Wednesday , March 29 2023
Home / ରାଜନୀତି / ନୟାଗଡ଼ରେ ଲୋମହର୍ଷଣକାରୀ ପରୀ ଘଟଣାର ପୁନରାବୃତି

ନୟାଗଡ଼ରେ ଲୋମହର୍ଷଣକାରୀ ପରୀ ଘଟଣାର ପୁନରାବୃତି

ଶିଶୁ ଅଧିକାର କମିଶନ ଘଟଣାସ୍ଥଳକୁ ତଦନ୍ତ ପାଇଁ ଯିବାକୁ ସମାଜବାଦୀ ପାର୍ଟିର ଦାବି
ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର)- ନୟାଗଡ଼ ଜିଲ୍ଲାରେ ପରୀ ଧର୍ଷଣ ଓ ମୃତୁ୍ୟର ନିଆଁ ନ ଲିଭୁଣୁ ପୁଣି ଏକ ୬ ବର୍ଷ ଝିଅର ଧର୍ଷଣ ଓ ହତ୍ୟା ହେବା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବେଦନାଦାୟକ । ଘଟଣାସ୍ଥଳକୁ ଓଡ଼ିଶା ଶିଶୁ ଅଧିକାର କମିଶନ ତଦନ୍ତ ପାଇଁ ଯିବାକୁ ସମାଜବାଦୀ ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ଦାବି କରିଛନ୍ତି । ନିରୀହା ବାଳିକାଟି ଦାଣ୍ଡରେ ଖେଳୁଥିବା ବେଳେ ସେହି ଗାଁର ଜଣେ ମାଡ୍ରାସରେ କାମ କରୁଥିବା ଉଦ୍ଭ୍ରାନ୍ତ ଶ୍ରମିକ ଛୋଟ ଝିଅଟିକୁ ମୋବାଇଲ୍ ଦେଖାଇବା ବାହାନାରେ ପାଖ କଦଳୀ ବଣକୁ ଡ଼ାକିନେଇ ଧର୍ଷଣ କରି ହତ୍ୟା କରିବା ନିଶ୍ଚିତ ଭାବରେ ନିନ୍ଦନୀୟ ଓ ଦୁଃଖଦାୟକ । ନୟାଗଡ଼ ପୋଲିସ୍ ଘଟଣା ଉପରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ୪ ଦିନ ଭିତରେ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିବା ଓ ଶବ ଜବତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ନିଶ୍ଚିତ ସ୍ୱାଗତଯୋଗ୍ୟ । ରାଜ୍ୟରେ ନାବାଳିକାମାନଙ୍କ ଉପରେ ଘଟି ଚାଲିଥିବା ଏହିଭଳି ଲୋମହର୍ଷଣକାରୀ ଓ ବେଦନାଦାୟକ ଧର୍ଷଣ ଓ ମୃତୁ୍ୟର ତଦନ୍ତ ପାଇଁ ଶିଶୁ ସୁରକ୍ଷା ଆୟୋଗ ଓ ରାଜ୍ୟ ସରକାର ଅଧିକ ତତ୍ପରତା ପ୍ରକାଶ କରିବା ଉଚିତ୍ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତି । ନୟାଗଡ଼ ବାଣିଗୋଚ୍ଛା ଥାନା ଅଂଚଳକୁ ଶିଶୁ ସୁରକ୍ଷା ଆୟୋଗ ଗ୍ରସ୍ତ କରି ଘଟଣାର ପୁଙ୍ଖନାପୁଙ୍ଖ ତଦନ୍ତ କରିବା, ମୃତ ନାବାଳିକା ପରିବାରକୁ ସର୍ବନିମ୍ନ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଓ ଆଗାମୀ ଦିନରେ ନାବାଳିକାମାନଙ୍କ ଉପରେ କିଭଳି ଏ ପ୍ରକାରର ନିର୍ଯ୍ୟାତନା ଓ ଶୋଷଣ ବନ୍ଦ ହୋଇପାରିବ, ସେ ଦିଗରେ ଦୃଢ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ତୁରନ୍ତ ଘଟଣାରେ ହସ୍ତକ୍ଷେପ କରି ମୃତ ନାବାଳିକା ପରିବାରକୁ ନ୍ୟାୟ ଦେବା ପାଇଁ ସେ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.