କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-କରୋନାର ଦ୍ୱିତୀୟ ଲହର ସାରା ଭାରତ ବର୍ଷକୁ କବଳିତ କରିଥିବା ବେଳେ କେନ୍ଦ୍ରର ବିଜେପି ସରକାର ଲଗାତାର ଭାବେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି କରିଚାଲିଛନ୍ତି । ଏପରି କି ପେଟ୍ରୋଲ ଲିଟର ୧ଶହ ଟଙ୍କା,ଡିଜେଲ ୯୫ ଟଙ୍କା ଓ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୯ଶହ ଟଙ୍କାରେ ପହଂଚିଲାଣି । ଗତ ୟୁ.ପି.ଏ. ସରକାର ସମୟରେ ପେଟ୍ରୋଲ ୪୦ରୁ ୬୦ଟଙ୍କା, ଡିଜେଲ ୩୫ରୁ ୫୦ଟଙ୍କା ଓ ରନ୍ଧନ ଗ୍ୟାସ ୩୫୦ ଟଙ୍କାରୁ ୪ଶହ ଟଙ୍କା ଥିବାବେଳେ ଅଧିକ ମୂଲ୍ୟ ବୋଲି ଅଭିଯୋଗ କରି ରାଜରାସ୍ତାରେ ଆନ୍ଦୋଳନ କରୁଥିବା ବିଜେପି ନେତା ଓ ନେତ୍ରୀମାନେ ଆଜିର ଏହି ମୂଲ୍ୟ ବୃଦ୍ଧିରେ ଚୁପ ବସିଥିବା କଂଗ୍ରେସ ଅଭିଯୋଗ କରିଛି । କେନ୍ଦ୍ରାପଡା ଜିଲ୍ଲା ମତ୍ସ୍ୟଜୀବି କଂଗ୍ରେସ ପକ୍ଷରୁ ତିନିମୁହାଣୀ ଓ ଆଇନ ମହାବିଦ୍ୟାଳୟ ନିକଟ ଭାରତ ପେଟ୍ରୋଲିୟମ ଏବଂ ରିଲାଏନ୍ସ ପେଟ୍ରୋଲିୟମ ଟାଙ୍କି ସମ୍ମୁଖରେ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ-ଧାରଣା ଦିଆଯାଇଥିଲା । ଅଖିଳ ଭାରତ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଧେଶରେ ନରେନ୍ଦ୍ର ମୋଦି ସରକାରଙ୍କ ଏହି ଜନ ବିରୋଧି କାର୍ଯ୍ୟ ପ୍ରତିବାଦରେ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା । କଂଗ୍ରେସ କର୍ମୀ ଓ ନେତାମାନେ ବିଜେପି ସରକାରଙ୍କ ଅହେତୁକ ତୈଳଦର ବୃଦ୍ଧି,ଆର୍ଥିକ ମାନ୍ଦାବସ୍ଥା, ଉତ୍କଟ ବେକାରୀ ସମସ୍ୟା, ନିତ୍ୟ ବ୍ୟବହାର୍ଯ୍ୟ ଓ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି, ଦିନ ମଜୁରିଆ ଓ କ୍ଷୁଦ୍ର ତଥା ମଧ୍ୟମ ବ୍ୟବସାୟୀଙ୍କ କରୋନା ମହାମାରୀ କଟକଣା ପାଇଁ ଆର୍ଥିକ ସଂଙ୍କଟ ବିଷୟରେ ବିଜେପି ସରକାର ଓ ନରେନ୍ଦ୍ର ମୋଦିଙ୍କ ଅପାରଗତାକୁ ଦାୟୀ କରି ପ୍ଲାକାର୍ଡ ଓ ବ୍ୟାନର ପ୍ରଦର୍ଶନ କରି ସ୍ଲୋଗାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ତଥା ପ୍ରଦେଶ ମତ୍ସ୍ୟଜୀବି କଂଗ୍ରେସ ସଭାପତି ହଳଧର ସେଠୀ, ପ୍ରଦେଶ କଂଗ୍ରେସ ସମ୍ପାଦକ ମୁକ୍ତାର ଖାଁ, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, କ୍ଷୀରୋଦ ଚନ୍ଦ୍ର ବେହେରା, ଛାତ୍ର କଂଗ୍ରେସ ସଭାପତି ପରୱେଜ ଅକ୍ତର, ଯସ୍ମିନ ପରଓି୍ୱନ, ସମ୍ବିତ ଶ୍ରୀଚନ୍ଦନ, ନିରଞ୍ଜନ ପରିଡା, ସନ୍ତୋଷ ବେହେରା, ରତିକାନ୍ତ ସାମଲ, ହୃଷିକେଶ ବେହେରା, ରଜନୀକାନ୍ତ ସ୍ୱାଇଁ, ଭବାନୀ ଶଙ୍କର ଦାସ, ୟାସିନ, ସେକ୍ ଟିପୁସୁଲତାନ, ଭାଗିରଥୀ ଜେନା, ବସନ୍ତ ସେଠୀ, ପୂର୍ଣ୍ଣାନନ୍ଦ ଭଦ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମ ପ୍ରଦେଶ କଂଗ୍ରେସ କମିଟିି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଲିଖିତ ନିର୍ଦ୍ଧେଶ ମୁତାବକ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଚାଲିଥିଲା । ଓଡ଼ିଶା ସମାଚାର