Saturday , March 25 2023
Breaking News
Home / ବିଶେଷ / ସମସ୍ତ ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧିମାନେ ବାର୍ଷିକ ସମ୍ପତ୍ତି ବିବରଣୀ ସରକାରଙ୍କ ନିକଟରେ ଦାଖଲ କରିବେ

ସମସ୍ତ ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧିମାନେ ବାର୍ଷିକ ସମ୍ପତ୍ତି ବିବରଣୀ ସରକାରଙ୍କ ନିକଟରେ ଦାଖଲ କରିବେ

ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏସବୁ ଭିତରେ ରହିଛି ୪ଟି ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ଓ ପ୍ରଶସ୍ତିକରଣ । ପଶ୍ଚିମ ଓଡ଼ିଶାରେ ଗମନାଗମନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ନୂଆପଡ଼ାରୁ କଳାହାଣ୍ଡି ଯାଏଁ ବିଜୁ ଏକ୍ସପ୍ରେସ ୱେ ୪ ଲେନ୍ ହେବ । ୧୭୪ କିଲୋମିଟର ବିଶିଷ୍ଟ ରାସ୍ତାରେ ମୋଟ ୪୪୮ କୋଟି ଟଙ୍କା ଖର୍ଚ୍ଚ ହେବ । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଓଡ଼ିଶା ପ୍ରଶାସନିକ ସେବା ବା ଓଏଏସ ପାହ୍ୟାରେ ଆଉ ୨୨୦ଟି ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଓଏଏସ୍ ପାହ୍ୟାରେ ଥିବା ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୧୯୦୩ ରୁ ୨୧୨୩କୁ ବୃଦ୍ଧି ପାଇଛି । ଓଏଏସ୍ ପଦବୀର ବରିଷ୍ଠ ପାହ୍ୟାରେ ମୋଟ ୨୨୦ଟି ପଦବୀ ସୃଷ୍ଟି ହୋଇଛି ଓ ଏଣ୍ଟ୍ରି ଲେଭଲ୍ ପଦବୀ ସଂଖ୍ୟା ସମାନ ରହିଛି। ସେହପରି ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ପ୍ରଶାସନିକ ସେବା କ୍ୟାଡ଼ରର ପୁନର୍ବିନ୍ୟାସ କରାଯାଇଛି। ଏଥି ସହିତ ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମାବଳୀ-୧୯୫୯ ର ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।ସେହିପରି ଅର୍ଥ, ମତ୍ସ୍ୟ ଓ ପ୍ରାଣୀ ସଂପଦ, ସାଧାରଣ ପ୍ରଶାସନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି ।
ଗତ ୨୦୨୦ ଡିସେମ୍ବର ୨୮ତାରିଖରେ ରାଜ୍ୟ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତିକୁ କାର୍ୟ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମାବଳୀ-୧୯୫୯ର ନିୟମ-୨୧ରେ ଥିବା ବ୍ୟବସ୍ଥାରେ ସଂଶୋଧନ ଆବଶ୍ୟକ ହୋଇଥିଲା, ଯାହାକୁ କ୍ୟାବିନେଟ ସଂଶୋଧନ ପାଇଁ ମଞ୍ଜୁରୀ ଦେଇଛନ୍ତି।ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମାବଳୀ-୧୯୫୯ର ନିୟମ ୨୧ରେ ଧାର୍ୟ୍ୟ ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜ ନାମରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତଥା ଏହାର ମୂଲ୍ୟ ବିଷୟରେ ଏକ ସତ୍ୟ ଓ ସମ୍ପୂର୍ଣ୍ଣ ଘୋଷଣା କରିବା ଆବଶ୍ୟକ। ରାଜ୍ୟ କ୍ୟାବିନେଟ ୨୦୨୦ ଡିସେମ୍ବର ୨୮ରେ ନେଇଥିବା ନିଷ୍ପତ୍ତି ଅନୁସାରେ ସମସ୍ତ ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧିମାନେ ବାର୍ଷିକ ସମ୍ପତ୍ତି ବିବରଣୀ ସରକାରଙ୍କ ନିକଟରେ ଦାଖଲ କରିବା ଆବଶ୍ୟକ। ଏହାକୁ ସାଧାରଣ ଲୋକଙ୍କ ସୂଚନା ପାଇଁ ସାର୍ବଜନୀନ କରାଯିବ। ଓଡ଼ିଶା ସମାଚାର

Leave a Reply

Your email address will not be published.