କେନ୍ଦ୍ରାପଡ଼ା, ୦୮/୦୬/୨୦୨୧(ଓଡ଼ିଶା ସମାଚାର)-ରିଲାଏନ୍ସ ଜିଓ ଫାଇବର କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ବିକାଶ କୁମାର ରାଉତଙ୍କୁ ଦାଦାବଟି ମାଗି ୨ଜଣ ଗିରଫ ହୋଇଥିବା ସୂଚନା ମିଳିଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ସହରରେ ରିଲାଏନ୍ସ ଜିଓ ଫାଇବର କମ୍ପାନୀ ପକ୍ଷରୁ କେବୁଲ ବିଛା କାର୍ଯ୍ୟ ଚାଲୁରହିଛି । ଏଠାରେ କାର୍ଯ୍ୟ କରୁଥିବାରୁ ଦାଦାବଟି ନଦେଲେ କାମକରିପାରିବ ନାହିଁ ବୋଲି କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଧମକ ଦିଆଯିବା ସହ ୨ଲକ୍ଷ ଟଙ୍କା ଦାଦାବଟି ମଗାଯାଇଥିଲା । ସଂପୃକ୍ତ ମ୍ୟାନେଜର ଶ୍ରୀ ରାଉତଙ୍କୁ ଚାଟରାପାଟଣା ଗ୍ରାରେ ହେଉଥିବା କାର୍ଯ୍ୟ ସ୍ଥଳରେ ଉପସ୍ଥିତ ଥିବା ବେଳେ ତାଙ୍କୁ ଧରିନେଇ ମାଡମରାଯିବା ପରେ ସେ ଭୟଭିତ ହୋଇ ପ୍ରଥମେ ୨୫ ହଜାର ଟଙ୍କା ଦାଦାବଟି ଦେଇଥିଲେ । ପରେ ଏସମ୍ପର୍କରେ କମ୍ପାନୀର ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇବା ପରେ ତାଙ୍କ ନିର୍ଦେଶକ୍ରମେ ଟାଉନ ଥାନାରେ ଅଭିଯୋଗ କରିଥିଲେ ମ୍ୟାନେଜର ଶ୍ରୀ ରାଉତ । ତାଙ୍କ ଅଭିଯୋଗକୁ ଭିତିକରି ଟାଉନ ଥାନାରେ ୯୭/୨୦୨୧ ରେ ଆଇପିସିର ୩୯୫ଧାରାରେ ଏକ ମାମଲା ରୁଜୁ ହୋଇଥିଲା । ସେହି ଘଟଣାରେ ମ୍ୟାନେଜର ଶ୍ରୀ ରାଉତଙ୍କୁ ଦାଦାବଟି ମାଗି ଭୟଭିତ କରିଥିବା ଟାଉନ ଥାନା ଅନ୍ତର୍ଗତ ଚାଟରାପାଟଣା ଗ୍ରାମର ପ୍ରଭାତ କୁମାର ପାଣି(୩୫) ଓ ସୁଜିତ କୁମାର ରାଉତ(୩୮)ଙ୍କୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୩ଜଣ ଚିଂଟୁ ଓରଫ ଶୁଭେନ୍ଦୁ ବାରିକ, ଗୁଡୁ ଓରଫ ଦେବାଶିଷ ପାଣି ଓ ରାଜା ଓରଫ ପ୍ରଦୀପ ଜେନା ଫେରାର ହୋଇଯାଇଥିବା ଟାଉନ ଥାନା ସବଇନସପେକ୍ଟର ସୌମ୍ୟରଞ୍ଜନ ଜାଲିଙ୍କ ଠାରୁ ସୂଚନା ମିଳିଛି । ଓଡ଼ିଶା ସମାଚାର