କେନ୍ଦ୍ରାପଡ଼ା, ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ବରିଷ୍ଠ ବିଜେପି ନେତା ତଥା ରଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ତୁଳସୀ କ୍ଷେତ୍ରରେ ସିଦ୍ଧ ଶ୍ରୀବଳଦେବଜୀୟୁଙ୍କ ପ୍ରସିଦ୍ଧ ରଥଯାତ୍ରା କରିବା ପାଇଁ ରାଜ୍ୟ ସରକାର ନିଜ ଆଡୁ ସମସ୍ତ ପ୍ରକାର ଆନ୍ତରିକତା ସହ ଉଦ୍ୟମ କରନ୍ତୁ ବୋଲି ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି ଯେ ଶ୍ରୀକ୍ଷେତ୍ର ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସହ ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ସିଦ୍ଧ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରାର ଅନେକ ଧାର୍ମିକ ସାମଞ୍ଜସ୍ୟ ରହିବା ସହ ନୀତିକାନ୍ତିରେ ମଧ୍ୟ ଅନେକ ସମାନତା ଓ ସଂଯୋଗ ବହୁ ପ୍ରାଚୀନ । ସିଦ୍ଧ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରାର ସ୍ୱତନ୍ତ୍ର ପରିଚୟ ଥିବା ବେଳେ ଶ୍ରୀକ୍ଷେତ୍ର ରଥଯାତ୍ରା ଭଳି ଏହା ମଧ୍ୟ ବହୁ ପୁରାତନ ଓ ପ୍ରାଚୀନ ପରମ୍ପରା । ଏହି ରଥଯାତ୍ରା ସହିତ ଅଗଣିତ ଜନସାଧାରଣ ବିଶେଷ କରି କେନ୍ଦ୍ରାପଡାବାସୀଙ୍କ ଧାର୍ମିକ ଭାବନା ଜଡିତଥିବା କାରଣେ ଏହି ବହୁ ପୁରାତନ ପରମ୍ପରା ଓ ଜନସାଧାରଣଙ୍କ ଭାବାବେଗ ସହ ବୃହତ ଧାର୍ମିକ ଭାବନାକୁ ଦୃଷ୍ଟିରେ ରଖି ସମ୍ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ ନିୟମାବଳୀ ଓ କଟକଣାକୁ ପ୍ରାଧାନ୍ୟ ଦେଇ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା କରାଇବା ପାଇଁ ରାଜ୍ୟ ସରକାର ନିଜର ଆନ୍ତରିକତା ପ୍ରକାଶ କରିବା ସହ ଏ ଦିଗରେ ପ୍ରଚେଷ୍ଟା କରିବା ଉଚିତ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଓଡ଼ିଶା ସମାଚାର