ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର)- ବାତ୍ୟା ‘ୟାସ୍’ ପ୍ରଭାବିତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ଘୋଷଣା ହେବା ପରେ ଛୋଟ ଓ ନାମମାତ୍ର ଚାଷୀମାନେ ମଧ୍ୟ ଇନ୍ପୁଟ ସହାୟତା ପାଇପାରିବେ । ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିବା ନାମମାତ୍ର ଚାଷୀଙ୍କ ପାଇଁ ସହାୟତା ଘୋଷଣା ହୋଇଛି । ୩୩ ପ୍ରତିଶତରୁ ଅଧିକ କ୍ଷୟକ୍ଷତି ହୋଇଥିଲେ ସ୍ୱଳ୍ପ ଓ ମଧ୍ୟମ ମିଆଦୀ ଋଣକୁ ପରିବର୍ତ୍ତନ କରାଯିବ ।
ରାଜ୍ୟ ସରକାର ଚାଷୀମାନଙ୍କୁ କୃଷି ଯନ୍ତ୍ରୀକରଣ ପାଇଁ ୨୦ କୋଟି ଟଙ୍କାର ରିହାତି ଦେବେ । ଏହି ଟଙ୍କା ଚାଷୀଙ୍କୁ ଡିବିଟି ଜରିଆରେ ମିଳିବ । ଅଣ ଜଳସେଚିତ ଅଂଚଳ ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା ଦେବେ । ଜଳସେଚିତ ଅଂଚଳ ପାଇଁ ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା ମିଳିବ । ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ସବସିଡି ଦେବାକୁ ଘୋଷଣା କରିଛନ୍ତି । ସବୁଦିନିଆ ଫସଲ ପାଇଁ ଚାଷୀଙ୍କୁ ସର୍ବନିମ୍ନ ୨ ହଜାର ଟଙ୍କା ସବସିଡି ମିଳିବ । ଆମ୍ବ, କାଜୁ, ନଡିଆ, କେତକୀ, ପାନ ଆଦି ଫସଲ ସବୁଦିନିଆ ଫସଲ ଶ୍ରେଣୀରେ ଅନ୍ତର୍ଭୁକ୍ତ। ଧାଡ଼ି ରୁଆ ଚାଷୀମାନଙ୍କୁ ହେକ୍ଟର ପିଛା ୧୫୦୦ ଟଙ୍କା ସହାୟତା ମିଳିବ । ରୋଗ ପୋକ ମାରିବା ପାଇଁ ଆବଶ୍ୟକ ଇନପୁଟ ଚାଷୀଙ୍କ ଆକାଉଣ୍ଟକୁ ଯିବ । ସେହିଭଳି ଚାଷୀଙ୍କ ସ୍ବଳ୍ପ ମିଆଦୀ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିବର୍ତ୍ତନ କରାଯିବ । ଘୋଷିତ ପ୍ୟାକେଜ ଶୀଘ୍ର କାର୍ୟ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ କେବଳ ପ୍ରକୃତ ଚାଷୀ ମାନଙ୍କୁ ଏହି ସହାୟତା ପ୍ରଦାନ କରାଯିବ।
ଚାଷୀମାନଙ୍କୁ ରିହାତି ଦରରେ ୨ ହଜାର ପମ୍ପସେଟ ଓ ୩ ହଜାର ସ୍ପେ୍ରୟାର ଯୋଗାଇ ଦିଆଯିବ । ପମ୍ପସେଟ ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୧୫ ହଜାର ଟଙ୍କା ମିଳିବ । ସରକାର ପାୱାର ସ୍ପେ୍ରୟାର ପାଇଁ ସର୍ବାଧିକ ୩୮୦୦ ଟଙ୍କା ରିହାତି ଦେବେ । ହାତ ସ୍ପେ୍ରୟାର ପାଇଁ ସର୍ବାଧିକ ୭୫୦ ଟଙ୍କା ରିହାତି ମିଳିବ ।
ସେହିପରି ଦୁଧିଆଳୀ ଗାଈ ଓ ମଇଁଷି ପାଇଁ ୩୦ ହଜାର ଟଙ୍କା ଘୋଷଣା ହୋଇଛି । ଖୀର ଦେଉ ନଥିବା ପ୍ରାଣୀଙ୍କ ପାଇଁ ୨୫ ହଜାର ଟଙ୍କା ସହାୟତା ମିଳିବ । କୁକୁଡ଼ା ଚାଷୀଙ୍କ ପ୍ରତି କୁକୁଡା ପିଛା ୫୦ ଟଙ୍କା ସହାୟତା ଘୋଷଣା ହୋଇଛି । ସର୍ବାଧିକ ୫ ହଜାର ଟଙ୍କା ଲେଖାଏଁ ପ୍ରତି କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ ଦିଆଯିବ । ବାତ୍ୟାରେ ଭାଙ୍ଗିଯାଇଥିବା ଗୁହାଳର ପୁନଃ ନିର୍ମାଣ ପାଇଁ ୨୧୦୦ ଟଙ୍କା ସହାୟତା ମିଳିବ । ଓଡ଼ିଶା ସମାଚାର