ବାତ୍ୟା ପ୍ରପିଡିତ ଅଂଚଳରେ ରନ୍ଧା ଖାଦ୍ୟ, ପିଇବା ପାଣି ଏବଂ ଜୀବନ ରକ୍ଷାକାରୀ ଔଷଧ ଯୋଗାଣକୁ ସୁନିଶ୍ଚିତ କରାଯାଉ
ଭୁବନେଶ୍ୱର,୨୭/୦୫/୨୦୨୧(ଓଡ଼ିଶା ସମାଚାର)- ବାତ୍ୟା ୟାସ୍ ର ପ୍ରଭାବରେ ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷ କରି ସମୁଦ୍ର ତଟବର୍ତି ଅଂଚଳ ଗୁଡିକ ପାଣି ଘେରରେ ରହିଛି । ବର୍ତର୍ମାନ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ବାତ୍ୟା ଆଶ୍ରୟ ସ୍ଥଳରେ ଏବଂ ଅନ୍ୟାନ୍ୟ ଉଚ୍ଚ ସ୍ଥାନରେ ପାଣି ଘେର ମଧ୍ୟରେ ରହିଛନ୍ତି । ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତିରେ ପାଣି ଘେରରେ ଥିବା ବାତ୍ୟା ଦୁର୍ଗତମାନଙ୍କୁ ରନ୍ଧା ଖାଦ୍ୟ, ପିଇବା ପାଣି ଏବଂ ଜୀବନ ରକ୍ଷାକାରୀ ଔଷଧ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ସି.ପି.ଆଇ.(ଏମ୍) ଦାବି କରିଛି । ବାତ୍ୟା ପରବର୍ତୀ ପରିସ୍ଥିତିରେ କୋଭିଡ୍ ସଂକ୍ରମଣ ବ୍ୟାପକ ହେବାର ଭୟଙ୍କର ଆଶଙ୍କା ରହିଛି । ସମଗ୍ର ବାତ୍ୟା ପ୍ରପିଡୀତ ଅଂଚଳରେ ବସବାସ କରୁଥିବା ଜନ ସାଧାରଣଙ୍କର ସାର୍ବଜନୀନ କୋଭିଡ୍ ପରୀକ୍ଷା, ଚିହ୍ନଟ ସଙ୍ଗରୋଧ, ଏବଂ ଚିକିସôା କାର୍ଯ୍ୟକ୍ରମକୁ ଗୁରୁତ୍ୱର ସହିତ ସଂଗଠିତ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି କରାଯାଇଛି ।
ସି.ପି.ଆଇ.(ଏମ୍) ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଗଣ ମାଧ୍ୟମର ରିପୋର୍ଟ ଅନୁସାରେ ମୃତ୍ୟୁ ସଂଖ୍ୟା ୪ ହୋଇଛି । ଏହା ସହିତ ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାର ବ୍ୟାପକ ଚାଷ ଜମି , ଲୁଣା ପାଣି ମାଡିବା ସହିତ ଡାଳୁଅ ଧାନ ଫସଲ, ପନିପରିବା ଏବଂ ଚିଙ୍ଗୁଡି ଚାଷ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଚାଳ ଏବଂ ଆଜବେଷ୍ଟେସ୍ ଥିବା ସମସ୍ତ ଘର ଭାଙ୍ଗି ଯାଇଛି । ବିଦ୍ୟୁତ୍ ବ୍ୟବସ୍ଥା ଅଚଳ ସାଙ୍ଗକୁ ବହୁ ସଂଖ୍ୟାରେ ଗଛ ଉଜୁଡି ଯାଇଛି । ଅନେକ ସ୍ଥାନରେ ଗ୍ରାମୀଣ ଇଲାକାରେ କିଛି ସ୍ଥାନରେ ଯୋଗାଯୋଗ ରାସ୍ତା ବିଛିନ୍ନ ହୋଇପଡିଛି । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଅଗ୍ରାଧିକାର ଭିତିିରେ ତଳି ଅଂଚଳ ଗୁଡିକରେ ଖାଦ୍ୟ, ପାଣି, ଔଷଧ, ପଲିଥିନ୍, ମହମବତି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଇତ୍ୟାଦି ଯୋଗାଇ ଦେବା ସହିତ କ୍ଷୟକ୍ଷତିକୁ ଆକଳନ କରି ଉପଯୁକ୍ତ କ୍ଷତିପୂରଣ ଭରଣା କରିବା ପାଇଁ ସି.ପି.ଆଇ.(ଏମ୍) ଦାବି କରିଛି । ଶିଶୁ, ଗର୍ଭବତୀ ମହିଳା, ବୃଦ୍ଧ ବୃଦ୍ଧା ଏବଂ ରୋଗ ଗ୍ରସ୍ତ ସାଧାରଣ ଲୋକଙ୍କର ଅଧିକ ଯତ୍ନ ନେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ଏହି ଅଂଚଳ ଗୁଡିକରେ ଗୋଖାଦ୍ୟକୁ ମଧ୍ୟ ବଂଟନ କରିବା ପାଇଁ ଦାବି କରାଯାଇଛି । କୋଭିଡ୍ ଜନିତ ମହାମାରୀର ଆର୍ଥିକ ଦୁର୍ଦ୍ଧଶା ସହିତ ବାତ୍ୟା ଜନିତ ଅତି ସଂକଟ ପରିସ୍ଥିତି ଯୋଗୁଁ ସମଗ୍ର ବାତ୍ୟା ପ୍ରପୀଡିତ ଅଞ୍ଚଳରେ ଏକ ମାସ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ଅବ୍ୟାହତ ରଖିବାକୁ ଦାବି କରାଯାଇଛି । ଠିକ୍ ସେହି ଭଳି କେନ୍ଦ୍ରାପଡା, ଜଗତ୍ସିଂହପୁର, ମୟୁରଭଞ୍ଜ ତଥା ଅନ୍ୟାନ୍ୟ ଜିଲ୍ଲାରେ ପବନ ଏବଂ ଭୟଙ୍କର ବର୍ଷା ଯୋଗୁଁ ହୋଇଥିବା କ୍ଷତିର ଉପଯୁକ୍ତ ଭରଣା କରିବା ପାଇଁ ସି.ପି.ଆଇ(ଏମ୍) ଦାବି କରିଛି । ସମଗ୍ର ବାତ୍ୟା ପ୍ରପିଡୀତ ଅଞ୍ଚଳରେ ସି.ପି.ଆଇ.(ଏମ୍)ର କର୍ମୀମାନେ ଏହି ଦୁର୍ଦ୍ଧଶାରେ ଲୋକଙ୍କ ସାଙ୍ଗରେ ରହି ରିଲିଫ୍ ଏବଂ ଥଇଥାନ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ଦଳ ଆହ୍ୱାନ କରିଛି । ଦଳର ଏକ ରାଜୟ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ବାତ୍ୟା ପ୍ରପିଡୀତ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ ଏବଂ ଏକ ସ୍ମାରକ ପତ୍ର ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ ନିଷ୍ପତି ହୋଇଛି । ଓଡ଼ିଶା ସମାଚାର