ୍କ ରଥ ଦାଣ୍ଡକୁ ଆବଦ୍ଧକରି ରଥଯାତ୍ରା କରାଯିବାକୁ ସେବାୟତମାନେ ନିବେଦନ କରିଛନ୍ତି । ସରକାରଙ୍କ ରଥଯାତ୍ରା ବନ୍ଦ ଭଳି ଏକପାଖିଆ ନିଷ୍ପତି ବିରୁଦ୍ଧରେ କେତେକ ସଂଗଠନ, ବ୍ୟକ୍ତି ବିଶେଷ ଓଡିଶା ଉଚ୍ଚ ନ୍ୟାୟାଳୟର ଦ୍ୱାରାସ୍ଥ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାପାଳ ଆଉ ପାଦେ ଆଗକୁ ଯାଇ ଉପଜିଲ୍ଲାପାଳଙ୍କ ଦ୍ୱାରା ଶ୍ରୀବଳଦେବଜୀଉ ଦେବୋତର ସଂସ୍ଥାକୁ ନିର୍ଦ୍ଧେଶ ଦେଇ ରଥଗଢା କାର୍ଯ୍ୟକୁ ବନ୍ଦ କରାଇଛନ୍ତି । ଶ୍ରୀ ଜୀଉଙ୍କ ଶ୍ରଦ୍ଧାଳୁ ଭକ୍ତ ଓ ଜନସାଧାରଣଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ସେବାୟତମାନେ ଏକ ବୈଠକରେ ମିଳିତ ହୋଇ ସର୍ବସମ୍ମତି କ୍ରମେ ନିଷ୍ପତି ନେଇଛନ୍ତି ଯେ ଆସନ୍ତା ଜ୍ୟେଷ୍ଠ ବା ସ୍ନାନ ପୂର୍ଣ୍ଣିାମା ଦିନ ରାଜ୍ୟ ସରକାରଙ୍କ ଏଭଳି ହିନ୍ଦୁ ଭାବନା ବିରୋଧୀ, ଆଧ୍ୟାତ୍ମିକତା ବିରୋଧୀ ଓ ତୁଳସୀକ୍ଷେତ୍ରର ପ୍ରାଚୀନ ପରମ୍ପରା ଓ ସଂସ୍କୃତି ବିରୋଧୀ ନିଷ୍ପତିକୁ ଦୃଢ ବିରୋଧ କରାଯାଇ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପରମ୍ପରା ଓ ସଂସ୍କୃତି ବିରୋଧୀ ମାନସିକତାର ପରିବର୍ତନ ଏବଂ ରଥଯାତ୍ରା ପାଇଁ ପଥ ପରିଷ୍କାର ନିମନ୍ତେ କାମନା କରି ଅଖଣ୍ଡ ଘୃତ ଦୀପ ଜାଳିବେ ବୋଲି ସୂଚନା ଦେଇଛନ୍ତି । ଏଥି ସହିତ ଶ୍ରୀଜୀଉଙ୍କ ଶ୍ରଦ୍ଧାଳୁ, ଭକ୍ତ ମା’ ଓ ଭଉଣୀ ମାନଙ୍କୁ ସ୍ନାନ ପୂର୍ଣ୍ଣିମା ଦିନ ରଥଯାତ୍ରା ବନ୍ଦର ପ୍ରତିବାଦ ସ୍ୱରୂପ ନିଜ ନିଜ ଘରେ ଓ ଇଷ୍ଟଦେବଙ୍କ ପାଖରେ ଦୀପ ଟିଏ ଜାଳି ରଥଯାତ୍ରା ହେବାର କାମନା କରିବାକୁ ଶ୍ରୀ ଜୀଉଙ୍କ ସେବାୟତଙ୍କ ପକ୍ଷରୁ ପ୍ରମୋଦ କୁମାର କର, ସଞ୍ଜୟ କୁମାର ପତ୍ରୀ, ଗଗନ ପତ୍ରୀ, ସୁରେଶ ଚନ୍ଦ୍ର ପତ୍ରୀ, ଶ୍ରୀଧର ପତ୍ରୀ, ଧରଣୀଧର ସୁଆର, ଗୌରାଙ୍ଗ ପତ୍ରୀ, ନୃସିଂହ ପ୍ରସାଦ ପତ୍ରୀ, କାର୍ତିକ ସୁଆର, ମୃତୁ୍ୟଞ୍ଜୟ ପତ୍ରୀ, ପ୍ରଶାନ୍ତ କୁମାର ପତ୍ରୀ, ସୁନାମଣି ସୁଆର ପ୍ରମୁଖ ନିବେଦନ କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.