ଗରଦପୁର,୦୨/୦୬/୨୦୨୧(ଓଡ଼ିଶା ସମାଚାର)-କରୋନା ମହାମାରୀ ସମୟରେ ସେବା କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ରାଜ୍ୟ ସରକାର ସମ୍ମୁଖ ଯୋଦ୍ଧା ଭାବରେ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା ସମ୍ମୁଖ ଯୋଦ୍ଧାମାନଙ୍କୁ ସ୍ୱେଛାସେବୀ ଅନୁଷ୍ଟାନ ‘ଗୁଞ୍ଜ’ ଓ ‘ଶାନ୍ତି ମୈତ୍ରୀ’ ମିଳିତ ସହଯୋଗ କ୍ରମେ ଆଜି ପାଟକୁରା ମେଡିକାଲ ପରିସରରେ ‘କରୋନା କିଟ୍ସ’ ବଂଟନ କାର୍ଯ୍ୟ ଆରମ୍ଭ କରାଯାଇଛି । ପାଟକୁରା ମେଡିକାଲ ପରିସିରରେ ‘ଶାନ୍ତି ମୈତ୍ରୀ’ ସ୍ୱେଛାସେବୀ ଅନୁଷ୍ଟାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଗରଦପୁର ବ୍ଲକ ବିଡିଓ ରଞ୍ଜିତ୍ କୁମାର ମଲ୍ଲିକ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଦେଶରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଥିବା ସମୟରେ ସ୍ୱେଛାସେବୀ ଅନୁଷ୍ଟାନ ପକ୍ଷରୁ କରୋନା ଯୋଦ୍ଧାମାନଙ୍କୁ ବଂଟନ କରାଯାଉଥିବା କିଟ୍ସ୍ ଅତ୍ୟନ୍ତ ଉପଯୋଗୀ ବୋଲି କହିଥିଲେ । ପାଟକୁରା ମେଡିକାଲର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ହିମାଂଶୁ ଭୂଷଣ ଷଢଙ୍ଗି ଉପସ୍ଥିତ ରହି କରୋନା ମହାମାରୀ ସମୟରେ ପାଟକୁରା ମେଡିକାଲରେ କାର୍ଯ୍ୟରତ ଏଏନଏମ୍, ଆଶାକର୍ମୀ, ମେଡିକାଲ କର୍ମଚାରୀ ଓ ଅଙ୍ଗନୱାଡି କର୍ମୀମାନଙ୍କ ଅନବରତ ସେବାକାର୍ଯ୍ୟ ସମ୍ପର୍କରେ କହିଥିଲେ । ଏହି ଅବସରରେ ବିଡିଓ ଶ୍ରୀ ମଲ୍ଲିକ ଉପସ୍ଥିତ ଥିବା ଏଏନଏମ୍,ମେଡିକାଲ ସୁପର ଭାଇଜର, ପ୍ରମୁଖ ଆଶାକର୍ମୀମାନଙ୍କୁ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଗୋଟିଏ ଲେଖାଏଁ ‘କୋଭିଡ୍ କିଟ୍ସ’ ପ୍ରଦାନ କରି ବଂଟନ କାର୍ଯ୍ୟର ଶୁୂଭାରମ୍ଭ କରିଥିଲେ । ଏହି କିଟସ୍ ମଧ୍ୟରେ ଓକ୍ସିମିଟର, ସାନିଟାଇଜର, ଗ୍ଲୋବସ୍,ମାସ୍କ,ମଲଟିଭିଟାମିନ୍, ପାରାସିଟାମଲ, ଓଆରଏସ୍, ଥର୍ମୋମିଟର, ପି.ପି.କିଟସ୍, ଫେସ୍ ସିଲ୍ଡ ଆଦି ବଂଟନ କରାଯାଇଛି । ‘ଶାନ୍ତି ମୈତ୍ରୀ’ ସ୍ୱେଛାସେବୀ ଅନୁଷ୍ଠାନର ପରିଚାଳନା ନିର୍ଦ୍ଧେଶକ ଭଗବାନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ଡାକ୍ତର କୈଳାଶ ଚନ୍ଦ୍ର ସାହୁ, ଗରଦପୁର ବ୍ଳକର ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, ବିଜେଡି ନେତା ପ୍ରଫୁଲ୍ଲ ଚନ୍ଦ୍ର ଦାସ, ନବଘନ ନାୟକ, ସ୍ୱେଛାସେବୀ ରଞ୍ଜନ କୁମାର ବେଉରା, ଟୁଲୁ ନନ୍ଦୀ, ଶିଶିର କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଉଦଘାଟିତ ହୋଇଥିବା ଏହି କିଟ୍ସ ବଂଟନ କାର୍ଯ୍ୟକ୍ରମ ୨/୩ ଦିନ ମଧ୍ୟରେ ପାଟକୁରା ମେଡିକାଲର ସମସ୍ତ ଏଏନଏମ୍,ଆଗ ଧାଡିର ଆଶା କର୍ମୀ ଏବଂ କେତେକ ବ୍ୟକ୍ତି ବିଶେଷମାନଙ୍କୁ ବଂଟନ କରାଯିବା ସହିତ ମାର୍ଶାଘାଇ ବ୍ଲକ ଅଂଚଳରେ ମଧ୍ୟ ବଂଟନ କରାଯିବାର କାର୍ଯ୍ୟକ୍ରମ ରହିଥିବା ସମ୍ପର୍କରେ ପରିଚାଳନା ନିର୍ଦ୍ଧେଶକ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର