Tuesday , December 6 2022
Home / ବିଶେଷ / ଶ୍ରୀବଳଦେବଜୀଉଙ୍କ ରଥାଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ନିଷେଧାଦେଶ  ପ୍ରତିବାଦରେ ବିଜେପିର ଧାରଣା

ଶ୍ରୀବଳଦେବଜୀଉଙ୍କ ରଥାଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ନିଷେଧାଦେଶ  ପ୍ରତିବାଦରେ ବିଜେପିର ଧାରଣା

କେନ୍ଦ୍ରାପଡ଼ା, ୧୮/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ନିଷେଧାଦେଶ ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି ।  ରାଜ୍ୟସରକାରଙ୍କ ନିଷ୍ପତି ଅନୁସାରେ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ କେନ୍ଦ୍ରାପଡାରେ ଶ୍ରୀ ଶ୍ରୀ ବଳଦେବଜୀୟୁଙ୍କ ବ୍ରହ୍ମ ତାଳଧ୍ୱଜ ରଥ ବଡଦାଣ୍ଡରେ ଗଡିବ ନାହିଁ, ଏହା କେନ୍ଦ୍ରାପଡାର ଜନସାଧାରଣଙ୍କ ଧର୍ମୀୟ ଭାବନା ପ୍ରତି ଶକ୍ତ କୁଠାରାଘାତ ବୋଲି ବିଜେପି କହିଛି  । ବାର୍ଷିକ ନୀତିକାନ୍ତିର ଅଂଶ ବିଶେଷ ଭାବେ ନିଜ ବଡଦାଣ୍ଡରେ ରଥଯାତ୍ରା କେବଳ ପୁରୀ ଶ୍ରୀ ଜଗନ୍ନାଥଙ୍କର ନୁହେଁ ବରଂ କେନ୍ଦ୍ରାପଡାର ଶ୍ରୀ ବଳଦେବଜୀୟୁଙ୍କର ମଧ୍ୟ ସମାନ ପରମ୍ପରାରେ ସମ୍ପାଦନ ହୋଇଥାଏ । ଗତ ବର୍ଷ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତିକୁ ସର୍ବୋଚ୍ଚ ନ୍ୟାୟାଳୟ ପରିବର୍ତନ କରି ପୁରୀ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ନୀତିକାନ୍ତିଙ୍କୁ ସମ୍ପନ୍ନ କରିବାକୁ ନିର୍ଦେଶ ଦେଇଥିଲେ ଯାହା ସଫଳତାର ସହ ସମ୍ପନ୍ନ ହୋଇଥିଲା । କିନ୍ତୁ ଚଳିତ ବର୍ଷ ବହୁ ପୁରାତନ, ସ୍ୱତନ୍ତ୍ର ଆଧ୍ୟାତ୍ମିକ ତଥା ପୌରାଣିକ ପୃଷ୍ଟଭୂମି ସଂପନ୍ନ କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀୟୁଙ୍କର ରଥଯାତ୍ରା ନିମନ୍ତେ ଅଙ୍କୁଶ ଲଗାଇବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଏହାର ପ୍ରତିବାଦରେ  ବିଜେପି କେନ୍ଦ୍ରାପଡା ଜିଲା ଟିମ ଦ୍ୱାରା ପୃଥକ ଭାବେ ଦୁଇଟି ଦାବୀପତ୍ର ଯଥାକ୍ରମେ  ମୁଖ୍ୟମନ୍ତ୍ରୀ  ଓ  ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଛି । କିନ୍ତୁ ବର୍ତମାନ ପର୍ଯ୍ୟନ୍ତ କୌଣସି ଆଖି ଦୃଶିଆ ପଦକ୍ଷେପ ରାଜ୍ୟ କିମ୍ବା ଜିଲା ପ୍ରଶାସନ ପକ୍ଷରୁ ନିଆଗଲା ନାହିଁ । ଅପରପକ୍ଷେ ରଥର ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇ ସମଗ୍ର କେନ୍ଦ୍ରାପଡାର ଅଗଣିତ ଭକ୍ତମାନଙ୍କ ଧର୍ମୀୟ ଭାବନାକୁ ଉପେକ୍ଷା କରାଯାଇଛି । ଏଥି ନିମନ୍ତେ ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ପକ୍ଷରୁ ଶୁକ୍ରବାର ସମ୍ପୂର୍ଣ୍ଣ କୋଭିଡ ଗାଇଡ ଲାଇନ ଅନୁପାଳନ ପୂର୍ବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସମସ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକାତ୍ମକ ଧାରଣା ପ୍ରଦର୍ଶନ କରାଯାଇ ସରକାରଙ୍କ ନିକଟରେ  ଦାବିମାନ ତୁରନ୍ତ ସମାଧାନ ନିମନ୍ତେ ଉପସ୍ଥାପନା କରାଗଲା । ଅନ୍ୟଥା ଏହି ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ । କେନ୍ଦ୍ରାପଡାର ଶ୍ରୀ ଶ୍ରୀ ବଳଦେବଜୀୟୁଙ୍କ ରଥଯାତ୍ରା ନିମନ୍ତେ ନିଷେଧାଦେଶକୁ ରାଜ୍ୟସରକାରଙ୍କ ଦ୍ୱାରା ପୁନଃ ବିଚାର କରି ସମ୍ପୂର୍ଣ୍ଣ କୋଭିଡ ଗାଇଡ ଲାଇନ ଅନୁଯାୟୀ କେବଳ ପୂଜକ ଓ ସେବାୟତମାନଙ୍କ ଦ୍ୱାରା ରଥଯାତ୍ରା ସମ୍ପାଦନ ପାଇଁ ଅନୁମତି ପ୍ରଦାନ କରାଯିବା ଏବଂ ବ୍ରହ୍ମତାଳ ଧ୍ୱଜ ରଥର ନିର୍ମାଣ କାର୍ଯ୍ୟ ଜାରି ରଖି ପୂର୍ଣ୍ଣାଙ୍ଗ କରିବା ପାଇଁ ଆଦେଶ ପ୍ରଦାନ କରାଯିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି । ଏହି ଧାରଣାରେ ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବୈଦ୍ୟନାଥ ଚାଟାର୍ଜୀ, ବରିଷ୍ଠ ବିଜେପି ନେତା ମହମ୍ମଦ ସଲୀମ ଖାନ, ନୃସିଂହପ୍ରସାଦ ପତ୍ରୀ, ନେହେରୁ କୁମାର ସାହୁ, ଅଭିମନୁ୍ୟ ଗୋଛାୟତ, ଉପିନ ରାଉତ, ବିନ୍ଦୁ ସାଗର ଦାସ, ଅମିତାଭ ସୁଆର, ସେକ ବୁରହାନ ଅଲ୍ଲୀ, ସୁନାକର ବେହେରା, ସନ୍ଦିପନୀ ଆର୍ଯ୍ୟକୁମାର, ମନମୋହନ ବେଉରା, ଶଶାଙ୍କ ଶେଖର ସେଠୀ, ଦୟାନିଧି ବଳ, ମୁକ୍ତିକାନ୍ତ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published.