Sunday , October 1 2023
Home / ବିଶେଷ / ସାଧୁସନ୍ଥଙ୍କୁ ମାସ୍କ, ସାନିଟାଇଜର ବାଂଟିଲେ ସମାଜସେବୀ ମାନସ ସାହୁ

ସାଧୁସନ୍ଥଙ୍କୁ ମାସ୍କ, ସାନିଟାଇଜର ବାଂଟିଲେ ସମାଜସେବୀ ମାନସ ସାହୁ

କେନ୍ଦ୍ରାପଡ଼ା, ୦୫/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ପୌରାଂଚଳର ୨୦ନମ୍ବର ୱାର୍ଡ ଅନ୍ତର୍ଗତ ଟିକିରୀ ମଠର ସାଧୁସନ୍ଥଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରିଛନ୍ତି ଚଳଚିତ୍ର ପ୍ରଯୋଜକ ତଥା ସମାଜସେବୀ ମାନସ କୁମାର ସାହୁ(ମାନ) । ଏହି ଅବସରରେ କରୋନା ମହାମାରୀରୁ ସମଗ୍ର ବିଶ୍ୱକୁ ରକ୍ଷା କରିବା ପାଇଁ ପ୍ରଥମେ ମନ୍ଦିରରେ ଆଳତୀ କରାଯାଇଥିଲା । ମଠର ମୁଖ୍ୟ ମହନ୍ତ ଦେଶର କଲ୍ୟାଣ ନିମନ୍ତେ ମନ୍ତ୍ର ଉଚାରଣ କରିଥିଲେ । ଏହାପରେ ମଠରେ ଥିବା ସମସ୍ତ ସାଧୁସନ୍ଥଙ୍କୁ ଶ୍ରୀ ସାହୁ ମାସ୍କ ଓ ସାନିଟାଇଜର ବଂଟନ କରିଥିଲେ । ଏହି ଅବସରରେ ମଠର  ମହନ୍ତ ବାବାଜୀ ହୃଷିକେଶ ଦାସ ଗଣମାଧ୍ୟମକୁ କହିଲେ ଯେ ଆମେ ସମସ୍ତେ ସରକାରଙ୍କ କରୋନା କଟକଣାକୁ ଅନୁସରଣ କରିବା ଉଚିତ । ମୁହଁରେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ଅତି ଜରୁରୀ କାମ ନ ଥିଲେ ଘରୁ ବାହାରକୁ ଯିବା ନାହିଁ । ଏଥିସହ ସମୟ ମିଳିଲେ ଟିକେ ଇଶ୍ୱରଙ୍କୁ ଧ୍ୟାନ କରିବା । ଇଶ୍ୱରଙ୍କୁ ଧ୍ୟାନ କଲେ ଆମ ମନରେ ଏକାଗ୍ରତା ବୃଦ୍ଧି ପାଇଥାଏ । ଏଥିସହ ନାସ୍ତିବାଚକ ଭାବନା ଆମ ମନରୁ ଦୂର ହୋଇଥାଏ । ଏହି ଅବସରରେ ସମାଜସେବୀ ଶ୍ରୀ ସାହୁ କହିଲେ ଯେ ସାଧୁସନ୍ଥମାନଙ୍କ ଦ୍ୱାରା ସମାଜରେ ଜନକଲ୍ୟାଣକାରୀ  କାର୍ଯ୍ୟ ହେଉଛି ।  ଆମର ବ୍ୟସ୍ତ ବହୁଳ ସମୟରୁ କିଛି କ୍ଷଣ ବାହାର କରି ମଠ ମନ୍ଦିରରେ ସାଧୁଙ୍କ ଗହଣରେ ବିତାଇବା ଉଚିତ । ଏହାଦ୍ୱାରା ଆମ ମାନସିକତାରେ ପରିବର୍ତନ ହେବା  ସହ  ଆମକୁ ଆନନ୍ଦ ମିଳିବ ବୋଲି ଶ୍ରୀ ସାହୁ କହିଥିଲେ । ଏହି ଅବସରରେ ମଠର ଟ୍ରଷ୍ଟି ଶରତ କୁମାର ବେହୁରା କହିଲେ କରୋନାର ଦ୍ୱିତୀୟ ଲହର ବହୁ ଜୀବନ ନେଇ ସାରିଲାଣି । ତୃତୀୟ ଲହର ଆସୁଛି । ଏହା ଅଧିକ ଭୟାନକ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।  ତେଣୁ ଆମେ ସରକାରଙ୍କ ନିୟମକୁ ଅନୁସରଣ କରିବା । ମଠର ସଭାପତି ଗୁଣନିଧି ଜଗତି କହିଲେ ଯେ ସରକାରଙ୍କ ନୀତି ନିୟମକୁ ପାଳନ କରି ଚଳିଲେ ଆମେ କରୋନାର ତୃତୀୟ ଲହରକୁ ଟାଳି ପାରିବା । ଯେଉଁମାନେ ସରକାରଙ୍କ କଟକଣା ପାଳନ କରୁ ନାହାଁନ୍ତି ସେମାନେ ବିପଦରେ ପଡୁଛନ୍ତି ବୋଲି ସେ କହିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *