ପାରାଦୀପ ୦୯/୦୬/୨୦୨୧(ଓଡ଼ିଶା ସମାଚାର)-କରୋନା ମହାମାରୀରେ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ଗରିବ ଲୋକଙ୍କ ପାଇଁ ଖାଦ୍ୟ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏହି ପରିସ୍ଥିତିରେ ଶିଳ୍ପ ସହର ପାରାଦୀପ ଆଖପାଖ ଅଂଚଳରେ ବିଭିନ୍ନ ବସ୍ତିରେ ବସବାସ କରୁଥିବା ଗରିବ ଲୋକେ ରୋଜଗାର ହରାଇ ବଂଚିବା ପାଇଁ ଖାଦ୍ୟର ଆବଶ୍ୟକତା କରୁଥିବା ସ୍ଥଳେ କିଛି ସ୍ଥାନରେ ସେମାନଙ୍କ ପାଖରେ ସରକାରୀ କିମ୍ବା ବେସରକାରୀ ସଂସ୍ଥା ପକ୍ଷରୁ ସାହାଯ୍ୟ ସହଯୋଗ ପହଂଚି ପାରୁନାହିଁ । ତେବେ ଦେଶରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏନଓସି ଫାଉଣ୍ଡେସନ ଲଗାତର ଭାବେ ବିଭିନ୍ନ ବସ୍ତି ଅଂଚଳରେ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ, ସାନିଟାଇଜର ଓ ମାସ୍କ ବଂଟନ କରି ସାଧାରଣରେ ପ୍ରସଂଶିତ ହେଉଛନ୍ତି । ଏନଓସି ଫାଉଣ୍ଡେସନର ରାଜ୍ୟ ସଂଯୋଜିକା ଶୈଳେନ୍ଦ୍ରି ସେନାପତିଙ୍କ ନେତୃତ୍ୱରେ କୌଣସି ସାହାର୍ଯ୍ୟ ସହଯୋଗ ପହଁଚି ପାରୁ ନଥିବା ପାରାଦୀପର ମାଳିକା ପ୍ରସିଦ୍ଧ ଉଦୟବଟ୍ଟ ନିକଟସ୍ଥ ବସ୍ତିରେ ଗରିବ ପରିବାରଙ୍କୁ ଶତାଧିକ ଶୁଖିଲା ଖାଦ୍ୟ ପୁଡିଆ, ମାସ୍କ, ସାନିଟାଇଜର ଇତ୍ୟାଦି ପ୍ରଦାନ କରାଯାଇଥିଲା । ସେହିପରି କୁଜଙ୍ଗ ବ୍ଲକର ପଣ୍ଡୁଆ ପଂଚାୟତ ଅନ୍ତର୍ଗତ ନାପଙ୍ଗ ଗ୍ରାମରେ ଗରିବ କୁମ୍ଭାର ପରିବାର ମାନଙ୍କୁ ୧୦୦ରୁ ଉର୍ଦ୍ଧ ଖାଦ୍ୟ ପୁଡିଆ ଏବଂ ଭୁତମୁଣ୍ଡାଇ ଗ୍ରାମରେ ରୋଜଗାର ହରାଇଥିବା କୁମ୍ଭାର ପରିବାରଙ୍କୁ ଶହେରୁ ଉଦ୍ଧ୍ୱର୍ ଶୁଖିଲା ଖାଦ୍ୟ ପୁଡିଆ ଓ ମାସ୍କ ପ୍ରଦାନ କରାଯାଇଥିଲା । ଏହି ବଂଟନ ପ୍ରକ୍ରିୟାରେ ସଂଗଠନର ସଭ୍ୟ ନବଘନ ବେହେରା, ବିନତୀ ରାଉତ, ପ୍ରଶାନ୍ତ ମଲ୍ଲିକ, ସ୍ୱର୍ଣ୍ଣଲତା ରାଉତ ପ୍ରମୁଖ ସହଯୋଗ କରିଥିଲେ । ତେବେ ଏହି ପ୍ରକ୍ରିୟ କରୋନା ମହାମାରୀ ପ୍ରଶମିତ ନହେବା ପର୍ଯ୍ୟନ୍ତ ଚାଲିବ ବୋଲି ରାଜ୍ୟ ସଂଯୋଜିକା ଶ୍ରୀମତୀ ସେନାପତି କହିଛନ୍ତି । ତେବେ ଏହି ସଂସ୍ଥାର ନିରବଚ୍ଛିନ୍ନ ଭାବେ ସାଧାରଣ ଗରିବ ମାନଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ବଂଟନରେ ଏବେ ସହଯୋଗର ହାତ ବଢାଇଛନ୍ତି ଦୁଇ ସାରକାରଖାନା ଇଫକୋ ଓ ପିପିଏଲ୍ । ଅଧିକନ୍ତୁ ଅଧିକ ଲୋକ ଯେପରି ଏସବୁ ସାମଗ୍ରୀ ପାଇପାରିବେ ଏବଂ ସେହି ସବୁ ସାମଗ୍ରୀ ଫାଉଣ୍ଡେସନ ମାଧ୍ୟମରେ ଏହି ଦୁଇ ସଂସ୍ଥା ଯୋଗାଇ ଦେବ ବୋଲି ଜଣାପଡିଛି । ଓଡ଼ିଶା ସମାଚାର