ମିନିଆପଲିସି/ ଭୁବନେଶ୍ୱର ୧୭/୦୬/୨୦୨୧(ଓଡ଼ିଶା ସମାଚାର)- କୋଭିଡ ମହାମାରୀର ଭୟାବହତା କୁ ଭ୍ରୁକ୍ଷେପ ନକରି ହିନ୍ଦୁ ସୋସାଇଟି ଅଫ ମିନ୍ନେସୋଟା (ଏଚ.ଏସ୍.ଏମ.ଏନ) ମାନବ ସମାଜ ପାଇଁ ଅଦମ୍ୟ ପ୍ରେରଣାର ଆଲୋକବର୍ତ୍ତିକା ସାଜିଥିବା ଯୁକ୍ତରାଷ୍ଟ୍ର ଆମେରିକା ର ସିନେଟ୍ ସଦସ୍ୟ ଆମି କ୍ଲୋବୁଚର୍ ମତବ୍ୟକ୍ତ କରିଛନ୍ତି। ମିନ୍ନେସୋଟା ରାଜ୍ୟର ମାପଲଗ୍ରୋଭ ନଗରରେ ପୁରୀ ପରେ ବିଶ୍ଵର ଦ୍ଵିତୀୟ ଗୁଣ୍ଡିଚା ମନ୍ଦିର କୁ ଶୁଭ ଉଦଘାଟନ କରି ଶ୍ରୀମତୀ କ୍ଲୋବୁଚର , ତାଙ୍କ ରାଜ୍ୟରେ ଶାନ୍ତି, ସଂହତି ଏବଂ ପ୍ରଗତି କୁ ବଜାୟ ରଖିବା ନେଇ ଏଚଏସଏମଏନ୍ ର ପ୍ରଭାବଶାଳୀ ଅବଦାନକୁ ଭୂରି ଭୂରି ପ୍ରଶଂସା କରିଥିଲେ। ବିଶେଷ କରି ଡଃ ସୀତକଣ୍ଠ ଦାଶ ଙ୍କର ଅଧକ୍ଷ ଦାୟିତ୍ଵ ଗ୍ରହଣ କରିବା ପରେ ଏଚଏସଏମଏନ୍ ପରିଚାଳନାଧୀନ ହିନ୍ଦୁ ମନ୍ଦିରର ବ୍ୟାପକ ବିକାଶ ସାଧନ ହୋଇଥିବା ସେ ଉଲ୍ଲେଖ କରିଥିଲେ। ଏହା ମଧ୍ୟରେ ପୂଜାରୀ ଓ କର୍ମଚାରୀ ମାନଙ୍କ ପାଇଁ କ୍ଵାଟରସ ନିର୍ମାଣ, ସୌରଶକ୍ତି କାରଖାନା ସ୍ଥାପନ, ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ପ୍ରଣୟନ, ଗୋପୁରମର ନବୀକରଣ ଏବଂ ଗୁଣ୍ଡିଚା ମନ୍ଦିର ପ୍ରତଷ୍ଠା ଆଦି ଅନ୍ତର୍ଭୁକ୍ତ ବୋଲି ସିନେଟର ଆମି ସୂଚାଇଥିଲେ।
ଉଦଘାଟନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ମେୟର ମାର୍କ ଷ୍ଟିଫେନସନ୍ ଗୁଣ୍ଡିଚା ମନ୍ଦିରର ଶୁଭାରମ୍ଭ ପାଇଁ ଏଚଏସଏମଏନ୍ ର ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଓ ହିନ୍ଦୁ ମନ୍ଦିରର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ।
