ଭୁବନେଶ୍ୱର,୨୦/୦୬/୨୦୨୧(ଓଡ଼ିଶା ସମାଚାର)- ସୋମବାରଠୁ କ୍ୟାମ୍ପେନ ମୋଡ଼ରେ କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ଟିକାକରଣ ହେବ। ପ୍ରତ୍ୟେକ ଦିନ ୩ ଲକ୍ଷ ଟିକାକରଣ କରିବା ପାଇଁ ରାଜ୍ୟ ସରକାର ଟାର୍ଗେଟ ରଖିଛନ୍ତି । ରାଜ୍ୟର ସମସ୍ତ ବ୍ଲକ ଓ ମ୍ୟୁନିସିପାଲିଟିରେ କ୍ୟାମ୍ପେନ ମୋଡ଼ରେ ହେବ ଟିକାକରଣ। ଉଭୟ ରାଜ୍ୟ ଆଣିଥିବା ଓ କେନ୍ଦ୍ର ସରକାର ଯୋଗାଇ ଦେଇଥିବା ଟିକା ଲୋକମାନଙ୍କୁ ଦିଆଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟରେ ପ୍ରତ୍ୟେକ ବ୍ଲକରେ ୫ଟି ସେସନ, ଏନଏସସିରେ ୫ଟି ଲେଖାଏଁ ସେସନ, ପୌର ପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ଟି ସେସନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଉଭୟ ଅନଲାଇନ ଓ ଅଫଲାଇନ ଟିକାକରଣ ପାଇଁ ଜିଲ୍ଲା ସ୍ତରରେ ଯୋଜନା କରାଯିବ। ସଠିକ୍ ସମୟରେ ଦ୍ୱିତୀୟ ଡୋଜ ଦିଆଯିବା ଉପରେ ଗୁରୁତ୍ୱ ଦେବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।
ତୃତୀୟ ଲହରୀ ଆସିବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଥିବାରୁ ହୁସିଆର ରହିବାକୁ ପଡ଼ିବ । ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଟିକା ହିଁ ସବୁଠାରୁ ଅଧିକ ପ୍ରଭାବଶାଳୀ । ଏଣୁ ରାଜ୍ୟରେ ଟିକାକରଣ ବ୍ୟାପକ କରିବାକୁ ମଧ୍ୟ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଓଡ଼ିଶା ସମାଚାର