କେନ୍ଦ୍ରାପଡ଼ା, ୦୭/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ବିଧବାମହିଳା ଶନିବାର ନିକିରାଇ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୋଲିସର ଅସଦ ବ୍ୟବହାରର ଶୀକାର ହୋଇ ରାତିରେ ଘରକୁ ଫେରିବାକୁ ପଡିଥିବା ଅଭିଯୋଗ ହୋଇଛି । ନିକିରାଇ ଥାନା ଅନ୍ତର୍ଗତ ବାରୋ ଗ୍ରାମର ବ୍ରଜ କିଶୋର ଓଝାଙ୍କ ୩ଝିଅ ଓ ଗୋଟିଏ ପୁଅ । ସେଥି ମଧ୍ୟରୁ ୩ଟି ଝିଅଙ୍କ ବିବାହ ସରିଥିବା ବେଳେ ୨ଟି ଅବିବାହିତ ଝିଅ ଓ ଛୋଟ ପୁଅଟି ତାଙ୍କ ସହ ବାରୋସ୍ଥିତ ଘରେ ରୁହନ୍ତି । ୩ବିବାହିତ ଝିଅଙ୍କ ମଧ୍ୟରୁ ଆଳିର ଚଣ୍ଡିଆଗଡିରେ ଝିଅ କଳ୍ପନା ଓଝା ବିବାହ କରିଥିବା ବେଳେ କୋଭିଡରେ ସ୍ୱାମୀଙ୍କ ମୃତୁ୍ୟ ହୋଇଯିବା ପରେ କଳ୍ପନା ମଧ୍ୟ ବାପଘରେ ବାରୋ ଗ୍ରାମରେ ରହି ଆସୁଛନ୍ତି । ବ୍ରଜ କିଶୋରଙ୍କ ସାନଭାଇ ତଥା କଳ୍ପନାଙ୍କ ଦାଦା ଉଦୟନାଥ ଓଝା ବ୍ରଜଙ୍କ ସମସ୍ତ ଚାଷଜମି ମାଡିବସି ନିଜ କବଜାରେ ରଖିଥିବା ବେଳେ ବଡଭାଇ ଓ ତାଙ୍କ ପିଲାମାନଙ୍କୁ ସେଠାରୁ ବିଦା କରିଦେବା ଉଦେଶ୍ୟରେ ବିଭିନ୍ନ ସମୟରେ କଳିଗୋଳ କରିବା ସହ ସେମାନଙ୍କୁ ଜୀବନରେ ମାରିଦେବାର ଉଦ୍ୟମ କରୁଥିବା ସମ୍ପର୍କରେ କଳ୍ପନା ଶନିବାର ତାଙ୍କ ସାନ ଭଉଣୀ ଓ ତାଙ୍କ ଛୋଟ ଝିଅକୁ ସାଙ୍ଗରେ ନେଇ ନିକିରାଇ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ଥାନାର ଏ.ଏସ.ଆଇ. ନିକୁଞ୍ଜ ପ୍ରଧାନ କଳ୍ପନାଙ୍କୁ ଦୀର୍ଘ ସମୟ ଥାନାରେ ବସାଇରଖି ରାତିରେ ତାଙ୍କୁ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଧମକଦେଇ ବିଦା କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟରେ ଥାନାରୁ ଫେରିବା ପରେ ପୋଲିସ ପାଖରୁ ଖବର ପାଇ ତାଙ୍କ ଦାଦା ଓ ଦାଦାପୁଅ ଭାଇମାନେ ତାଙ୍କ ୬୦ବର୍ଷର ବୃଦ୍ଧ ବାପାଙ୍କ ସମେତ ୨ସାନ ଭଉଣୀ, ଛୋଟଭାଇଓ ତାଙ୍କୁ ଘରୁ ବାଡେଇ ବିଦା କରିଦେଇଥିବା କଳ୍ପନା ଅଭିଯୋଗ କରିଛନ୍ତି । ତାଙ୍କ ବାପାଙ୍କ ସମେତ ସମସ୍ତଙ୍କ ଜୀବନ ପ୍ରତି ବିପଦ ଥିବା ବେଳେ ନିକିରାଇ ଥାନା ପୋଲିସ ଅଭିଯୁକ୍ତମାନଙ୍କୁ ସାହାଯ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର