ପାରାଦୀପ,୧୫/୦୬/୨୦୨୧(ଓଡ଼ିଶା ସମାଚାର)-କଟକ, ଭୁବନେଶ୍ୱର ମହାନଗର ନିଗମର ୧୮ ରୁ ୪୪ ବର୍ଷ ଯୁବ ବର୍ଗଙ୍କୁ ଟୀକାକରଣର ସଫଳତା ପରେ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ କଲେଣି । ରାଜ୍ୟର ଶିଳ୍ପ ତଥା ବନ୍ଦର ସହର ପାରାଦୀପରେ ଆଜି ଯାଏ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ପାରିଲାନି । ରାଜ୍ୟର ଅନ୍ୟତମ ଧନିକ ମୁ୍ୟନିସିପାଲିଟି ପାରାଦୀପର ଲୋକ ସଂଖ୍ୟା ପ୍ରାୟ ୭୦ ହଜାର । ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମେଁ ମାସରେ ବହୁଳ ଭାବେ ବଢିବା ପରେ ଜୁନ୍ ମାସରେ ପାରାଦୀପ ପୌରାଂଚଳରେ କରୋନା ମିଟର ତଳମୁହାଁ ହୋଇଛି । ଏପରି ସମୟରେ ବି ପାରାଦୀପର ଯୁବବର୍ଗଙ୍କୁ କରୋନା ଟୀକା ମିଳିଲା ନାହିଁ । ଜିଲ୍ଲା ପ୍ରଶାସନ ଜିଲ୍ଲା ହେଡକ୍ୱାଟର ହସପିଟାଲରେ ୧୮ ରୁ ୪୪ ବର୍ଷ ଯୁବବର୍ଗଙ୍କ ପାଇଁ ୪ଟି ଟୀକାଦାନ କେନ୍ଦ୍ରରେ ଟୀକାକରଣ କରାଯାଉଥିବା ବେଳେ ପାରାଦୀପ ଅଂଚଳବାସୀ ଏହି ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ଟି କେନ୍ଦ୍ରରୁ ଗୋଟିଏ ଟୀକାକରଣ କେନ୍ଦ୍ର ପାରାଦୀପରେ ହୋଇଥିଲେ କଣ ହୋଇ ନଥାନ୍ତା ବୋଲି ବହୁ ଯୁବବର୍ଗ ପ୍ରଶ୍ନ କଲେଣି । ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ଟୀକାକରଣକୁ ଗୁରୁତ୍ୱ ଦେଉଥିବା ବେଳେ ପାରାଦୀପକୁ କାହିଁକି ଅଣ ଦେଖା କରାଯାଉଛି ସେନେଇ ସାଧାରଣରେ ଆଲୋଚନା ହେଉଛି । କିଛି ରାଜନୈତିକ ଦଳ ପକ୍ଷରୁ ଲୋକମାନଙ୍କ ପାଇଁ ଆମ୍ବୁଲାନ୍ସ, ଭ୍ରାମ୍ୟମାଣ କରୋନା ପରୀକ୍ଷଣ ଗାଡିର ସୁବିଧା ଯୋଗାଉଥିବା ବେଳେ ପାରାଦୀପବାସୀଙ୍କ ପାଇଁ ପ୍ରଶାସନିକ ଉଦାସୀନତା ଦେଖା ଦେଇଛି । ତେବେ ପାରାଦୀପର ଯୁବବର୍ଗଙ୍କୁ ଟୀକା ନ ମିଳିବାରୁ ଜନ ଅସନେକ୍ତାଷ ଦେଖା ଦେଇଛି । ୧୮ ରୁ ୪୪ ବର୍ଷର ଯୁବବର୍ଗ ଟୀକା ପାଇଁ ଚାତକ ପରି ଚାହିଁ ରହିଛନ୍ତି । ତେବେ ଏସଂପର୍କରେ ପାରାଦୀପ ସିଏଚସି ର ମେଡିକାଲ ଅଫିସର ଡା. ବସନ୍ତ ରାଉତଙ୍କୁ ଯୋଗାଯୋଗ କରାଯିବାରୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଇଥିବା କହିଛନ୍ତି । ଟୀକା ଆସିଲେ ଏଠାରେ ଯୁବବର୍ଗଙ୍କୁ ଟୀକାକରଣ କରାଯିବ ବୋଲି ଜଣାଇଛନ୍ତି । ଓଡ଼ିଶା ସମାଚାର