କେନ୍ଦ୍ରାପଡ଼ା,୧୨/୦୬/୨୦୨୧(ଓଡ଼ିଶା ସମାଚାର)- ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଙ୍ଘର ସଭାପତି ପ୍ରଦୀପ ମିଶ୍ରଙ୍କ ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସଭାପତି ନିରଞ୍ଜନ ପରିଡାଙ୍କ ନେତୃତ୍ୱରେ ମହାସଂଘର ରାଜ୍ୟ ଉପସଭାପତି ସମ୍ପଦ ସ୍ୱାଇଁ, ସମ୍ପାଦକ ହରେକୃଷ୍ଣ ପାତ୍ର ପ୍ରମୁଖ ଏକ ତିନି ଜଣିଆ ପ୍ରତିନିଧି ମଣ୍ଡଳି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଆଜିର କରୋନା ମହାମାରୀ ସଙ୍କଟ ସମୟରେ ଦେଶ ପାଇଁ ଆବଶ୍ୟକ ହେଉଥିବା ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଶିକ୍ଷା ବ୍ୟବସ୍ଥାର ଭିତିିଭୂମିକୁ ସୁଦୃଢ କରାଯିବା ଉଚିତ । ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ବ୍ୟୟ ବରାଦ ଏବଂ କାର୍ଯ୍ୟକାରିତା ନିମନ୍ତେ ସଂସଦରେ ଏକ ସ୍ୱତନ୍ତ୍ର ଅଧିନିୟମ (ସ୍ୱାସ୍ଥ୍ୟ ନିଶ୍ଚିତତା ଆଇନ) ପ୍ରଣୟନ କରାଯିବା ଆବଶ୍ୟକ । ଏହା ଦ୍ୱାରା ସ୍ୱାସ୍ଥ୍ୟସେବା ଓ ଏହାର ଭିତିଭୂମି ସୁଦୃଢ କରିବା ଆବଶ୍ୟକ ଅର୍ଥ ଜିଡିପିର ୬ପ୍ରତିଶତ ଖର୍ଚ୍ଚ କରିବାକୁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଉପରେ ଏକ ଆଇନଗତ ଦାୟୀତ୍ୱ ପ୍ରଦାନ କରିପାରିବ । ଏଥିସହିତ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆବଶ୍ୟକ ମାନବସମ୍ବଳ ପାଇଁ ଅର୍ଥ ଭାର କେନ୍ଦ୍ର ସରକାର ବହନ କରିବା ସହିତ ଇଂଲଣ୍ଡରେ ପ୍ରଚଳିତ ଜାତୀୟ ସ୍ୱାସ୍ଥ୍ୟସେବା ଯୋଜନା ପରି ଏକ ଯୋଜନା ଭାରତରେ ଆରମ୍ଭ ହେବା ସହ ପ୍ରତ୍ୟେକ ଭାରତୀୟଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏକ ନିଶ୍ଚିତ ବ୍ୟବସ୍ଥା ହୋଇପାରିବ । ଯଦି ବିଭିନ୍ନ ମାଗଣା ଯୋଜନାରେ ସରକାର ବ୍ୟୟ ବରାଦ କରି ଖର୍ଚ୍ଚ କରିପାରୁଛନ୍ତି ତେବେ ସ୍ୱାସ୍ଥ୍ୟସେବା ଉପରେ କରାଯାଇଥିବା ବିନିଯୋଗ ଦେଶର ଅର୍ଥନୀତି ଉପରେ କୈାଣସି ପ୍ରଭାବ ପକାଇବ ନାହିଁ ବରଂ ଜନଜୀବନ ରକ୍ଷା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ମହାସଂଘ କହିଛି । ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥର ପରିମାଣ ଆମର ଜୀବନଶୈଳିରେ ସୁସ୍ଥତା ଆଣିବା ସହିତ କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବ । ଏହା ବ୍ୟତିତ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଦେଶର ଏକ ବୃହତ ଜନସଂଖ୍ୟା ଚିକିତ୍ସା ପାଇଁ ଖର୍ଚ୍ଚ ହେତୁ ପ୍ରତିବର୍ଷ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ଲୋକଙ୍କୁ ଦାରିଦ୍ର୍ୟ ସୀମାରୁ ଫେରାଇ ଆଣିବା ପାଇଁ କୋଟି କୋଟି ଖର୍ଚ୍ଚ କରୁଥିବା ସରକାର ନିଶ୍ଚିତ ସ୍ୱାସ୍ଥ୍ୟସେବା ଆଇନ ଲାଗୁହେଲେ ଏହି ଖର୍ଚ୍ଚ ମଧ୍ୟ ସଂଚୟ ହେବ । ଏହି ଅର୍ଥ ସ୍ୱାସ୍ଥ୍ୟସେବାରେ ବିନିଯୋଗ ହୋଇପାରିବ ଓ ଏକ ବୃହତ ଭାରତୀୟ ସମୁଦାୟ ନିଜର ସ୍ୱାସ୍ଥ୍ୟ ଅଧିକାର ପାଇପାରିବେ ବୋଲି ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଦାବି କରାଯାଇଛି । ଓଡ଼ିଶା ସମାଚାର