Saturday , June 3 2023
Breaking News
Home / ବିଶେଷ / ସକୁନ୍ତଳାଙ୍କ ମରିସ୍ମା

ସକୁନ୍ତଳାଙ୍କ ମରିସ୍ମା

ଭୁବନେଶ୍ୱର,୨୮/୦୫/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ଯୋଗୁଁ ଲୋକମାନେ ଭୟଭୀତ ଏବଂ ନିଜ ନିଜ ଘରେ ବନ୍ଦି ଭଳି ଜୀବନ ଯାପନ କରିବାକୁ ବାଧ୍ୟ ହେଉଛନ୍ତି ଏବଂ ବିଶେଷକରି ସହରରେ ରହୁଥିବା ବସ୍ତି ବାସିନ୍ଦାଙ୍କ ଦୁର୍ଦ୍ଧଶା ବଢ଼ିଯାଇଛି । ଦୀର୍ଘଦୀନ ଧରି ଚାଲିଥିବା ତାଲାବନ୍ଦ ଯୋଗୁଁ ଦିନମଜୁରିଆ ବା ଛୋଟମୋଟ ଧନ୍ଦାକରି ଗୁଜୁରାଣ ମେଂଟାଉଥିବା ଅନେକ ପରିବାର ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି । ଅଭାବ ଅସୁବିଧା ଲାଗିରହିବା ଯୋଗୁଁ ବସ୍ତି ମାନଙ୍କରେ ପାରିବାରିକ ଅଶାନ୍ତି ଓ ହିଂସା ଘଟଣାମାନ ବୃଦ୍ଧି ପାଇବାରେ ଲାଗିଛି । ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ସମୟଧରି ସ୍କୁଲ କଲେଜ ବନ୍ଦ ରହିବା ଦ୍ୱାରା ବସ୍ତିରେ ରହୁଥିବା ଛାତ୍ର ଛାତ୍ରୀ ମାନେ ମଧ୍ୟ ଗଭୀର ମାନସିକ ଚାପ ମଧ୍ୟରେ ଗତି କରୁଛନ୍ତି । ଅନେକ ଗରିବ ଛାତ୍ର ଛାତ୍ରୀ ମାନେ ଅଧାରୁ ପାଠ ଛାଡି ଦେବାର ଆଶଙ୍କା ବୃଦ୍ଧି ପାଉଛି । ସ୍କୁଲରେ ଦିଆଯାଉଥିବା ମାଗଣା ମଧ୍ୟାହ୍ନ ଭୋଜନରୁ ବଂଚିତ ଅନେକ ପିଲା କ୍ଷୁଧା ଓ ଅପପୃଷ୍ଟିର ଶୀକାର ହେଲେଣି ।
ଏହି ସମୟରେ ସାଲିଆ ସାହି ବସ୍ତିର ପ୍ରାୟ ୩୦୦ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଖରେ ସେହି ବସ୍ତିରେ ରହୁଥିବା ଜଣେ ଝିଅ ସକୁନ୍ତଳା ନାୟକ ପହଂଚି ସେମାନଙ୍କୁ ବିଭିନ୍ନ ସୃଜନାତ୍ମକ କାର୍ଯ୍ୟରେ ନିୟୋଜିତ କରି ପିଲାମାନଙ୍କର ମାନସିକ ଚାପ ହ୍ରାସ କରିବାର ପ୍ରଚେଷ୍ଟା ଜାରିରଖିଛନ୍ତି । ସବୁପିଲାମାନଙ୍କ ଘରକୁ ଯାଇ ସେମାନଙ୍କର ପାଠପଢ଼ା କଥା ବୁଝିବା ଏବଂ ଚିତ୍ରାଙ୍କନ, ବିଭିନ୍ନ ବର୍ଯ୍ୟବସ୍ତୁକୁ ବ୍ୟବହାର କରି କଳାକୃତି ତିଆରି କରିବା, କବିତା ଏବଂ ଗଳ୍ପ ରଚନା କରିବା ଇତ୍ୟାଦି ଶିକ୍ଷା ଦେଉଛନ୍ତି । ଏଥି ସହିତ ପିଲାମାନଙ୍କୁ ବିଭିନ୍ନ ନୈତିକ ଶିକ୍ଷା ଏବଂ ପରସ୍ପର ମଧ୍ୟରେ ଶାନ୍ତି ଓ ସଦ୍ଭାବନାର ବାର୍ତା ବାଂଟୁଛନ୍ତି । କରୋନା ମହାମାରୀରୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ପ୍ରତିଷେଧକମୂଳକ ପଦକ୍ଷେପ ନେବାପାଇଁ ସଚେତନ ମଧ୍ୟ କରୁଛନ୍ତି । ଏହି ମହାମାରୀ ସମୟରେ ଧୈର୍ଯ୍ୟ ନହରାଇ ମାନସିକ ସ୍ତରରେ ସୁଦୃଢ଼ ରହିବା ପାଇଁ ଦୈନଦିନ ଜୀବନଶୈଳିରେ ପରିବର୍ତନ ଆଣିବା ସହିତ ସବୁସମୟରେ ସକରାତ୍ମକ ଚିନ୍ତାଧାରା ରଖିବା ପାଇଁ ସେ ସବୁପିଲା ମାନଙ୍କୁ ବୁଝାଇ ଆସୁଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସକୁନ୍ତଳା ଛୋଟବେଳୁ ବସ୍ତିରେ କାମକରୁଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା “ସ୍ନେହ’ର ସାହାଯ୍ୟ ଓ ସହଯୋଗ ଯୋଗୁ ସ୍କୁଲ ଏବଂ କଲେଜରେ ପାଠ ପଢ଼ି ଜଣେ ସ୍ନାତକ ହୋଇପାରିଛନ୍ତି ଏବଂ ଏହି ସଂସ୍ଥାଦ୍ୱାରା ଚାଲିଥିବା ପ୍ରକଳ୍ପରେ ଗୋଷ୍ଠି ସଚେତକ ସ୍ୱେଚ୍ଛସେବୀ ଭାବେ କାର୍ଯ୍ୟ କରୁଛନ୍ତି । ସେ ମଧ୍ୟ ସଂଧ୍ୟାରେ ଗରିବ ବସ୍ତି ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରିଆସୁଛନ୍ତି । “ଏହି ମହାମାରି ସଂକଟ ସମୟରେ ସମାଜରେ ଥିବା ଅବହେଳିତ ବର୍ଗର ଶିଶୁ ଏବଂ କିଶୋର ମାନଙ୍କୁ ସେବା ଯୋଗାଇ ମୁଁ ନିଜକୁ ଗର୍ବିତ ମନେକରୁଛି’-କୁହନ୍ତି ସକୁନ୍ତଳା । ଓଡ଼ିଶା ସମାଚାର

Leave a Reply

Your email address will not be published.