ସ୍ବାଗତ ଭାଷଣ ପ୍ରଦାନ କରି ଏଚଏସଏମଏନ୍ ର ଅଧକ୍ଷ ଡଃ ସୀତକଣ୍ଠ ଦାଶ , କରୋନା ଭଳି କଷ୍ଟଦାୟକ କାଳରେ ବ୍ୟସ୍ତ,ବିବ୍ରତ କିମ୍ବା ପଥଚ୍ୟୁତ ନ ହୋଇ ତଥା କର୍ମଚାରୀ ଓ ପୂଜାରୀ ମାନଙ୍କୁ ଛଟେଇ ନକରି ହିନ୍ଦୁ ମନ୍ଦିର ତାର ସ୍ଵାଭାବିକ କାର୍ୟ୍ୟକ୍ରମ ଗୁଡ଼ିକୁ ଚାଲୁ ରଖିପାରିଥିବା ସୂଚାଇ ଥିଲେ। ଏହି ଅସାମାନ୍ୟ ସଫଳତା ମୂଳରେ ଡଃ ଦାଶ ମନ୍ଦିରର ପୂଜାରୀ ବୃନ୍ଦ, ଇ.ସି.ଓ.ଟି.ଇ.ସି ଟିମ, ଟ୍ରଷ୍ଟି ଗଣ, ଦାତା, ସ୍ୱେଚ୍ଛାସେବୀ ଏବଂ ଅଗଣିତ ଶୁଭାକାଂକ୍ଷୀ ମାନଙ୍କୁ ସେମାନଙ୍କର ଯଥୋଚିତ ଦାନ ଓ ସକ୍ରୀୟ ସହଯୋଗ ପାଇଁ ସାଧୁବାଦ ଜଣାଇଥିଲେ। ସଭାପତି ପୂଜା ବାସ୍ତୋଦକର ଧନ୍ୟବାଦ ଅର୍ପଣ କରି କୋଭିଡ଼ର କରାଳ ଛାୟା ସତ୍ତ୍ବେ ଏଚଏସଏମଏନ୍ ଏହାର ନୂତନତ୍ବ ଏବଂ ଗର୍ବର ରେକର୍ଡ କୁ କାଏମ ରଖି ପାରିଥିବା ଘୋଷଣା କରିଥିଲେ। ମହାମାରୀ ଆମକୁ ପୁନଃ ଉଦ୍ଭାବନ, ଅଣପାରଂପରିକ ଦୃଷ୍ଟିକୋଣ ଏବଂ ଦ୍ରୁତ ପରିବର୍ତ୍ତିତ ପରିସ୍ଥିତି ସହିତ ତାଳ ମିଳାଇ ଚାଲିବାର ରାସ୍ତା ଶିଖାଇଥିବା, ଶ୍ରୀମତୀ ବାସ୍ତୋଦକର ପ୍ରକାଶ କରିଥିଲେ। ଉଭୟ ସିନେଟର ଆମି ଓ ମେୟର ମାର୍କ, ରିବନ କାଟି ଗୁଣ୍ଡିଚା ମନ୍ଦିରର ଉଦଘାଟନ କରିଥିଲେ।
ହିନ୍ଦୁ ମନ୍ଦିରର ପଞ୍ଚଦଶ ତମ ବାର୍ଷିକ ଉତ୍ସବ ରେ ମିନ୍ନେସୋଟା ପ୍ରଦେଶର ରାଜ୍ୟପାଳ ଟିମ୍ ୱାଲଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସକାଳ ସାଢେ଼ ୧୦ ଟା ବେଳେ ରାଜ୍ୟପାଳ ମନ୍ଦିର ପରିସରରେ ପହଁଞ୍ଚିବା କ୍ଷଣି ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା। ଏହାପରେ ମନ୍ଦିର ମଧ୍ୟରେ ଥିବା ସମସ୍ତ ଦେବାଦେବୀଙ୍କୁ ସେ ଦର୍ଶନ କରିଥିଲେ। ପରେ ମନ୍ଦିର ପ୍ରେକ୍ଷାଳୟରେ ଆୟୋଜିତ ଏକ ସାଧରଣ ସଭାକୁ ରାଜ୍ୟପାଳ ଶ୍ରୀ ୱାଳଜ ସମ୍ବୋଧନ କରିଥିଲେ। ଉତ୍ତର ଆମେରିକାର ସର୍ବ ବୃହତ୍ ହିନ୍ଦୁ ମନ୍ଦିର କୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥିବାରୁ ରାଜ୍ୟପାଳ , ଉତ୍ସବର ମୁଖ୍ୟ ଆୟୋଜକ ଡଃ ଦାଶ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମିନ୍ନେସୋଟା ର ଶିକ୍ଷା, ସ୍ବାସ୍ଥ୍ୟ ଓ ଜନକଲ୍ୟାଣ କ୍ଷେତ୍ରରେ ଭାରତୀୟ ସମ୍ପ୍ରଦାୟ ର ଯୋଗଦାନ ବେଶ୍ ଉଲ୍ଲେଖଯୋଗ୍ୟ ବୋଲି ରାଜ୍ୟପାଳ ୱାଲଜ ସ୍ବୀକାର କରିଥିଲେ। ଏହି ଅବରସରେ ରାଜ୍ୟପାଳ ଟିମ୍ ୱାଲଜ, ବୈଠକରେ ଉପସ୍ଥିତ ଥିବା ମାପଲଗ୍ରୋଭର ମେୟର ମାର୍କ ଷ୍ଟିଫେନସନ୍ ଓ ଅନ୍ୟାନ୍ୟ ଅତିଥି ମାନେ ଏଚଏସଏମଏନ୍ ର ଇତିବୃତ୍ତ କୁ ଆଧାର କରି ପ୍ରକାଶିତ ଏକ ଆକର୍ଷଣୀୟ ସ୍ମରଣିକା କୁ ଉନ୍ମୋଚନ କରିଥିଲେ। ସ୍ମରଣିକା ପ୍ରସ୍ତୁତ କରିବାରେ ସଂପାଦକୀୟ ମଣ୍ଡଳୀର ସଦସ୍ୟ ସୁସୁମ୍ନା ଟଣ୍ଡନ , ରାମ ଗଡ଼ା , ମନୋଜ ପ୍ରଭୁ, ଡଃ ଶରତ ମହାପାତ୍ର, ପୂଜା ବାସ୍ତୋଦକର ଏବଂ ପୂର୍ଣ୍ଣ ଗୁରମ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କନକ ଦତ୍ତ ଙ୍କୁ ମେୟର ମାର୍କ ଷ୍ଟିଫେନସନ୍ ଚଳିତ ବର୍ଷର ଉତ୍କୃଷ୍ଟ ସେବାକାରୀ ପୁରସ୍କାର ପ୍ରଦାନ କରିଥିଲେ। ଏହି ସଭା ରେ ୫୦୦ ରୁ ଉର୍ଦ୍ଧ୍ୱ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବା ଦେଖାଯାଇଥିଲ। ମନ୍ଦିରର ବରିଷ୍ଠ ଟ୍ରଷ୍ଟି ରାମ ଗଡ଼ା ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ।
ସନ୍ଧ୍ୟାରେ ପରିବେଷିତ ‘‘ନୀଳ କମଳ’’ ନାମକ ଏକ ରଙ୍ଗାରଙ୍ଗ ସାଂସ୍କୃତିକ ସରଞ୍ଚନା କୁ ସରିତା ପଟ୍ଟନାୟକ ଓ ସୁଦୀପ୍ତ ତ୍ରିପାଠୀ ସଂଯୋଜନା କରିଥିଲେ। ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ନେଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା , ହୋମ ଏବଂ ପୂର୍ଣ୍ଣାହୁତି,ପ୍ରଧାନ ପୁରୋହିତ ମୁରଲୀ ଭଟ୍ଟର ଙ୍କ ତତ୍ତ୍ଵାବଧାନରେ ସମ୍ପନ୍ନ ହୋଇଥିଲା।
ପଞ୍ଚଦଶ ବାର୍ଷିକ ଉତ୍ସବ ପାଳନ ଅବସରରେ ଜୁନ ୧୧, ୧୨ ଏବଂ ୧୩ ତାରିଖ, ତିନି ଦିନ ଧରି ‘ଭାରତ ଦର୍ଶନ’ ଶୀର୍ଷକ ଏକ ଦିବ୍ୟ ଖାଦ୍ୟ ମହୋତ୍ସବ ର ଆୟୋଜନ କରାଯାଇଥିଲା। ଏହି ଅନନ୍ୟ ବ୍ୟଞ୍ଜନ ପରିବେଷଣ କାର୍ୟ୍ୟକ୍ରମ କୁ କନକ ଦତ୍ତ, ସିଦ୍ଧାର୍ଥ ପ୍ରିୟଦର୍ଶୀ, ଶଙ୍କର୍ଷଣ ଦାସ ଏବଂ ପଦ୍ମା ନାଇଡୁ ପରିଚାଳନା କରିଥିଲେ। ଓଡ଼ିଶା ସମାଚାର