Wednesday , May 31 2023
Home / ବିଶେଷ / ଜିଲ୍ଲା ପଂଚାୟତ ଅଧିକାରୀ ପଦ ଦୀର୍ଘବର୍ଷ ଧରି ଖାଲି ପଡିଛି

ଜିଲ୍ଲା ପଂଚାୟତ ଅଧିକାରୀ ପଦ ଦୀର୍ଘବର୍ଷ ଧରି ଖାଲି ପଡିଛି

କେନ୍ଦ୍ରାପଡ଼ା,୦୧/୦୬/୨୦୨୧(ଓଡ଼ିଶା ସମାଚାର)-ଆଉମାତ୍ର କିଛି ମାସ ପରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଥିବା ବେଳେ କେନ୍ଦ୍ରାପଡାରେ ଜିଲ୍ଲା ପଂଚାୟତ ଅଧିକାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଦୀର୍ଘବର୍ଷ ହେବ ଖାଲିପଡିଥିବା ଦେଖାଯାଇଛି ।  ଏତଦଭିନ୍ନ ଜିଲ୍ଲା ପଂଚାୟତ କାର୍ଯ୍ୟାଳୟରେ ଗୋଟିଏ ଉପଖଣ୍ଡ ପଂଚାୟତ ଅଧିକାରୀ ପଦ, ଗୋଟିଏ ମୁଖ୍ୟ କିରାଣୀ, ୩ଟି କନିଷ୍ଠ ସହାୟକ ଗୋଟିଏ ପିଅନ ପଦ ଏବଂ ଗୋଟିଏ ଗାଡିଚାଳକ ପଦ ମଧ୍ୟ ଖାଲି ପଡିଥିବା ଜଣାପଡିଛି  । ଆସନ୍ତା ୨୦୨୨ମସିହା ମାର୍ଚ୍ଚମାସରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ସେଦୃଷ୍ଟିରୁ ଅନ୍ତତଃ ଚଳିତ ବର୍ଷ  ଅଗଷ୍ଟମାସ  ସୁଦ୍ଧା ପ୍ରାକ୍ ନିର୍ବାଚନ ପ୍ରସ୍ତୁତି ବା ନିର୍ବାଚନ ପ୍ରକ୍ରୀୟା ଆରମ୍ଭ ହୋଇ ଜିଲ୍ଲାର ବିଭିନ୍ନ ପଂଚାୟତ ପାଇଁ ପଦ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ ହେବା ସହିତ ପଂଚାୟତ ଗୁଡିକରେ ଭୋଟର ତାଲିକା ପ୍ରସ୍ତୁତ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି  । ଏଭଳି ପରିସ୍ଥିତିରେ ଜିଲ୍ଲା ପଂଚାୟତ ଅଧିକାରୀ ପଦ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦ ଖାଲି ପଡିବା ଓ ସେହି ପଦରେ ଡି.ଆର.ଡି.ଏ.ର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ  ମନ୍ଦରଧର ମାହାଳି ଅତିରିକ୍ତ ଦାୟୀତ୍ୱରେ ରହିଥିବା ଜଣାପଡିଛି । ଶ୍ରୀ ମାହାଳି ବିଭିନ୍ନ ସମୟରେ ତାଙ୍କ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ  ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ଦେଖିବା ସମ୍ଭବ ହେଉନି । ଏତଦବ୍ୟତିତ ଜିଲ୍ଲା ପଂଚାୟତ ଅଧିକାରୀଙ୍କ ଦାୟୀତ୍ୱ ନେବା ପରେ ଗତ ମାର୍ଚ୍ଚମାସରୁ ପାୟତିରାଜ ବିଭାଗକୁ ପତ୍ର ଲେଖାଯାଇଥିଲେବି ଶ୍ରୀ ମାହାଳିଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରାଯାଇନଥିବାରୁ କାର୍ଯ୍ୟାଳୟର କର୍ମଚାରୀମାନେଦୀର୍ଘମାସ ଧରି ଦରମା ପାଇନଥିବା ବେଳେ  ଜିଲ୍ଲାର ସରପଂଚ ଓ ୱାର୍ଡସଭ୍ୟସଭ୍ୟାମାନେ  ମଧ୍ୟ ମାସିକ ଭତା ଓ ବୈଠକ ଭତା ପ୍ରଭୃତି ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ପୂର୍ବତନ ଜିଲ୍ଲାପାଳ ଏବଂ ବର୍ତମାନର ଜିଲ୍ଲାପାଳ ପଂଚାୟତିରାଜ ନିର୍ଦେଶକଙ୍କୁ ବାରମ୍ବାର ପତ୍ର ମାଧ୍ୟମରେ ଅବଗତ କରାଇଥିଲେବି କେନ୍ଦ୍ରାପଡାରେ ଜିଲ୍ଲା ପଂଚାୟତ ଅଧିକାରୀ ପଦ ପୁରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସୂଚନା ମିଳିଛି । ତେଣୁ ତ୍ରିସ୍ତରୀୟ ପ୍ରାକ ନିର୍ବାଚନ ପ୍ରସ୍ତୁତିର ପରିଚାଳନା ପାଇଁ ତୁରନ୍ତ ଏଠାରେ ଜିଲ୍ଲା ପଂଚାୟତ ଅଧିକାରୀ ପଦବୀ ପୁରଣ କରାଯିବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.