ଭୁବନେଶ୍ୱର,୩୦/୦୫/୨୦୨୧(ଓଡ଼ିଶା ସମାଚାର)- ଗତ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକ ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସରକାରଙ୍କ ବର୍ଷକର ସମସ୍ତ ସଫଳ କାର୍ୟ୍ୟର ତାଲିକା ରଖିଥିଲେ। ପରେ ଅତି ଭୀଷଣ ବାତ୍ୟା ‘ୟାସ୍’ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଉନ୍ନୟନ କମିସନର ତଥା ଏସଆରସି ପ୍ରଦୀପ କୁମାର ଜେନା ଉପସ୍ଥାପନ କରିଥିଲେ। ସେହିଭଳି କୋଭିଡ୍ ମୁକାବିଲା ସଂପର୍କରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ତଥ୍ୟ ରଖିଥିଲେ। ସରକାରଙ୍କର ବିଭିନ୍ନ କାର୍ୟ୍ୟର ଅଗ୍ରଗତି ସଂପର୍କରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିବରଣୀ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ଓ ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବାରେ ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନ ମୂଳକ ଥିଲା। ପଞ୍ଚମ ପାଳିର ସରକାର ଆରମ୍ଭ ପୂର୍ବରୁ ମେଁ ୨୦୧୯ ଓଡ଼ିଶା ଫନି ବାତ୍ୟାର ସମ୍ମୁଖୀନ କଲା। ସେବେଠାରୁ ଗତ ଦୁଇ ବର୍ଷ ହେଲା ବାତ୍ୟା ଏବଂ କୋଭିଡ ମହାମାରୀର ବିପର୍ୟ୍ୟୟକୁ ରାଜ୍ୟ ସାମ୍ନା କରିଆସୁଛି। ଏହା ହେଉଛି ଏକ ଅଭୂତପୂର୍ବ ସମସ୍ୟା ଏବଂ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ସର୍ବୋତମ ଚେଷ୍ଟା ଜାରି ରଖିଛନ୍ତି। ଓଡିଶାରେ ଅତ୍ୟନ୍ତ ଗୁରୁତର ପ୍ରଭାବ ସୃଷ୍ଟିକାରୀ ବାତ୍ୟାର ବର୍ଦ୍ଧିଷ୍ଣୁ ପ୍ରକ୍ରିୟାକୁ ଅନୁଭବ କରିଆସୁଛୁ। ୨୦୨୦ ମାର୍ଚ୍ଚ ପର ଠାରୁ କୋଭିଡ ମହାମାରୀ ଆମର ବିପର୍ୟ୍ୟୟ ପରିଚାଳନା ଅଭିଜ୍ଞତାରେ ଏକ ନୂଆ ସମସ୍ୟା ଭାବରେ ଦେଖାଦେଇଛି। କରୋନା ସଂକ୍ରମଣର ସଫଳ ନିୟନ୍ତ୍ରଣ ପୂର୍ବରୁ, ମାନବ ସମାଜକୁ ଏହି ମହାମାରୀର କେତେ ଲହର ଓ ଏହି ଭାଇରସ୍ର କେତେ ଅଧିକ ଭାରିଏଣ୍ଟ୍ର ସମ୍ମୁଖୀନ ହେବାକୁ ପଡିବ, ତାହା ବର୍ତ୍ତମାନ କେହି ସଠିକ ଭାବରେ କହିବା ସମ୍ଭବ ନୁହେଁ । ସେଥିପାଇଁ ପ୍ରସ୍ତୁତ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସଠିକ୍ ଭାବେ ପରିଚାଳନା କରିବାରେ ଆମେ ସକ୍ଷମ ହୋଇପାରିଛୁ ଏବଂ ସଂକ୍ରମଣର ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସରକାର ସବୁବେଳେ ଆଗୁଆ ପଦକ୍ଷେପ ନେଇଆସିଛନ୍ତି । ଯେତେବେଳେ ଅନ୍ୟ ରାଜ୍ୟମାନେ ଦୁର୍ଭାଗ୍ୟବଶତଃ ଅକ୍ସିଜେନ ସମସ୍ୟା ଭିତରେ ଛନ୍ଦି ହୋଇ ଯାଇଥିଲେ, ସେତେବେଳେ ଆମ ସରକାର ଅନ୍ୟ ରାଜ୍ୟଙ୍କୁ ଅକ୍ସିଜେନ ଯୋଗାଇବାରେ ସଫଳ ହୋଇଛି ଓ ବହୁ ମୂଲ୍ୟବାନ ଜୀବନ ବଞ୍ଚାଇଛି। ସରକାର ବର୍ତ୍ତମାନ ଟିକାକରଣ ଉପରେ ଫୋକସ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।
ମହାମାରୀ କୋଭିଡ୍ ସତ୍ତ୍ବେ କ୍ରୀଡାର ବିକାଶ ପାଇଁ ରାଉରକେଲାରେ ଦେଶର ବୃହତ୍ତମ ହକି ଷ୍ଟାଡିଅମ ସମେତ ବିଭିନ୍ନ କ୍ରୀଡା ପ୍ରକଳ୍ପ ନିମନ୍ତେ ୧୦୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି। ବର୍ଷେ ମଧ୍ୟରେ କାଳିଆ ଯୋଜନାରେ ରାଜ୍ୟର ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ୬୧୧୮ କୋଟିରୁ ଅଧିକ ଟଙ୍କା ଜମା କରାଯାଇପାରିଛି। ଚଳିତ ବର୍ଷ ଅପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ଓ ଲୋୟର ଇନ୍ଦ୍ରାବତୀ ପ୍ରକଳ୍ପ ଚାଷୀଙ୍କ ସେବାରେ ଉତ୍ସର୍ଗ ହୋଇଛି। ଏକ ଉଦାହରଣୀୟ ପଦକ୍ଷେପ ଭାବରେ ମିସନ ଶକ୍ତି ପାଇଁ ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରାଯାଇଛି। ମିସନ ଶକ୍ତି ମା’ ମାନଙ୍କର ଆର୍ଥିକ ସଶକ୍ତିକରଣ ପାଇଁ ଆଗାମୀ ୫ ବର୍ଷରେ ସେମାନଙ୍କୁ ୫୦୦୦ କୋଟି ଟଙ୍କାର ବିଭିନ୍ନ ସରକାରୀ କାର୍ୟ୍ୟକ୍ରମରେ ସଂପୃକ୍ତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ସାରା ରାଜ୍ୟରେ ପୁରୀ, କୋଣାର୍କ, ସମଲେଶ୍ବରୀ, ହରିଶଙ୍କର–ନୃସିଂହନାଥ ମନ୍ଦିରର ସଂରକ୍ଷଣ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ୟ୍ୟକାରୀ କରାଯାଉଛି। ପଞ୍ଚାୟତିରାଜ ଅନୁଷ୍ଠାନ ତଥା ପୌରସଂସ୍ଥା ପାଇଁ ଅର୍ଥ କମିସନଙ୍କ ଅନୁଦାନ ଜରିଆରେ ଗତ ଦୁଇ ବର୍ଷ ମଧ୍ୟରେ ସେମାନଙ୍କୁ ୧୧,୨୮୭ କୋଟି ଟଙ୍କାର ଆର୍ଥକ ଅନୁଦାନ ଦିଆଯାଇଛି।
ମହାମାରୀ ଏକ ଅନନ୍ୟ ପରିସ୍ଥିତି ସୃଷ୍ଟି କରିଛି, ଯାହାଦ୍ବାରାକି ଲୋକମାନଙ୍କ ଜୀବନ ଓ ଜୀବିକା ଗଭୀର ଭାବରେ ପ୍ରଭାବିତ ହୋଇଛି। ଏସବୁ ସତ୍ତ୍ବେ ଓଡିଶାର ଜନସାଧାରଣଙ୍କ ସହଯୋଗରେ ଏସବୁ ସଙ୍କଟ ମୁକାବିଲାରେ ରାଜ୍ୟ ବିଜୟୀ ହେବ ତଥା ଓଡିଶାର ରୂପାନ୍ତର (ନୂଆ ଓଡ଼ିଶା ଗଠନ) ନିମନ୍ତେ ଭଲ କାମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶା ସମାଚାର