କେନ୍ଦ୍ରାପଡ଼ା, ୦୫/୦୬/୨୦୨୧(ଓଡ଼ିଶା ସମାଚାର)- ହାତରେ ଖାଦ୍ୟ ପୁଡିଆ,ପାଣି ବୋତଲ । ଦୋକାନ ପିଣ୍ଡା ପୁଣି ଅନ୍ଧାରିଆ ଗଳିରେ ପଶି ବାଇକରେ ସାରା ସହର ଖେଦୁଛନ୍ତି “ରାଷ୍ଟ୍ର ନିର୍ମାଣ ଅଭିଯାନ”ର ସ୍ୱେଚ୍ଛାସେବୀ ମାନେ । ତେବେ ଲକଡାଉନ ସମୟରେ କ୍ଷୁଧାର୍ଥମାନଙ୍କ ପାଖରେ ଖାଦ୍ୟ ପହଂଚାଇବା ପାଇଁ ତାଙ୍କର ଏହି ପ୍ରୟାସ । ସଞ୍ଜ ନଈଁ ଗଲା ପରେ ତିନିମୁହାଣୀ ଛକରେ ଏକାଠି ହେଉଛନ୍ତି ଅନୁଷ୍ଠାନର ସଦସ୍ୟ ମାନେ । ସେଠାରେ ପାଉଁରୁଟି, କଦଳୀ, ଆଳୁକଷା, ଡାଲମା ପ୍ରଭୃତିକୁ ପ୍ୟାକିଙ୍ଗ କରାଯାଉଛି । ସାଙ୍ଗରେ ରହୁଛି ପାଣି ବୋତଲ । ନିଜ ନିଜ ବାଇକରେ ବାହାରି ପଡୁଛନ୍ତି ସେମାନେ । ଦୁହୁରିଆ, ଗରାପୁର , ମହିପାଳ, ନୂଆ ବସଷ୍ଟାଣ୍ଡ, ମେଡିକାଲ ରୋଡ, ପୁରୁଣା ବସଷ୍ଟାଣ୍ଡ, ସାନ୍ତସାହି, ରଥ ଦାଣ୍ଡ, ଶାମଗୁଡିଆ, ଗୋପ ପ୍ରଭୃତି ଅଂଚଳ ବୁଲିବୁଲି ମାନସିକ ଓ ବିକାରଗ୍ରସ୍ତ, ଦିବ୍ୟାଗଂ ଏବଂ ଅସହାୟ ମାନଙ୍କୁ ଖାଦ୍ୟ ବିତରଣ କରୁଛନ୍ତି । ତେବେ ଲକ୍ ଡାଉନ ସମୟରେ କେବଳ ରାତିରେ ନୁହେଁ ବରଂ ଦିନରେ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସହରରେ ରନ୍ଧାଖାଦ୍ୟ ବିତରଣ କରାଯାଉଛି । “ଅସହାୟମାନଙ୍କ ପାଖରେ ଖାଦ୍ୟ ପହଂଚାଇବା ପାଇଁ ଅନେକ ବ୍ୟକ୍ତି ସହାୟତାର ହାତ ବଢାଇଛନ୍ତି ଆମେ ତ କେବଳ ଏକ ସଂଯୋଗର ସେତୁ” ବୋଲି ଅନୁଷ୍ଠାନର ସଂଗଠନ ସମ୍ପାଦକ ରଶ୍ମି ରଞ୍ଜନ ସ୍ୱାଇଁ ମତବ୍ୟକ୍ତ କରିଛନ୍ତି । ଅନୁଷ୍ଠାନର ଏହି “ଅନ୍ନ ସେବା”କାର୍ଯ୍ୟକ୍ରମକୁ ବିକାଶ ସ୍ୱାଇଁ, ବିରେନ୍ଦ୍ର ଦାସ, ନିରଞ୍ଜନ ଦାସ, ମଳୟ ସାହୁ, ମାତୃଦତ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଲକ୍ ଡାଉନ ଜାରି ରହିଥିବା ଯାଏଁ ଅନ୍ନସେବା କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଓଡ଼ିଶା ସମାଚାର