ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ ସଂକ୍ରମଣ ହୋଇଥିଲା ,ସେଠାରେ ସଂକ୍ରମଣ ହାର ଏବେ ଦ୍ରୁତ ହ୍ରାସ ହେଉଛି। କୋଭିଡ ସଂକ୍ରମଣ ଉପରେ ଲଗାମ ଲଗାଇବା ଲାଗି ସରକାର ଗତ ଦେଢମାସରୁ ଊର୍ଦ୍ଧ୍ୱ କାଳ ହେଲା ରାଜ୍ୟରେ ଜାରି କରିଥିବା ଲକଡାଉନ କଟକଣା ରେ କିଛି କୋହଳ କରିଛନ୍ତି। ସରକାର ସମ୍ପୂର୍ଣ୍ଣ ଲକଡାଉନ୍ ବଦଳରେ ଆଂଶିକ ଲକଡାଉନ ଜାରି କରିଛନ୍ତି। ଜୁନ ୧୭ ତାରିଖରୁ ୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ସରକାର । ସଂକ୍ରମଣ ହାର ଅନୁସାରେ ସରକାର ରାଜ୍ୟର ସମସ୍ତ ଜିଲ୍ଲାକୁ ‘ଏ’ ଓ ‘ବି’ କ୍ୟାଟଗୋରୀରେ ବିଭକ୍ତ କରିଛନ୍ତି। ଏଥିରେ ୫ ପ୍ରତିଶତରୁ କମ୍ ସଂକ୍ରମଣ ହାର ଥିବା ଜିଲ୍ଲାଙ୍କୁ କ୍ୟଟେଗରୀ ‘ଏ’ ଅନ୍ତର୍ଭୁକ୍ତ କରିଛନ୍ତି। ଥିରେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୧୭ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଜିଲ୍ଲା କ୍ୟାଟଗରି ‘ଏ’ରେ ରହିଛନ୍ତି।
ଏ କ୍ୟାଟଗରି ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଦୋକାନ ବଜାର ଖୋଲାରହି ପାରିବ। ତେବେ ଏହି ସବୁ ଜିଲ୍ଲାରେ ପୂର୍ବ ପରି ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ସହ ନାଇଟ୍ କର୍ଫ୍ୟୁ ଜାରି ରହିବ। ଉପକୂଳବର୍ତ୍ତି ୧୩ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ହେଉଥିଲେ ମଧ୍ୟ ଉଚ୍ଚ ରହିଛି। ଏଣୁ ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଓ କେନ୍ଦୁଝର ଆଦି ୧୩ ଜିଲ୍ଲାଙ୍କୁ କ୍ୟାଟଗରି ‘ବି’ ଅନ୍ତର୍ଗତ କରିଛନ୍ତି। ବି କ୍ୟାଟେଗରି ଜିଲ୍ଲାମାନଙ୍କରେ ସକାଳ ୬ଟାରୁ ଦିନ ଗୋଟାଏ ପର୍ୟ୍ୟନ୍ତ ଅତ୍ୟବଶକୀୟ ସାମଗ୍ରୀ ଲାଗି ଦୋକାନ ବଜାର ଖୋଲିବ। ପୂର୍ବ ପରି ସପ୍ତାହନ୍ତ ସଟଡାଉନ ସହ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ।
ତେବେ ମର୍ଣ୍ଣିଂ ୱାକ, ଜଗିଙ୍ଗ, ସାଇକ୍ଲିଂ ଲାଗି କୋହଳ କରାଯାଇଛି। ସକାଳ ୭ରୁ ୯ ପର୍ୟ୍ୟନ୍ତ ମର୍ଣ୍ଣିଂ ୱାକ୍, ଜଗିଙ୍ଗ ଓ ସାଇକ୍ଲିଂ ଲାଗି ଅନୁମତି ଦିଆଯାଇଛି। ତେବେ ଜିମ୍, ସ୍ୱିମିଂ ପୁଲ, ପାର୍କ ନିୟମ ପୂର୍ବ ଭଳି କଡ଼ାକଡ଼ି ରହିଛି। ସେହିପରି ଦୋକାନ ବଜାର ଖୋଲିବାକୁ ଅନୁମତି ଥିଲେ ହେଁ ସେଲୁନ୍,ପାର୍ଲର ,ସିନେମା ହଲ, ମଲ ଆଦି ଖୋଲିବ ନାହିଁ। ରାସ୍ତା କଡ ଦୋକାନ ଖୋଲିବାକୁ ଅନୁମତି ରହିଛି କିନ୍ତୁ ମିଠା, ଚା ଜଳଖିଆ ଦୋକାନ ଦୋକାନରେ ବସାଇ ଖାଇବାକୁ ଅନୁମତି ନାହିଁ। ସେମାନେ କେବଳ ପାର୍ସଲ ଦେଇପାରିବେ । ବସ୍ ଓ ଯାତ୍ରୀ ପରିବହନ ବନ୍ଦ ରହିବ । ଏଣୁ ଟାଉନ ବସ୍, ଅଟୋ ରିକ୍ସା ଓ ଦୂରଗାମୀ ବସ୍ ସେବାରେ ଲଗାଇଥିବା କଟକଣା କୋହଳ କରାଯାଇନାହିଁ । ୫୦ ପ୍ରତିଶତ କର୍ମଚାରୀରେ କଡ଼ା କୋଭିଡ କଟକଣାରେ ଅଫିସ କାର୍ୟ୍ୟ ଚଳାଇାକୁ ସରକାର ଅନୁମତି ଦେଇଛନ୍ତି। ଏହି ସମୟରେ ସ୍ୱସ୍ଥ୍ୟ ସେବା ଓ ଟିକାକରଣ ସ୍ୱଭାବିକ ରହିବ। ରାଜ୍ୟରେ ପୂର୍ବ ଭଳି ଉତ୍ସବ ଅନୁଷ୍ଠାନ, ବିବାହ ବ୍ରତ ଓ ସାମାଜିକ କାର୍ୟ୍ୟକ୍ରମ ଆଦି ଲାଗି ଏବେବି ନିୟମ କଡାକଡି ରହିଛି। ଏପରି କାର୍ୟ୍ୟକ୍ରମର ଆୟୋଜନ ଓ ଜନସମାଗମକୁ କଡ଼ାକଡ଼ି ନିଷିଦ୍ଧ କରାଯାଇଛି। ଓଡ଼ିଶା ସମାଚାର