Sunday , March 26 2023
Breaking News
Home / କୃଷି / ତଳି ପକାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ , ହେଲେ ଚାଷୀମାନଙ୍କର ଚାହିଦା ଶାରଳା ଧାନ ବିହନ ଯୋଗାଣ ନାହିଁ  

ତଳି ପକାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ , ହେଲେ ଚାଷୀମାନଙ୍କର ଚାହିଦା ଶାରଳା ଧାନ ବିହନ ଯୋଗାଣ ନାହିଁ  

ଗରଦପୁର,୧୩/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଳକ ଏକ କୃଷି ପ୍ରଧାନ ଅଂଚଳ । ଧାନ ଚାଷ ହେଉଛି ବ୍ଲକ୍ ବାସୀଙ୍କର ମୁଖ୍ୟଚାଷ । କିନ୍ତୁ ସରକାରୀ ଉଦାସୀନତା ଯୋଗୁଁ ଚାଷୀମାନେ ଧାନ ବିହନ ପାଇପାରୁ ନାହାନ୍ତି । ପୂର୍ବରୁ ଚାଷୀମାନେ ପାରମ୍ପରିକ ଧାନକୁ ନେଇ ଚାଷ କରୁଥିଲେ । ଯେଉଁଥିରେ ଗୁଣ୍ଠ ପ୍ରତି ମାତ୍ର ୫/୬ ଗୌଣି ଧାନ ଅମଳ ହେଉଥିଲା । କିନ୍ତୁ ବର୍ତମାନ ଯୁଗ ସହିତ ତାଳ ଦେଇ ଚାଷୀମାନେ ଅଧିକ ଅମଳକ୍ଷମ ଧାନ ଚାଷ କରୁଥିବାରୁ ଚାଷୀମାନେ ଏହି ଧାନ ବିହନ ପାଇଁ ସରକାରୀ ବିହନ ଉପରେ ନିର୍ଭର କରିଥାନ୍ତି । ବର୍ତମାନ ତଳି ପକାଇବା ସମୟ ହୋଇଗଲାଣି । ସେଥିପାଇଁ ଚାଷୀମାନେ ଜମି ପ୍ରସ୍ତୁତ କରି ସାରିଛନ୍ତି । କିନ୍ତୁ ଗରଦପୁର ବ୍ଲକ୍ର ବିଭିନ୍ନ ସମବାୟ ସମିତିକୁ ଯୋଗାଣ କରାଯାଇଥିବା ସରକାରୀ ବିହନ ସମୁଦ୍ରକୁ ଶେଙ୍ଖ । ଗରଦପୁର ବ୍ଲକ୍ରେ ପ୍ରତିବର୍ଷ ପ୍ରାୟ ୮ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯାଇଥାଏ । ସାଧାରଣତଃ ପ୍ରତିବର୍ଷ ଏହି ଖରିଫ୍ ଫସଲ ପାଇଁ ଆବଶ୍ୟକ ପଡୁଥିବା ଅଧିକ ଅମଳକ୍ଷମ ବିହନଗୁଡିକୁ ବ୍ଲକ୍ ରେ ଥିବା ୯ ଗୋଟି ପ୍ରାଥମିକ ସେବା ସମବାୟ ସମିତି ଓ କେତେକ ଏଜେଂଟ ଜରିଆରେ ସରକାର କୃଷି ବିଭାଗ ତରଫରୁ ବିଭିନ୍ନ ପ୍ରକାର ବିହନ ଯୋଗାଇଦେଇଥାନ୍ତି । ଚଳିତ ବର୍ଷ ଗରଦପୁର ବ୍ଲକ୍ର ୭ଟି ସେବା ସମବାୟ ସମିତିକୁ ମୋଟ ୧୮୨ କ୍ୱିଂଟାଲ ଧାନ ବିହନ ଯୋଗାଇ ଦିଆଯାଇଛି । ବଙ୍ଗାଳପୁର ଓ ବଡବେତେରା ସେବା ସମବାୟ ସମିତି ବ୍ୟତୀତ ସାନଅଢଙ୍ଗା, ପାଖଡ, ବେଡାରୀ, ନଡିଆବରାଇ, ତେଣ୍ଡାକୁଡା, ତଳକୁସୁମା ସେବା ସମବାୟ ସମିତିକୁ ୨୫ କ୍ୱିଂଟାଲ ପୂଜା ଓ ସ୍ୱର୍ଣ୍ଣ ଧାନ ଯୋଗାଣ କରାଯାଇଥିବାବେଳେ ଗରଦପୁର ସେବା ସମବାୟ ସମିତିକୁ ୩୨ କ୍ୱିଂଟାଲ ଧାନ ବିହନ ଯୋଗାଣ କରାଯାଇଛି । ତେବେ ଶାରଳା ଧାନ ପାଇଁ ଚାଷୀମାନଙ୍କର ଚାହିଦା ରହିଥିବାବେଳେ ଶାରଳା ଧାନ ଯୋଗାଣ କରାଯାଇନାହିଁ । ତେଣୁ ପର୍ଯ୍ୟାପ୍ତ ପରିମାଣର ଧାନ ବିହନ ଏପରିକି ଶାରଳା ଧାନ ଯୋଗାଣ କରାଯାଇନଥିବାରୁ ଚାଷୀ ହତାଶ ହୋଇ ଫେରୁଥିବା ଦେଖାଯାଉଛି ।  ଏପରିକି କିଛି ଚାଷୀ ବାହାର ବଜାରରୁ ଅଧିକ ମୂଲ୍ୟରେ ଧାନ ବିହନ କିଣୁ ଥିବା ଦେଖାଯାଉଛି । ସରକାରୀ ଧାନ ବିହନ ମିଳୁନଥିବାରୁ ଅନେକ ଚାଷୀ ଚିନ୍ତାରେ ପଡିଯାଇଛନ୍ତି । କାରଣ ଗତବର୍ଷ ଲଗାଣ ବର୍ଷା ଯୋଗୁଁ ଧାନ ନଷ୍ଟ ହୋଇଯାଇଥିବାରୁ ଲୋକମାନେ ବିହନ ରଖିପାରିନଥିବାରୁ ଧାନ ବିହନ ପାଇଁ ବିଭାଗ ଉପରେ ସଂପୂର୍ଣ୍ଣ ନିର୍ଭର କରି ରହିଛନ୍ତି । ତେଣୁ ସରକାରୀ ସ୍ତରରେ ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ  ଅଧିକ ଅମଳକ୍ଷମ ଧାନ ବିହନ ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.