ଭିତିଭୂମିର ବିକାଶ ଉପରେ ନିର୍ଭର କରେ କୁନି ପିଲାଙ୍କ ଭବିଷ୍ୟତ
କେନ୍ଦ୍ରାପଡ଼ା,୧୦/୦୬/୨୦୨୧(ଓଡ଼ିଶା ସମାଚାର)-ସମସ୍ୟା ଘେରରେ ଥିବା ସର୍ବପୁରାତନ ବିଦ୍ୟାଳୟଟିର ଭିତିଭୂମିର ଆବଶ୍ୟକତା ରହିଛି । ଛାତ୍ରାଛାତ୍ରୀଙ୍କ ସଂଖ୍ୟା ବହୁ ଅଧିକ ଥିଲେବି ଶ୍ରେଣୀଗୃହର ଆବଶ୍ୟକତାକୁ ପୁରଣ ଦିଗରେ ନା ଜନ ପ୍ରତିନିଧି ନା ପ୍ରଶାସନ କେହିବି ଧ୍ୟାନଦେଉନଥିବା ଅଭିଯୋଗ କରିଛନ୍ତି ଅଂଚଳବାସୀ । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତର ଆୟବା ପ୍ରାଥମିକ ବିଦ୍ୟାଳୟ ୧୮୯୫ମସିହାରେ ସ୍ଥାପନ କରାଯାଇଥିଲା । ସଦର ମହକୁମାକୁ ଯୋଗାଯୋଗର ସୁବିଧା ନଥିବା ସମୟରେ ସେ ଅଂଚଳର ପିଲାମାନଙ୍କ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇ ୧୨୬ବର୍ଷ ତଳେ ଆୟବାରେ ସ୍ଥାପିତ ହୋଇଥିଲା ଏହି ବିଦ୍ୟାଳୟଟି । ଆଜି କିନ୍ତୁ ଭଗ୍ନ ଓ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ପଡିରହି ନିଜର ସେହି ପୁରାତନ ଇତିହାସକୁ ମୁକସାଖି କରି କଙ୍କାଳ ଭଳି ଛିଡାହୋଇ ରହିଛି । ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୭ଟି ଶ୍ରେଣୀରେ ମୋଟ ୧୩୫ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । କିନ୍ତୁ ଦୁଇଟି ଶ୍ରେଣୀକକ୍ଷରେ ୭ଟି ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାନ୍ତି ମାତ୍ର ୪ଜଣ ଶିକ୍ଷକ । ଏ ଅଂଚଳରେ ସର୍ବପ୍ରାଚୀନ ବିଦ୍ୟାଳୟ ଭାବେ ଆୟବା ପ୍ରାଥମିକ ବିଦ୍ୟାଳୟ ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିଥିବା ବେଳେ ଆଜି ଜନ ପ୍ରତିନିଧି ଓ ପ୍ରଶାସନର ଉଦାସୀନତା ଯୋଗୁଁ ବିଦ୍ୟାଳୟର ଭିତିଭୂମିର ବିକାଶ ବହୁ ପଛରେ ପଡିଯାଇଛି । ବିଦ୍ୟାଳୟଟିରେ ବସିବାକୁ ଜାଗା ନଥିବା ବେଳେ ପାଠପଢା କଥା ପଚାରେ କିଏ । ବର୍ଷସାରା ଯାହା ଯେମିତି ହେଉ କଷ୍ଟେମଷ୍ଟେ ଚଳିଯାଉଥିଲେବି ବର୍ଷାଦିନ ଆସିଲେ କଥା ସରିଲା । ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ଡୋରିବନ୍ଧା ହେବା ସହ ପୁରୁଣା ଶ୍ରେଣିଗୃହର ଅବସ୍ଥା ଆହୁରି ବିଗିଡି ଯାଏ । ଏସମ୍ପର୍କରେ ସ୍ଥାନୀୟ ଅଂଚଳବାସୀ ଓ ଛାତ୍ରାଭିଭାବକମାନଙ୍କ ପକ୍ଷରୁ ସ୍ଥାନୀୟ ସରପଂଚଙ୍କ ଠାରୁ ଆରମ୍ଭ କରି ମଣ୍ଡଳ ଉନ୍ନୟନ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରିବା ପରେବି କୈାଣସି ସୁଫଳ ମିଳିନାହିଁ । ପ୍ରାଥମିକ ଶିକ୍ଷା ପ୍ରତି ଗୁରୁତ୍ୱାରୋପ କରୁଥିବା ସରକାର ଏଥିପ୍ରତି ଦୃଷ୍ଟିଦେଇ କୁନି କୁନି ପିଲାମାନଙ୍କ ଭବିଷ୍ୟତ ସହ ଲୁଚୁକାଳି ନଖେଳି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସରୋଜ କାନ୍ତ ପାଣି, ବାସୁଦେବ ଦାସ, ଶିବ ପ୍ରସାଦ ସ୍ୱାଇଁ, ବୀରେନ୍ଦ୍ର ଦାସ ପ୍ରମୁଖ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର
