ଗରଦପୁର, ୧୧/୦୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ମହମ୍ମୁଦା-ଭାଟପଡା ଗ୍ରାମର ହେମଲତା-ନଟବର ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଆଜି ସ୍ଥାନୀୟ ମାଣିକପୁର ଗ୍ରାମର ଗୋଟିଏ ଅସହାୟ ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ଫାଉଣ୍ଡେସନ୍ ର ସଭାପତି ଅନାଦି ଚରଣ ମହାନ୍ତି ଏବଂ ସମ୍ପାଦିକା ସନ୍ଧ୍ୟାରାଣୀ ଜେନା ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ପାଟକୁରା ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମର ନିଶାମଣୀ ସାହୁ (୮୦) ଓ ତାଙ୍କ ପତ୍ନୀ କାଂଚନ ସାହୁ(୭୫) ଅସହାୟ ଅବସ୍ଥାରେ ଏକ ଭଙ୍ଗା ପଲିଥିନ୍ ଘେରା ଘରେ ରହିଛିନ୍ତି । ଏହି ବୃଦ୍ଧ ଦମ୍ପତି ରହୁଥିବା ମାଟି ଘର ଭାଙ୍ଗିରୁଜି ଯାଇଛି । ଘରର ଚାଳ ଛପର ନ ଥିବାରୁ ବର୍ଷା ପାଣି ଘରେ ପଡୁଥିବାରୁ ଘର ଉପରେ ବିଭିନ୍ନ ରଙ୍ଗ,ବେ-ରଙ୍ଗର ପୁରୁଣା ପାଲ କେତେ ଖଣ୍ଡ ଢଙ୍କାଯାଇଛି । ଅତି ଅସହାୟ ଅବସ୍ଥାରେ ରହୁଥିବା ଏହି ବୃଦ୍ଧ ଦମ୍ପତିଙ୍କୁ ଆଜି ଟ୍ରଷ୍ଟର ସଭାପତି ଅନାଦି ଚରଣ ମହାନ୍ତି,ତାଳସଙ୍ଗା ପଂଚାୟତର ସରପଂଚ କବିନ୍ଦ୍ର ନାଥ ଜେନା,ନିମାଇଁ ଚରଣ ବେହେରା,ପ୍ରଫୁଲ୍ଲ କୁମାର ସାହୁ ଓ ରଞ୍ଜନ କୁମାର ବେଉରା ପ୍ରମୁଖ ଅସହାୟ ପରିବାର ନିକଟକୁ ଯାଇ ୫ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ଘରେ ବର୍ଷା ପାଣି ପଡୁଥିବା ଏବଂ ସମ୍ଭାବ୍ୟ ବଡ ଧରଣର ବର୍ଷା ହେବାର ପାଣିପାଗ ବିଭାଗ ସତର୍କତା କରିଥିବାରୁ ଏହି ପରିବାରକୁ ଏକ ଜରି ପାଲ ଆସନ୍ତା କାଲି ଯୋଗାଇ ଦେବା ପାଇଁ ଟ୍ରଷ୍ଟର ସଭାପତି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର